ଟି୨୦ ସିରିଜ ଖେଳିବା ପାଇଁ ଭାରତରେ ପହଁଚିଲା ଦକ୍ଷିଣ ଆଫ୍ରିକା ଟିମ୍

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ ୯ରୁ ଆରମ୍ଭ ହେବାକୁ ଥିବା ଟି୨୦ ସିରିଜ୍ ପାଇଁ ଗୁରୁବାର ଭାରତରେ ପହଁଚିଛି ଦକ୍ଷିଣ ଆଫ୍ରିକା ଟିମ୍ । ଉଭୟ ଦେଶ ମଧ୍ୟରେ ପ୍ରଥମ ଟି୨୦ ଦିଲ୍ଲୀରେ ଖେଳାଯିବ । ଆଇପିଏଲ ଖେଳିଥିବ କ୍ୱିଣ୍ଟନ ଡିକକ୍, ଡେଭିଡ୍ ମିଲର ଓ କାଗିସୋ ରାବଡା ପୂର୍ବରୁ ଭାରତରେ ଅଛନ୍ତି ।

ଟି୨୦ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଟିମ୍ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି । ଏଥିରେ ଟ୍ରିଷ୍ଟିୟନ ଷ୍ଟସ୍ ସାମିଲ ଅଛନ୍ତି । ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ । ସେ ୨ଟି ମ୍ୟାଚ୍ ଖେଳି ମାତ୍ର ୨ ରନ୍ କରିଥିଲେ । ଏବେ ସେ ଭାରତ ବିପକ୍ଷ ଟି୨୦ ସିରିଜରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିବେ ।

ଭାରତରେ ପହଞ୍ଚି ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବୋ ବାଭୁମା କହିଛନ୍ତି ଯେ, ଚଳିତ ବର୍ଷ ଟି୨୦ ବିଶ୍ୱକପ ଖେଳାଯିବ । ସେ ଦୃଷ୍ଟିରୁ ଭାରତ ଗସ୍ତ ଖୁବ୍ ଗୁରୁତ୍ୱ ବହନ କରୁଛି । ଏହି ସିରିଜ୍ ଜିତିବାକୁ ଚେଷ୍ଟା କରିବୁ । ଭାରତକୁ ସବୁଠାରୁ ଅଧିକ ମ୍ୟାଚ୍ ବିଜୟୀ ରେକର୍ଡକୁ ରୋକିବାକୁ ସେମାନେ ଚେଷ୍ଟା କରିବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଆରମ୍ଭରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା । କିନ୍ତୁ ଦଳ ଟେଷ୍ଟ୍ ଓ ଦିନିକିଆ ସିରିଜ ହାରିଥିଲା । ଏବେ ଦଳ ପ୍ରତିଶୋଧ ଲକ୍ଷ୍ୟରେ ରହିବ ।