ବ୍ରଜରାଜନଗର ଉପନିର୍ବାଚନରେ ବିପୁଳ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି

ଭୁବନେଶ୍ୱର (ସଂକେତ୍ ଟିଭି) : ବ୍ରଜରାଜନଗରରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୬୫ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ୨୫, ୮୨୭ ଖଣ୍ଡ ଭୋଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୨୧,୪୬୮ ଖଣ୍ଡ ଭୋଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ସେପଟେ ଉପନିର୍ବାଚନରେ ବିଜୟ ହାସଲ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଯେ, ଅକୁଣ୍ଠ ଭଲପାଇବା ଦେଇଥିବାରୁ ବ୍ରଜରାଜନଗରବାସୀଙ୍କୁ ମୋର କୃତଜ୍ଞତା ସହ ନିଷ୍ଠାପର ଉଦ୍ୟମ କରିଥିବା ସମସ୍ତ କର୍ମୀ ଭାଇଭଉଣୀଙ୍କୁ ଧନ୍ୟବାଦ ଜଣାଉଛି। ଏହି ବିଜୟ ଆମର ସେବା ସଙ୍କଳ୍ପକୁ ଆହୁରି ଦୃଢ କରିଛି।

ଉଲ୍ଲେଖଯୋଗ୍ୟ, ଅଳକା ମହାନ୍ତି ହେଉଛନ୍ତି ବ୍ରଜରାଜନଗରର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଅଳକାଙ୍କୁ ପ୍ରାର୍ଥୀ ଭାବେ ମନୋନୟନ କରିଛନ୍ତି। ପ୍ରାର୍ଥୀ ଚୟନ ହେବାପରେ ଅଳକା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ତାଙ୍କ ସ୍ବାମୀଙ୍କ ଅଧୁରା କାର୍ଯ୍ୟକୁ ସମ୍ପନ୍ନ କରିବେ ବୋଲି ପ୍ରତିକ୍ରିୟାରେ କହିଥିଲେ। ଏହାର କିଛି ଘଣ୍ଟା ପରେ କଂଗ୍ରେସ ପ୍ରାର୍ଥୀ ଭାବେ କିଶୋର ପଟେଲଙ୍କ ନାମ ଘୋଷଣା ହୋଇଥିଲା। କିଶୋର କଂଗ୍ରେସ ସରକାର ସମୟରେ ମନ୍ତ୍ରୀ, ବିଧାନସଭା ବାଚସ୍ପତି ପଦରେ ରହିଥିଲେ। ୨୦୧୪ ନିର୍ବାଚନରେ ବିଧାୟକ ଅନୁପ ସାଏ କଂଗ୍ରେସ ଛାଡ଼ି ବିଜେଡିରୁ ଏହି ଆସନରେ ଲଢ଼ିଥିବା ବେଳେ କଂଗ୍ରେସ ଶ୍ରୀ ପଟେଲଙ୍କୁ ଏଠାରେ ଟିକେଟ ଦେଇଥିଲା। ତେବେ ଶ୍ରୀ ପଟେଲ ୩୮ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ବିଜେପି ପ୍ରାର୍ଥୀ ଭାବେ ରାଧାରାଣୀ ପଣ୍ଡା ୨୦୧୪ରେ ବ୍ରଜରାଜନଗର ଆସନରୁ ଜିତି ବିଧାୟକ ହୋଇଥିଲେ।