ସାଧାରଣ ଗ୍ରାହକଙ୍କୁ ଆଉ ମିଳିବ ନାହିଁ ଏଲପିଜି ସବସିଡି

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଏବେ ସାଧାରଣ ଗ୍ରାହକଙ୍କୁ ଆଉ ଏଲପିଜି ସବସିଡି ମିଳିବ ନାହିଁ। କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିବା ୨୦୦ ଟଙ୍କାର ଏଲପିଜି ସବସିଡି କେବଳ ପିଏମ ଉଜ୍ଜ୍ୱଲା ଯୋଜନାରେ ନିଶୁଳ୍କ ସଂଯୋଗ ପାଇଥିବା ମହିଳା ହିତାଧିକାରୀଙ୍କୁ ମିଳିବ। ଅନ୍ୟ ଗ୍ରାହକଙ୍କୁ ବଜାର ମୂଲ୍ୟରେ ଏଲପିଜି ସିଲିଣ୍ଡର ଉପଲବ୍ଧ କରାଯିବ।

ତୈଳ ସଚିବ ପଙ୍କଜ ଜୈନ ଏକ ବ୍ରିଫିଙ୍ଗରେ ଜୁନ ୨୦୨୦ରୁ ଏଲପିଜି ସିଲିଣ୍ଡର ଉପରେ କୌଣସି ସବସିଡି ଦିଆଯାଉନଥିବା କହିଛନ୍ତି। କୋଭିଡ ଆରମ୍ଭ ଦିନରୁ ଏଲପିଜି ବ୍ୟବହାରକାରୀଙ୍କୁ କୌଣସି ସବସିଡି ମିଳୁ ନାହିଁ। ସେବେଠୁ କେବଳ ସେହି ସବସିଡି ଉପଲବ୍ଧ ଅଛି ଯାହା ଉଜ୍ଜ୍ୱଳା ହିତାଧିକାରୀଙ୍କ ଲାଗି ଘୋଷଣା ହେଉଛି।

ଦେଶରେ ଏଲପିଜି ସବସିଡି ବନ୍ଦ ହେବା କୋଟି କୋଟି ଉପଭୋକ୍ତାଙ୍କ ଲାଗି ଏବେ ଝଟକା ସାବ୍ୟସ୍ତ ହେଉଛି। ଏଲପିଜି ଦରରେ ମନଇଛା ବୃଦ୍ଧି ହୋଇଛି। ଜୁନ ୨୦୨୦ରେ ଏଲପିଜି ମୂଲ୍ୟ ୫୯୩ ଟଙ୍କା ଥିଲା, ଯେହା ବୃଦ୍ଧି ହୋଇ ଏବେ ୧୦୦୩ ଟଙ୍କା ହୋଇଯାଇଛି। ଏଥିରେ ସବସିଡି ବନ୍ଦ ହେବା ପରେ ସିଲିଣ୍ଡର ପିଛା ଦର ୪୧୦ ଟଙ୍କା ମହଙ୍ଗା ହୋଇଛି।

ସାରା ଦେଶରେ ଏବେ ୩୦.୫ କୋଟି ଏଲପିଜି କନେକ୍ସନ ରହିଛି। ଏଥିରୁ ୯ କୋଟି ପିଏମ ଉଜ୍ଜ୍ୱଲା ଯୋଜନାରେ ମହିଳାମାନଙ୍କୁ ଉପଲବ୍ଧ କରାଯାଇଛି। ଗତ ୧ ବର୍ଷରେ ବିନା ସବସିଡି ଏଲପିଜି ମୂଲ୍ୟରେ ଢେର ବୃଦ୍ଧି ହୋଇଛି।

କେନ୍ଦ୍ର ସରକାର ଜୁନ ୨୦୧୦ରେ ପେଟ୍ରୋଲ ଓ ନଭେମ୍ବର ୨୦୧୪ରେ ଡିଜେଲ ଉପରୁ ସବସିଡି ସମାପ୍ତ କରିଥିଲେ। ଏହାର କିଛି ସମୟ ପରେ କିରୋସିନ ଉପରୁ ସବସିଡି ସମାପ୍ତ ହୋଇଥିବା ବେଳେ ଜୁନ ୨୦୨୦ରୁ ଏଲପିଜି ସିଲିଣ୍ଡର ଉପରେ ଅଘୋଷିତ ସବସିଡି ସମାପ୍ତ କରିଦେଇଛନ୍ତି।