ଚୀନ୍‌ର ଦାଦାଗିରି ଉପରେ ଲାଗିବ ଲଗାମ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଭାରତ ଓ ଆମେରିକା ସମେତ ୨୬ଟି ଦେଶ ବିଶ୍ୱର ସବୁଠୁ ବଡ଼ ନୌସେନା ଯୁଦ୍ଧାଭ୍ୟାସ କରିବାକୁ ଯାଉଛନ୍ତି । ଏହା ଜୁନ୍ ୨୯ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ । ଆମେରିକାର ହୋନୋଲୁଲୁ ଓ ସେନ୍ ଡିୟାଗୋରେ ଏଥିାଇଁ ପ୍ରସ୍ତୁତି ଶେଷ ହୋଇସାରିଛି । ସମୁଦ୍ରରେ ଏହି ଯୁଦ୍ଧାଭ୍ୟାସ କରିବାର ମୂଳ କାରଣ ଏହିକି ଚୀନ୍‌କୁ ଏମାନେ ଦେଖାଇବାକୁ ଚାହାନ୍ତି କି ଦକ୍ଷିଣ ଚୀନ୍‌ ସାଗର ସମେତ କୌଣସି ବି ସମୁଦ୍ରରେ ଚୀନ୍‌ର ଆଉ ଦାଦାଗିରି ଚଳିବ ନାହିଁ ।

ଏହି ଯୁଦ୍ଧାଭ୍ୟାସ ପ୍ରତି ଦୁଇବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । ୨୦୨୦ ମସିହାରେ କୋଭିଡ୍‌-୧୯ କାରଣରୁ ଶେଷ ସମୟରେ ଏହାକୁ ରଦ୍ଦ କରିଦିଆଯାଇଥିଲା । ଏହି ଯୁଦ୍ଧାଭ୍ୟାସକୁ ରିମ୍ ଅଫ୍ ପାସିଫିକ୍‌ ଏକ୍ସରସାଇଜ୍ ବୋଲି କୁହାଯାଇଥାଏ । ୧୯୭୧ ମସିହାରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା । କ୍ୱାର୍ଡରେ ସାମିଲ ୪ ଦେଶ ଯଥା ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ଏଥିରେ ସାମିଲ ହେବେ ।

୫ଟି ଦେଶ ଯେଉଁମାନେ କି ଏହି ଯୁଦ୍ଧାଭ୍ୟାସରେ ସାମିଲ ହେଉଛନ୍ତି ସେମାନଙ୍କ ସିଧାସଳଖ ଟକ୍କର ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ସହ ଲାଗି ରହିଛି । ତେବେ ଅନ୍ୟ ଏକ କାରଣ ପାଇଁ ବି ଏହି ଯୁଦ୍ଧାଭ୍ୟାସ ଗୁରୁତ୍ୱ ରଖୁଛି । ନିକଟରେ ଅଷ୍ଟ୍ରେଲିଆର ସମୁଦ୍ରସୀମା ଠାରୁ ପାଖାପାଖି ୨ହଜାର କିଲୋମିଟର ଦୂର ସୋଲେମନ ଆଇଲ୍ୟାଣ୍ଡସ୍ ସରକାରଙ୍କ ସହ ଚୀନ୍‌ ଗୁପ୍ତ ବୁଝାମଣା କରିଛି । ଫଳରେ ଅଷ୍ଟ୍ରେଲିଆର ସୁରକ୍ଷା ପାଇଁ ଏହା ସତର୍କର ଘଣ୍ଟି ସଦୃଶ । ତେବେ କ୍ୱାର୍ଡ ଦେଶ ସମୂହରେ ଅଷ୍ଟ୍ରେଲିଆ ସଦସ୍ୟ ଥିବାବେଳେ ଏହି ଯୁଦ୍ଧାଭ୍ୟାସ ଅତି ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।