ମନ୍ତ୍ରିମଣ୍ଡଳରେ ବଡ଼ଧରଣର ପରିବର୍ତ୍ତନ ସମ୍ଭାବନା: ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (ସଂକେତ୍ ଟିଭି) : ଜୁନ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିୟରକୁ ୨୫ ବର୍ଷ ପୂରିଛି। ଏହି ଅବସରରେ ମନ୍ତ୍ରିମଣ୍ଡଳର କେତେକ ସଦସ୍ୟଙ୍କୁ ଇସ୍ତଫା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ତାଙ୍କ ବଦଳରେ ନୂତନ ମନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯିବ । ରବିବାର ସକାଳେ ନୂତନ ମନ୍ତ୍ରିମଣ୍ଡଳ ଶପଥ ନେବାର ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ, ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରଘୁନନ୍ଦନ ଦାସ, ପଦ୍ମନାଭ ବେହେରା, ପଦ୍ମିନୀ ଦିଆନ ଓ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଇସ୍ତଫା ଦେବାକୁ ନିର୍ଦେଶ ଦିଆଯାଇଛି। ସେପଟେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବି ନିଜ ପଦରୁ ଇସ୍ତଫା ଦେଇଥିବାର ଖବର ମିଳିଛି।

ଏପ୍ରିଲ୍ ମାସରେ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କର ରିପୋର୍ଟ କାର୍ଡ ମାଗିଥିଲେ। ଫଳରେ ମନ୍ତ୍ରିମଣ୍ଡଳରେ ଶୀଘ୍ର ଅଦଳବଦଳ ହୋଇପାରେ ବୋଲି କୁହାଯାଉଥିଲା । ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହିଭଳି ମନ୍ତ୍ରୀମାନଙ୍କର ରିପୋର୍ଟ କାର୍ଡ ମାଗିବା ସହ ମନ୍ତ୍ରୀମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ କରିଥିଲେ। ତେଣୁ ଏବେ ସେହି ସମାନ ତରିକା ଆପଣାଇବେ ବୋଲି କୁହାଯାଉଛି।

ତେବେ ୧୫ରୁ ଊର୍ଦ୍ଧ୍ବ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିରାଶ କରିଥିବାରୁ ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇଛି । ଏହା ସହିତ ତାଙ୍କ ସ୍ଥାନରେ ନୂଆମୁହଁଙ୍କୁ ସାମିଲ କରାଯିବ। ତେବେ ମୟୂରଭଞ୍ଜରୁ ବିଧାୟିକା ବାସନ୍ତୀ ହେମ୍ବ୍ରମ ମନ୍ତ୍ରୀ, ବାଲେଶ୍ଵରରୁ ଅଶ୍ବନୀପାତ୍ର, ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ, କେନ୍ଦ୍ରାପଡ଼ାରୁ ଅତନୁ ସବ୍ୟସାଚୀ ନାୟକ, ଗଞ୍ଜାମରୁ ଲତିକା ପ୍ରଧାନ ଓ କେନ୍ଦୁଝରରୁ ବଦ୍ରିନାରାୟଣ ପାତ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହେବାର ସମ୍ଭବନା ରହିଛି ।