୧୩ ଜିଲ୍ଲା ହେଲା ମନ୍ତ୍ରୀ ଶୂନ୍ୟ, ନାହାନ୍ତି ଜଣେ ହେଲେ ବି ମନ୍ତ୍ରୀ

ଭୁବନେଶ୍ବର (ସଂକେତ୍ ଟିଭି) : ଆଜି ରାଜ୍ଯରେ ୧୩ଜଣ କ୍ୟାବିନେଟ୍‌ ଏବଂ ୮ ଜଣ ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ) ଭାବେ ଶପଥ ନେଇଛନ୍ତି । ଲୋକସେବା ଭବନର କନଭେନସନ୍‌ ହଲରେ ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ନୂଆ ମନ୍ତ୍ରିମଣ୍ଡଳରେ ୧୭ ଜିଲ୍ଲାର ବିଧାୟକଙ୍କୁ ସ୍ଥାନ ମିଳିଥିଲା ବେଳେ ମନ୍ତ୍ରୀ ଶୂନ୍ୟ ରହିଛି ୧୩ ଜିଲ୍ଲା ।

ମନ୍ତ୍ରୀପଦ ମିଳିଥିବା ୧୭ ଜିଲ୍ଲା ମଧ୍ୟରୁ ଯାଜପୁର, ଗଞ୍ଜାମ, ପୁରୀ ଏବଂ କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ଲେଖାଏଁ ମନ୍ତ୍ରୀ ପଦ ପାଇଛନ୍ତି । ମନ୍ତ୍ରୀ ପଦ ପାଇଥିବା ବିଧାୟକ ମାନେ ହେଉଛନ୍ତି- ଯାଜପୁର ଜିଲ୍ଲାରୁ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ, ଗଞ୍ଜାମ ଜିଲ୍ଲାରୁ ଚିକିଟି ବିଧାୟିକା ଉଷା ଦେବୀ ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରୀପଦ ମିଳିଛି ।

ସେହିଭଳି ପୁରୀ ଜିଲ୍ଲାରୁ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଏବଂ ନିମାପଡାରୁ ସମୀର ରଞ୍ଜନ ଦାସ ଏବଂ କେନ୍ଦ୍ରାପଡା ଜିଲ୍ଲାରୁ ଆଳି ବିଧାୟକ ପ୍ରତାପ କେଶରୀ ଦେବ ଏବଂ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି।

୧୩ ଜିଲ୍ଲାରେ ଜଣେ ଲେଖାଏଁ ମନ୍ତ୍ରୀ ପଦ ପାଇଛନ୍ତି । ରାୟଗଡା ଜିଲ୍ଲାରୁ ବିଷମ କଟକ ବିଧାୟକ ଜଗନ୍ନାଥ ସାରକା, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, କଟକ ଜିଲ୍ଲାରୁ ଆଠଗଡ ବିଧାୟକ ରଣେନ୍ଦ୍ର ପତାପ ସ୍ବାଇଁ ଢେଙ୍କାନାଳ ଜିଲ୍ଲାରୁ କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ, ଝାରସୁଗୁଡା ଜିଲ୍ଲାରୁ ନବ କିଶୋର ଦାସ, ଖୋର୍ଦ୍ଧା ଜିଲ୍ଲାରୁ ଅଶୋକ ଚନ୍ଦ୍ର ପଣ୍ଡା, ବୌଦ୍ଧ ଜିଲ୍ଲାରୁ ପ୍ରଦୀପ କୁମାର ଅମାତ, ଟିଟିଲାଗଡରୁ ଟୁକୁନି ସାହୁ, ନୂଆପଡା ଜିଲ୍ଲାରୁ ରାଜେନ୍ଦ୍ର ଢୋଲକିଆ, ବାଲେଶ୍ବର ଜିଲ୍ଲାର ଜଳେଶ୍ବର ବିଧାୟକ ଅଶ୍ବିନୀ କୁମାର ପାତ୍ର, ସମ୍ବଲପୁର ଜିଲ୍ଲାରୁ ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ବରଗଡ ଜିଲ୍ଲାରୁ ବିଜେପୁର ବିଧାୟିକା ରୀତା ସାହୁ, ମୟୁରଭଞ୍ଜ ଜିଲ୍ଲାରୁ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ୍‌ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ।

ସେହିପରି ମନ୍ତ୍ରୀ ପଦ ପାଇନଥିବା ଜିଲ୍ଲା ମଧ୍ୟରେ ମାଲକାନାଗିରି, ଗଜପତି, ଜଗତସିଂପୁର, ଭଦ୍ରକ, ନୟାଗଡ, କୋରାପୁଟ, ସୁନ୍ଦରଗଡ, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, ଅନୁଗୁଳ, କେନ୍ଦୁଝର ଏବଂ ଦେବଗଡ ରହିଛି । ଏହିସବୁ ଜିଲ୍ଲାମାନଙ୍କ ମଧ୍ୟରୁ କେହି ବି ଜଣେ ବିଧାୟକଙ୍କୁ ଏଥର ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନାହିଁ ।