୮ରୁ ପ୍ରାକ ମୌସୁମୀ ବର୍ଷା ସମ୍ଭାବନା

ଭୁବନେଶ୍ବର (ସଂକେତ୍ ଟିଭି) : ଆସନ୍ତା ୧୧ ତାରିଖ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ରତାପ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟମ ଧରଣର ରୌଦ୍ରତାପ ସହ ଅସହ୍ୟ ଗୁଳୁଗୁଳି ଲାଗି ରହିବ । ତେବେ ୧୧ ପରେ ମୌସୁମୀର ଆଗମନର ସମ୍ଭାବନା ଯୋଗୁଁ ହଠାତ୍‌ ତାପମାତ୍ରା କମିଯାଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଡଃ. ଶରତ ସାହୁ କହିଛନ୍ତି ।

ଶ୍ରୀ ସାହୁ କହିଛନ୍ତି, ୧୧ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରଚଣ୍ଡ ତାତି ସହ ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସରୁ ୪୭ ଡିଗ୍ରୀ ମଧ୍ୟରେ ରହିବାର ଆଶଙ୍କା କରାଯାଉଥିବା ବେଳେ ଉପକୂଳ ଅଞ୍ଚଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବାର ସମ୍ଭାବନା ରହିଛି । ୧୦ ତାରିଖ ବେଳକୁ ଆରବସାଗରରେ ପଶ୍ଚିମା ବାୟୁ ଶକ୍ତିଶାଳୀ ହେବା ସହ ଏହା ଉତ୍ତର ମୁହାଁ ହୋଇ ଜୁନ୍‌ ୧୨ ତାରିଖ ସୁଦ୍ଧା ରାଜ୍ୟରେ ଦକ୍ଷିଣ-ପଶ୍ଚିମ
ମୌସୁମୀର ଆଗମନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରେ । ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡିକରେ ଦେଖାଯିବ। ତେବେ ଦୁର୍ବଳ ମୌସୁମୀ ଯୋଗୁ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ଏବଂ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ୮ ତାରିଖରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍‌ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଅଧିକ ବର୍ଷା ନିମନ୍ତେ ଉପଯୁକ୍ତ ବାତାବରଣ ସୃଷ୍ଟି ହେବାର ସୂଚନା ନଥିବାରୁ ମୌସୁମୀର ମଧ୍ୟ ସେତେଟା ପ୍ରଭାବ ହେବନାହିଁ ।