୨୧ରେ ଇଟାଲୀ ଓ ଦୁବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ସଂକେତ୍ ଟିଭି) : ଚଳିତମାସ ୨୧ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଦିନିଆ ବିଦେଶ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଦୀର୍ଘ ୨୫ବର୍ଷ ମଧ୍ୟରେ ଶ୍ରୀ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ବିଦେଶ ଗସ୍ତରେ ଯିବେ । ଏହି ଗସ୍ତକାଳରେ ସେ ଇଟାଲୀ ଓ ଦୁବାଇ ଯାତ୍ରା କରିବେ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ବନ୍ଧୁମାନଙ୍କ ସହ ଆସନ୍ତା ୨୧ତାରିଖରେ ଇଟାଲୀ ଗସ୍ତରେ ଯିବେ ।

ସେଠାରୁ ସେ ଦୁବାଇ ଗସ୍ତ କରିବେ । ଦୁବାଇରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜିନେସ୍ ମିଟ୍ ଆୟୋଜିତ ହେଉଥିବାରୁ ସେଥିରେ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ମନ୍ତ୍ରୀ ଓ ସଚିବମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହ ବିଦେଶ ଗସ୍ତରେ ସମୟରେ ତାଙ୍କର ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ଯିବେ ବୋଲି ସୂଚନା ମିଳିଛି ।

ଶ୍ରୀ ପଟ୍ଟନାୟକ ୧୯୯୭ ମସିହାରେ ରାଜନୀତିରେ ପାଦ ଥାପିବା ପରଠୁ ବିଦେଶ ଗସ୍ତରେ ଯାଇନଥିଲେ । ଶେଷଥର ପାଇଁ ୨୦୧୨ ମେ’ ମାସରେ ଲଣ୍ଡନରେ ବିଜିନେସ୍ ମିଟ୍ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । କିନ୍ତୁ ପ୍ୟାରୀମୋହନ ମହାପାତ୍ରଙ୍କ ‘ମିଡନାଇଟ୍‌ ଅପରେସନ’ ଯୋଗୁ ସେ ନିଜର ଗସ୍ତକୁ କାଂଟଛାଂଟ୍‌ କରି ଫେରିଥିଲେ । ଏହି ଘଟଣାର ଦୀର୍ଘ ୧୦ବର୍ଷ ପରେ ଶ୍ରୀ ପଟ୍ଟନାୟକ ବିଦେଶ ଗସ୍ତ ଯାଉଥିବା ଜଣାପଡ଼ିଛି ।