ବାରବାଟୀ ଟି-୨୦ ଲଢ଼େଇ ପାଇଁ କଟକରେ ପାର୍କିଂ ସ୍ଥଳ ପ୍ରସ୍ତୁତ

ଭୁବନେଶ୍ବର (ସଂକେତ୍ ଟିଭି) : ଆଗାମୀ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-ୱେଣ୍ଟି ମ୍ୟାଚ୍ ରେ ପ୍ରାୟ ୫୦ ହଜାର ଦର୍ଶକ ହେବେ । ତେଣୁ ଏହି ଦର୍ଶକଙ୍କ ଗାଡ଼ି ରଖିବାକୁ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ଆବଶ୍ୟକ । ଏଥିାଇଁ ପ୍ରଶାସନ ପକ୍ଷରୁ ଏକାଧିକ ପାର୍କିଂ ସ୍ଥଳ ପ୍ରସ୍ତୁତ କରାଯାଇଛି । ଖାସ୍ କରି ବାଲିଯାତ୍ରାର ତଳ ଓ ଉପର ପଡ଼ିଆ ସହିତ ବିଜୁଭବନ ସମ୍ମୁଖ ଖ୍ରୀଷ୍ଟିଆନ୍ ପଡ଼ିଆ ଏବେ ପାର୍କିଂ ପାଇଁ ଏବେ ପୂରା ପ୍ରସ୍ତୁତ ।

ବାରବାଟୀରେ ଏଥର ଶତ ପ୍ରତିଶତ କ୍ଷମତାରେ ଦର୍ଶକ ମ୍ୟାଚ୍‌ ଉପଭୋଗ କରିବେ । ତେଣୁ ପ୍ରାୟ ୫୦ ହଜାର ଦର୍ଶକ ଷ୍ଟାଡିୟମ୍‌ ଅଭିମୁଖେ ଆସିବେ ।ତେଣୁ ଷ୍ଟାଡିୟମ୍‌ ପାଖକୁ ପ୍ରାୟ ୩୦ ହଜାର ବାଇକ୍‌, କାର୍ ଓ ଅଟୋ ଆସିବ ବୋଲି ପୁଲିସ ଏବଂ ପ୍ରଶାସନ ଆକଳନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବାଲିଯାତ୍ରାର ତଳ ପଡ଼ିଆକୁ ବଡ଼ ପାର୍କିଂ ସ୍ଥଳ ଭାବେ ପ୍ରସ୍ତୁତ କରାଯାଇଛି ।ଏଠାରେ ୨୦ରୁ ୨୫ ହଜାର ବାଇକ୍ ଓ କାର୍‌ ରହିଲା ଭଳି ସ୍ଥାନକୁ ପ୍ରସ୍ତୁତ କରାଯାଇଛି । ପଡ଼ିଆକୁ ସମତଳ କରିବା ପାଇଁ ମୋରମ ବିଛାଯାଇଛି ।

ଏହି ପଡ଼ିଆର ପାର୍କିଂକୁ ଦୁଇ ଭାଗ କରାଯାଇଛି । ଯୋବ୍ରା ପଟୁ ଆସୁଥିବା ଗାଡ଼ି ଗୁଡ଼ିକ ରିଂ ବନ୍ଧରେ ଆସି ଗଡ଼ଗଡ଼ିଆ ମନ୍ଦିର ପୂର୍ବରୁ ତଳ ବାଲିଯାତ୍ରା ପଡ଼ିଆକୁ ଯିବ । ସେହିପରି ଚହଟା ପଟୁ ଆସୁଥିବା ଗାଡ଼ି ଗୁଡ଼ିକ କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖରେ ରିଂ ବନ୍ଧରୁ ଗଡ଼ି କାର୍ତ୍ତିକେଶ୍ୱର ଗଡ଼ା ହୋଇ ତଳ ବାଲିଯାତ୍ରା ପଡ଼ିଆକୁ ଯିବେ । ତେବେ ସହର ଭିତରୁ ଆସୁଥିବା ଦର୍ଶକ ବିଜୁ ପଟ୍ଟନାୟକ ଛକକୁ ଯାଇ ଖ୍ରୀଷ୍ଟିଆନ୍‌ ପଡ଼ିଆରେ ଗାଡ଼ି ରଖିବେ ।

ଭିଭିଆଇପିଙ୍କ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ବ୍ୟବସ୍ଥା ହୋଇଛି । ଏହି ପାର୍କିଂ ସ୍ଥଳ ପାଇଁ ପୂର୍ବରୁ ପାସ୍ ପ୍ରଦାନ କରାଯିବ । ସାମ୍ବାଦିକଙ୍କ ପାଇଁ ସମ୍ଭବତଃ କେମ୍ବ୍ରିଜ୍ ସ୍କୁଲ୍ ପରିସରରେ ପାର୍କିଂ କରାଯିବ । ସମସ୍ତ ପଡ଼ିଆ ପ୍ରାୟ ପ୍ରସ୍ତୁତ ହୋଇସାରିଛି । ଲାଇଟ୍ ଓ ବ୍ୟାରିକେଡିଂ ବ୍ୟବସ୍ଥା ହେଉଛି ବୋଲି ଟ୍ରାଫିକ ଏସିପି ଦିଲ୍ଲୀପ ଦାସ ସୂଚନା ଦେଇଛନ୍ତି ।