୪୦ ଲକ୍ଷ ବର୍ଷର ରେକର୍ଡ ଭାଙ୍ଗିଲା ପୃଥିବୀରେ ଅଙ୍ଗାରକାମ୍ଳ ସ୍ତର

ନୂଆଦିଲ୍ଲୀ (ସଂକେତ୍ ଟିଭି) : ମନୁଷ୍ୟ ସମାଜ ପାଇଁ ନୂଆ ବିପଦ ସୃଷ୍ଟି ହୋଇଛି । ବେଳ ଥାଇଁ ନ ଚେତିଲେ ଭୟଙ୍କର ସଙ୍କଟ ସୃଷ୍ଟିହେବାର ସମ୍ଭାବନା ରହିଛି । ପୃଥିବୀରେ ଅଙ୍ଗାରକାମ୍ଳ ସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଏହା ମେ’ ମାସରେ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ଏହା ୪୦ ଲକ୍ଷ ବର୍ଷର ରେକର୍ଡକୁ ଭାଙ୍ଗିଦେଇଛି । ଅଙ୍ଗାରକ ସ୍ତର ଦ୍ରୁତ ବୃଦ୍ଧି ପାଇ ଚାଲିଛି । ଏହା ଶିଳ୍ପ ବିପ୍ଲବ ପୂର୍ବସ୍ତରଠାରୁ ୫୦ ପ୍ରତିଶତ ଅଧିକ ରହିଛି ।

ନ୍ୟାସନାଲ ଓସନିକ ଆଣ୍ଡ ଅଟୋମାସେଫରିକ ଆଡମିନିଷ୍ଟ୍ରେସନ (ଏନଓଏଏ) ପକ୍ଷରୁ ଏହି ତଥ୍ୟ ଦିଆଯାଇଛି । ବୈଜ୍ଞାନିକମାନେ ଶୁକ୍ରବାର ଘୋଷଣା କରିଥିଲେ ଯେ ହୱାଇର ମୌନା ଲୋଆ ଆଗ୍ନେୟଗିରି ଉପରେ ଏନଓଏଏର ପାଣିପାଗ ଷ୍ଟେସନ ତଥ୍ୟ ସଂଗ୍ରହ କରିଥିଲା । ଏଠାରେ ମେ’ ମାସରେ ଅଙ୍ଗାରକାମ୍ଳ ସ୍ତର ମିଲିୟନ ପିଛା ୪୨୧ ପାର୍ଟ୍ସରେ ପହଞ୍ଚି ଯାଇଥିଲା । ଏହା ମନୁଷ୍ୟ ଇତିହାସରେ ସର୍ବାଧିକ ।

ଅଧିକାରୀଙ୍କ ଅନୁଯାୟୀ ୪୦ ଲକ୍ଷ ବର୍ଷ ତୁଳନାରେ ବର୍ତ୍ତମାନ ପରିବେଶରେ ସର୍ବାଧିକ ଅଙ୍ଗାରକାମ୍ଳ ରହିଛି । ସାରା ବିଶ୍ୱରେ ବିଦ୍ୟୁତ କେନ୍ଦ୍ର, ଅଟୋମୋବାଇଲ ଏବଂ ଅନ୍ୟ ଉତ୍ସରୁ ଅଧିକ ମାତ୍ରାରେ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଛଡାଯାଉଛି । ୨୦୨୧ରେ କାର୍ବନ ନିର୍ଗମନ ୩୬.୩ ବିଲିୟନ ଟନ୍‌ ଥିଲା । ଏହା ମାନବ ଇତିହାସରେ ସବୁଠାରୁ ଅଧିକ । ଏନଓଏଏର ପ୍ରଶାସକ ରିକ ସ୍ପିନରାଡ କହିଛନ୍ତି ଯେ ମନୁଷ୍ୟ ଅର୍ଥବ୍ୟବସ୍ଥା ଯୋଗୁଁ ଜଳବାୟୁକୁ ବଦଳାଇବାରେ ଲାଗିଛି । କିନ୍ତୁ ଏହାକୁ ପରିବେଶ ଅନୁକୂଳ ରଖିବାର ଆବଶ୍ୟକତା ରହିଛି । ପରିବେଶ ଚେତାବନୀ ଦେଇଚାଲିଛି । ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳୁଛି ।