ବାଦ୍ ପଡ଼ିଥିବା ମନ୍ତ୍ରୀଙ୍କୁ ମିଳିବ ସଂଗଠନ ଦାୟିତ୍ୱ

ଭୁବନେଶ୍ବର (ସଂକେତ୍ ଟିଭି) : ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ରାଜନୈତିକ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଂଚମ ପାଳିରେ ମନ୍ତ୍ରୀ ହୋଇଥିବା ଦଶ ଜଣ ମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ବାଦ ପଡିଛନ୍ତି । ମନ୍ତ୍ରିମଣ୍ଡଳରୁ ବାଦ ପଡିଥିବା ମନ୍ତ୍ରୀ ମାନେ ହେଲେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ରହିଥିବା ଅରୁଣ ସାହୁ, ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ।

ସେହିପରି ରାଜସ୍ୱ ଓ ବିର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଥିବା ସୁଦାମ ମାର୍ଣ୍ଡି, ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବାଦ୍ ପଡ଼ିଛନ୍ତି । ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତ୍ରିକାଶ ପାଣିଗ୍ରାହୀ, ପଦ୍ମିନୀ ଦିଆନ, ପ୍ରେମାନନ୍ଦ ନାୟକ ଓ ପଦ୍ମନାଭ ବେହେରା ମଧ୍ୟ ବେହେରା ବାଦ୍‌ ପଡ଼ିଛନ୍ତି । ୨୦୨୪ ପାଇଁ ଦଳକୁ ମଜବୁତ୍ କରିବେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ଅରୁଣ ସାହୁ ଓ ସୁଶାନ୍ତ ସିଂହ ।

ବିଜେପି ଗତ ବର୍ଷକ ମଧ୍ୟରେ ପ୍ରାୟ ଅଧଡଜନ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ସାରିଲାଣି । କଂଗ୍ରେସ ଦେଶ ତଥା ଅନେକ ରାଜ୍ୟରେ ନୂଆ ସଭାପତି ସନ୍ଧାନରେ ରହିଛି । ମାତ୍ର ଦୀର୍ଘ ୨୨ ବର୍ଷର ରାଜତ୍ୱ ପରେ ବି ବିଜେଡି ସପକ୍ଷରେ ଯେଉଁ ‘ସତ୍ତା ସପକ୍ଷ’ ବାତାବରଣ ସୃଷ୍ଟି ହୋଇଛି, ତାହା ବିରୋଧୀମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସମୟ ଅନୁସାରେ ପରିବର୍ତ୍ତନ ଓ ଆବଶ୍ୟକତା ଆଧାରରେ ରୂାନ୍ତରଣ ନିମନ୍ତେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଦଳକୁ ଯେ କୌଣସି ସମୟରେ ଯେ କୌଣସି ନିର୍ବାଚନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ କରି ରଖିଛି । ଏହି ପରିପ୍ରେକ୍ଷୀରେ ସରକାରରେ ଯେଉଁ ପରିବର୍ତ୍ତନ କରାଯାଇଛି ତାହା ଉଭୟ ରାଜ୍ୟ ଓ ରାଜନୀତି ପାଇଁ ନିଶ୍ଚିତ ଭାବେ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି ।

ଦାୟିତ୍ୱ ଓ ଲୋକଙ୍କ ସମର୍ଥନ ଦଳର ଦାୟିତ୍ୱ ବଢ଼ାଇଛି । ସରକାରଙ୍କୁ ଅଧିକ ଦାୟିତ୍ୱବାନ କରିଛି । ଏହିକ୍ରମରେ ଆଗାମୀ ଦୁଇ ବର୍ଷ ରାଜ୍ୟ ରୂପାନ୍ତରଣର ବର୍ଷ ହେବାକୁ ଯାଉଛି । ବିକାଶମୂଳକ କାର୍ଯ୍ୟ ହିଁ ସରକାରଙ୍କ ମୁଖ୍ୟ ଏଜେଣ୍ଡା ହେବାକୁ ଯାଉଛି । ତେଣୁ ସଂଗଠନ ଓ ସରକାର ମଧ୍ୟରେ ଏକ ସମନ୍ୱୟ ସୃଷ୍ଟି ପାଇଁ ମନ୍ତ୍ରିମଣ୍ଡଳ ଅଦଳବଦଳ କରାଯାଇଛି । ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ପରେ ଜିଲ୍ଲାୱାରୀ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଦଳୀୟ ଶୀର୍ଷ ନେତୃତ୍ୱ ତର୍ଜମା କରିସାରିଛନ୍ତି । ତେଣୁ ସରକାରରେ ଥିବା ବ୍ୟକ୍ତିମାନଙ୍କୁ ବିଶ୍ରାମ ଦିଆଯାଇ ସାଂଗଠନିକ କାର୍ଯ୍ୟରେ ନିୟୋଜିତ କରାଯିବ ।

ସଂଗଠନରେ ଯେଉଁମାନେ ଦକ୍ଷତା ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ସରକାରରେ ଅବସ୍ଥାପିତ କରାଯିବାକୁ ଆପାତତଃ ଚୂଡ଼ାନ୍ତ ହୋଇଛି । କିଛି ଜିଲ୍ଲାର ପର୍ଯ୍ୟବେକ୍ଷକ ଓ ସହ ପର୍ଯ୍ୟବେକ୍ଷକରେ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି । ମନ୍ତ୍ରିମଣ୍ଡଳରେ ଉଭୟ ଅଭିଜ୍ଞ ଏବଂ ସମ୍ଭାବନା ରଖୁଥିବା ମହିଳା ନେତ୍ରୀଙ୍କୁ ସ୍ଥାନ ମିଳିଛି । ନୂଆ ତାଲିକାରେ ଯୁବ, ମହିଳା, ଅଭିଜ୍ଞ ତଥା ପଛୁଆବର୍ଗଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ରାଜନୈତିକ ଗୁରୁତ୍ୱ ବହନ କରୁଥିବା ଗଞ୍ଜାମ, କେନ୍ଦ୍ରାପଡ଼ା ଏବଂ ଅବିଭକ୍ତ ସମ୍ବଲପୁରଙ୍କୁ ପ୍ରାଥମିକତା ଦିଆଯାଇଛି ।

ଦଳୀୟ ମହଲରୁ ମିଳିଥିବା ସୂଚନା ଅନୁସାରେ, କିଛି ବରିଷ୍ଠ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନଥିବା ବେଳେ ତାଙ୍କୁ ସଂଗଠନ ଦାୟିତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଆପାତତଃ ନିଷ୍ପତ୍ତି ନେଇଛନ୍ତି । ଅରୁଣ କୁମାର ସାହୁ, ପ୍ରତାପ ଜେନା, ସୁଶାନ୍ତ ସିଂହ, ସୁଦାମ ମାର୍ଣ୍ଡି ପ୍ରମୁଖଙ୍କୁ ସଂଗଠନ ଦାୟିତ୍ୱ ଦିଆଯିବା ଆପାତତଃ ଚୂଡ଼ାନ୍ତ ବୋଲି କୁହାଯାଉଛି ।

ଚଳିତ ବର୍ଷ ପ୍ରାରମ୍ଭରେ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ବିୁଳ ବିଜୟ ହାସଲ କରିସାରିଛି । ତେଣୁ ତୃଣମୂଳସ୍ତରରେ ଦଳର ସ୍ଥିତି ଏବଂ ଆଗାମୀ ଆହ୍ୱାନକୁ ଦୃଷ୍ଟିରେ ରଖି ଉଭୟ ସଂଗଠନ ଏବଂ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କରାଯାଇଛି । ଉଭୟ ମନ୍ତ୍ରିମଣ୍ଡଳ ଏବଂ ସଂଗଠନରେ ଯୁବ ଓ ବରିଷ୍ଠଙ୍କ ଉପଯୁକ୍ତ ସମନ୍ୱୟତାକୁ ପ୍ରାଧାନ୍ୟ ଦିଆଯାଇଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା । ଉଭୟ ନିର୍ବାଚନ ପରେ ମଧ୍ୟ ଏହା ଜାରି ରହିଛି ।

ସେପଟେ ଆଜି ବିଦାୟୀ ମନ୍ତ୍ରୀମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ବିଦାୟୀ ମନ୍ତ୍ରୀମାନଙ୍କ ଭିତରୁ ବିକ୍ରମ କେଶରୀ ଆରୁଖଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ବିଦାୟୀ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଥିବା ଜଣାଯାଇଛି। ମୁଖ୍ୟମନ୍ତ୍ରୀ ବିଦାୟୀ ମନ୍ତ୍ରୀଙ୍କୁ କହିଥିଲେ ଯେ ପରଫରର୍ମନ୍ସ ଯୋଗୁଁ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇନି । ମନ୍ତ୍ରିମଣ୍ଡଳ ବଦଳିବା ସ୍ୱାଭାବିକ ପ୍ରକ୍ରିୟା। କୋଭିଡ ସମୟରେ ଗୁରୁ ଦାୟିତ୍ୱ ବହନ କରିଥିବାରୁ ବିଦାୟୀ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ସେ ଆହୁରି କହିଥିଲେ, ଆପଣମାନେ ଦଳ ପାଇଁ କାମ କରନ୍ତୁ। ଆଗକୁ ୨୦୨୪ ନିର୍ବାଚନ ରହିଛି। ସଙ୍ଗଠନ କଥା ବୁଝନ୍ତୁ। ଦୁଇ ଚାରି ଦିନ ଭିତରେ ଖୁବଶୀଘ୍ର ସଙ୍ଗଠନ ଦାୟିତ୍ୱ ଦିଆଯିବ।