୨୦୨୬ରେ ଦେଶରେ ଚାଲିବ ପ୍ରଥମ ବୁଲେଟ୍‌ ଟ୍ରେନ୍‌ : ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ୨୦୨୬ରେ ଗୁଜୁରାଟର ସୁରଟ ଏବଂ ବିଲିମୋରା ମଧ୍ୟରେ ଦେଶର ପ୍ରଥମ ବୁଲେଟ୍‌ ଟ୍ରେନ୍‌ ଚଳାଚଳ କରିବ । ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପର ଅଗ୍ରଗତି ଯାଞ୍ଚ କରିବା ପାଇଁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୁରଟ ଗସ୍ତରେ ଯାଇ ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ‘ଆମେ ୨୦୨୬ରେ ସୁରଟ ଏବଂ ବିଲିମୋରା ମଧ୍ୟରେ ପ୍ରଥମ ବୁଲେଟ୍‌ ଟ୍ରେନ୍‌ ଚଳାଇବାର ଲକ୍ଷ୍ୟ ରଖିଛୁ। କାର୍ଯ୍ୟର ପ୍ରଗତି ବହୁତ ଭଲ, ଏବଂ ଆମେ ସେହି ସମୟ ସୁଦ୍ଧା ଟ୍ରେନ୍‌ ଚଳାଇବା ପାଇଁ ଆତ୍ମବିଶ୍ୱାସୀ’।

ଅହମ୍ମଦାବାଦ ଏବଂ ମୁମ୍ବାଇ ମଧ୍ୟରେ ଏହି ବୁଲେଟ ଟ୍ରେନ ଘଣ୍ଟାପ୍ରତି ୩୨୦ କିଲୋମିଟର ବେଗରେ ଗତି କରିବ, ଏହା ୫୦୮ କିଲୋମିଟର ଏବଂ ୧୨ଟି ଷ୍ଟେସନ୍‌ର ଦୂରତାକୁ ଅତିକ୍ରମ କରିବ। ଟ୍ରେନ୍‌ ଦୁଇ ସହର ମଧ୍ୟରେ ଯାତ୍ରା ସମୟକୁ ବର୍ତ୍ତମାନର ଛଅ ଘଣ୍ଟାରୁ ପ୍ରାୟ ତିନି ଘଣ୍ଟାକୁ ହ୍ରାସ କରିବ ବୋଲି ଆଶା କରାଯାଉଛି।

ଜାପାନ ଆନ୍ତର୍ଜାତୀୟ ସହଯୋଗ ଏଜେନ୍‌ସି (ଜେଆଇସିଏ) ପ୍ରକଳ୍ପ ମୂଲ୍ୟର ୮୧ ପ୍ରତିଶତ ପାଣ୍ଠି ଯୋଗାଉଛି ଯାହା ୧.୧ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।