ବର୍ଷକୁ ଦୁଇଥର ହେବ ଆଇପିଏଲ୍ : ଆକାଶ ଚୋପ୍ରା

ନୂଆଦିଲ୍ଲୀ (ସଂକେତ୍ ଟିଭି) : ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ବର୍ଷକୁ ଦୁଇ ଥର ଆଇପିଏଲ ହେବା ନେଇ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଏହା ନିଶ୍ଚୟ ସମ୍ଭବ ହେବ ବୋଲି ସେ କହିଛନ୍ତି ।

ଆକାଶ ଚୋପ୍ରା କହିଛନ୍ତି ଯେ, ଆଗାମୀ ଦିନରେ ବର୍ଷକୁ ଦୁଇ ଥର ଆଇପିଏଲ ହୋଇପାରେ ବୋଲି ସଙ୍କେତ ମିଳୁଛି । ତେବେ ହଠାତ ଏହା ହେବନି । ଏଥିପାଇଁ ୫ ବର୍ଷ ଲାଗିପାରେ । କିନ୍ତୁ ଏହା ନିଶ୍ଚୟ ହେବ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଏବେ ଆଇପିଏଲରେ ୧୦ଟି ଟିମ୍ ଅଛନ୍ତି । ଫଳରେ ଆପେଆପେ ମ୍ୟାଚ୍ ସଂଖ୍ୟା ବଢିଯିବ । ଆଗାମୀ ଦିନରେ ଏକ ବଡ ଆଇପିଏଲର ଆୟୋଜନ ହେବ । ଯେଉଁଥିରେ ୯୪ ମ୍ୟାଚ୍ ଖେଳାଯିବ । ସେହିପରି ଆଉ ଏକ ଛୋଟ ଟୁର୍ଣ୍ଣାମେଣ୍ଟ ଖେଳାଯିବ ଯେଉଁଥିରେ କମ୍ ମ୍ୟାଚ୍ ଖେଳାଯିବ ଓ ତାହା ଗୋଟିଏ ମାସରେ ସରିଯିବ ।

ସୂଚନାଯୋଗ୍ୟ, ଭାରତୀୟ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀଙ୍କ ବୟାନ ପରେ ଆଇପିଏଲକୁ ନେଇ ଚର୍ଚ୍ଚା ବଢିଥିଲା । ସେ ଆଗାମୀ ଦିନରେ ବଡ ଆଇପିଏଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ ବୋଲି କହିଥିଲେ । ତେବେ ଏହା ଏବେନୁହେଁ ପରେ ସମ୍ଭବପର ବୋଲି ସେ କହିଛନ୍ତି ।

ଆଇପିଏଲ ମ୍ୟାଚ୍ ବଢିବା କାରଣରୁ ଅନେକ ଅନ୍ତର୍ଜାତୀୟ ମ୍ୟାଚ୍ ସଂଖ୍ୟା କମିବାରେ ଲାଗିଛି । ଛୋଟ ଛୋଟ ଦେଶ କମ୍ ମ୍ୟାଚ୍ ଆଗକୁ ଖେଳିପାରନ୍ତି । ଏହାଦ୍ୱାରା ଆଇସିସିର ମଧ୍ୟ କ୍ଷତି ହେବ ବୋଲି ବୋର୍ଡ ମୁଖ୍ୟ ଏକ ବୟାନ ଜାରି କରି କହିଥିଲେ ।