ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟ ଆଗରେ ତାଜୁବ୍ ପାକିସ୍ତାନ

ଇସଲାମାବାଦ (ସଂକେତ୍ ଟିଭି) : ଦିନକୁ ଦିନ ସଙ୍କଟ ଆଡ଼କୁ ଗତି କରୁଥିବା ଅର୍ଥନୀତିକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ପାକିସ୍ତାନ ଏପରି ନିଷ୍ପତ୍ତି ନେଇଛି ଯାହା ସମଗ୍ର ବିଶ୍ୱକୁ ଚକିତ କରିଛି । ବାସ୍ତବରେ, ବିପୁଳ ଆର୍ଥିକ ସଙ୍କଟ ଏବଂ ଋଣର ବୋଝ ସତ୍ତ୍ୱେ ଇସଲାମାବାଦର ନୂତନ ଶାସକମାନେ ସେମାନଙ୍କର ପ୍ରତିରକ୍ଷା ବଜେଟ୍ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଶେହବାଜ ସରିଫ ସରକାରଙ୍କ ଏହି ନିଷ୍ପତ୍ତି ସହିତ ପାକିସ୍ତାନୀ ସେନା ଏବଂ ଅନ୍ୟାନ୍ୟ ସଶସ୍ତ୍ର ବାହିନୀ ଆସନ୍ତା ଆର୍ଥିକ ବର୍ଷର ବଜେଟରେ ୧୪୦୦ ବିଲିୟନ ଟଙ୍କାରୁ ଅଧିକ ପାଇବେ ବୋଲି ଆଶା କରାଯାଉଛି ।

ଚଳିତ ବର୍ଷର ପ୍ରତିରକ୍ଷା ବଜେଟ୍ ତୁଳନାରେ ସମ୍ପ୍ରତି ବୃଦ୍ଧି ପ୍ରାୟ ୮୩ ବିଲିୟନ ଟଙ୍କା ହେବ ବୋଲି କୁହାଯାଉଛି । ଗଣମାଧ୍ୟମରେ ଏନେଇ ତମାମ ରିପୋର୍ଟ ପ୍ରକାଶ ପାଇଛି । ସାଧାରଣତଃ, ବଜେଟ୍ ଘୋଷଣା ସମୟରେ, ପ୍ରତିରକ୍ଷା କ୍ଷେତ୍ର ପାଇଁ ଆବଣ୍ଟନ ଉପରେ ସମସ୍ତ ନଜର ରଖାଯାଇଥାଏ ।

“ଦ ଡନ୍‌’ ଖବରକାଗଜର ରିପୋର୍ଟ ଅନୁଯାୟୀ, ସଶସ୍ତ୍ର ବାହିନୀ ପାଇଁ ୧୪୫୩ ବିଲିୟନ ଟଙ୍କା ଆବଣ୍ଟନ ହେବ, ଯାହାକି ଗତ ବର୍ଷର ୧୩୭୦ ବିଲିୟନ ଟଙ୍କା ତୁଳନାରେ ପ୍ରାୟ ୮୩ ବିଲିୟନ ଟଙ୍କା ଅଧିକ ରହିବ । ଏଥିରେ ପ୍ରାୟ ୬ ପ୍ରତିଶତ ବୃଦ୍ଧି ଘଟିଛି । ରିପୋର୍ଟରେ କୁହାଯାଇଛି ଯେ ପ୍ରତିରକ୍ଷା ବଜେଟରେ ଏହି ବୃଦ୍ଧି ମୁଖ୍ୟତ କର୍ମଚାରୀଙ୍କ ସହ ଜଡିତ ବ୍ୟୟ, ବେତନ ଏବଂ ଭତ୍ତା ଉପରେ ଖର୍ଚ୍ଚ ହେବ । ଏଥିସହିତ ବିଶେଷ ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନର ପ୍ରତ୍ୟେକ ଯବାନଙ୍କ ବାର୍ଷିକ ଖର୍ଚ୍ଚ ୨୬.୫ ଲକ୍ଷ ଟଙ୍କା ରହିବ, ଯାହା ଭାରତର ଖର୍ଚ୍ଚର ଏକ ତୃତୀୟାଂଶ ମଧ୍ୟ ନୂହେଁ ।

ପାକିସ୍ତାନୀ ଅର୍ଥନୈତିଜ୍ଞ ମାନଙ୍କ ଅନୁଯାୟୀ, ଏହି ନିଷ୍ପତ୍ତିରୁ ୧୧.୩ ପ୍ରତିଶତ ମୁଦ୍ରାସ୍ଫୀତି ନେବା ପରେ ଏହି ବୃଦ୍ଧି ୧୩୬ ବିଲିୟନ ବୃଦ୍ଧି ହେବା ଉଚିତ୍ । ମୁଦ୍ରାସ୍ଫୀତି ଯୋଡିବା ପରେ ପାକିସ୍ତାନର ସାମରିକ ବାହିନୀକୁ ସେମାନଙ୍କ ଆବଶ୍ୟକତାଠାରୁ ୫୩ ବିଲିୟନ ଟଙ୍କା କମ୍ ଆବଣ୍ଟନ କରାଯିବ । ଏହି ପରିସଂଖ୍ୟାନ ଅନୁଯାୟୀ, ଆସନ୍ତା ଆର୍ଥିକ ବର୍ଷରେ ପାକିସ୍ତାନର ପ୍ରତିରକ୍ଷା ବଜେଟ୍‌ ମୋଟ ଖର୍ଚ୍ଚର ୧୬ ପ୍ରତିଶତ ହେବ । ମୋଟ ଘରୋଇ ଉତ୍ପାଦ (ଜିଡିପି) ରେ ଅଂଶଧନ ଦୃଷ୍ଟିରୁ ଏହା ଚଳିତ ବର୍ଷର ୨.୫୪ ପ୍ରତିଶତରୁ ୨.୨ ପ୍ରତିଶତକୁ ଖସି ଆସିବ ।

ସୂଚନା ଥାଉକି ଇସଲାମାବାଦର ପ୍ରତ୍ୟେକ ଘୃଣ୍ୟ କାର୍ଯ୍ୟ ଏବଂ ପଦକ୍ଷେପକୁ ଭାରତ ପକ୍ଷରୁ ଉପଯୁକ୍ତ ଯବାବ ଦିଆଯାଇଛି । ଅନ୍ୟପକ୍ଷରେ ଆଫଗାନିସ୍ତାନର ତାଲିବାନ ସୈନିକମାନଙ୍କଠାରୁ ତାହାର ସୈନିକମାନେ ମଧ୍ୟ ଏକ କଠିନ ଆହ୍ୱନର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ, ବେକ ପର୍ଯ୍ୟନ୍ତ ଋଣ ଥିବା ସତ୍ତ୍ୱେ ପାକିସ୍ତାନ ପ୍ରତିରକ୍ଷା ବଜେଟ୍ ବୃଦ୍ଧି କରି ନିଜର ମଙ୍ଗଳ ହେବାର ସ୍ୱପ୍ନ ଦେଖୁଛି ।