ନୋଟ୍‌ରେ ଆସିବ ରବୀନ୍ଦ୍ରନାଥ ଟାଗୋର ଏବଂ ଅବଦୁଲ କଲାମଙ୍କ ଫଟୋ !

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଭାରତୀୟ ନୋଟ୍‌ରେ ମହାତ୍ମା ଗାନ୍ଧୀଙ୍କ ସହ ରବୀନ୍ଦ୍ରନାଥ ଟାଗୋର ଏବଂ ଡ. ଏପିଜେ ଅବଦୁଲ କଲାମଙ୍କ ଫଟୋ ରହିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ବିଚାର କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ନୋଟ୍‌ରେ କେବଳ ମହାତ୍ମା ଗାନ୍ଧୀଙ୍କ ଫଟୋ ଦେଖିବାକୁ ମିଳୁଛି । ଏବେ ନୋଟ୍‌ରେ ମହାତ୍ମା ଗାନ୍ଧୀଙ୍କ ସହ ରବୀନ୍ଦ୍ରନାଥ ଟାଗୋର ଏବଂ ଏପିଜେ ଅବଦୁଲ କଲାମଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳିପାରେ ।

ରିପୋର୍ଟ ଅନୁସାରେ ଅର୍ଥ ମନ୍ତ୍ରଣାଳୟ ଏବଂ ଆରବିଆଇ ଖୁବ୍‌ଶୀଘ୍ର ଏ ନେଇ ପଦକ୍ଷେପ ନେଇପାରନ୍ତି । ପ୍ରଥମ ଥର ଆରବିଆଇ ବ୍ୟାଙ୍କ୍‌ ନୋଟ୍‌ରେ ମହାତ୍ମା ଗାନ୍ଧୀଙ୍କ ବ୍ୟତୀତ ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତିତ୍ବଙ୍କ ଫଟୋ ବ୍ୟବହାର କରିବା ଉପରେ ବିଚାର କରୁଛନ୍ତି ।

ଅର୍ଥ ମନ୍ତ୍ରଣାଳୟ ଏବଂ ଆରବିଆଇ ଅଧୀନ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ୍ ମିଣ୍ଟିଂ କର୍ପୋରେସନ ଅଫ୍ ଇଣ୍ଡିଆ ପକ୍ଷରୁ ଗାନ୍ଧୀ, ଟାଗୋର ଓ କଲାମଙ୍କ ଓ୍ବାଟରମାର୍କ ଫଟୋର ନମୁନାର ଦୁଇଟି ଅଲଗା ଅଲଗା ସେଟ୍ ଦିଲ୍ଲୀ ଆଇଆଇଟି ଏମୋରିଟସ ପ୍ରଫେସର ଦିଲ୍ଲୀପ ଟି ଶାହାନୀଙ୍କୁ ପଠାଇ ଦିଆଯାଇଛି । ପ୍ରଫେସର ଶାହାନୀଙ୍କୁ ଦୁଇଟି ସେଟ୍‌ରୁ ଗୋଟିଏ ସେଟ୍ ବାଛି ସରକାରଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି । ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଏହାର ଶେଷ ନିଷ୍ପତ୍ତି ନିଆଯିବ ।

ଉଲ୍ଲେଖଯୋଗ୍ୟ ଯେ, ବ୍ୟାଙ୍କ୍ ନୋଟ୍‌ରେ ଏକାଧିକ ଅଙ୍କର ଓ୍ବାଟରମାର୍କକୁ ସାମିଲ କରିବା ସମ୍ଭାବନାର ପତ୍ତା ଲଗାଇବା ପାଇଁ ଏହି ପଦକ୍ଷେପ ନିଆଯାଉଛି । ଆମେରିକାରେ ଭିନ୍ନ ଭିନ୍ନ ମୂଲ୍ୟର ଡଲାରରେ ଜର୍ଜ ଓ୍ବାଶିଂଟନ୍, ବେଞ୍ଜାମିନ୍ ଫ୍ରାଙ୍କଲିନ୍, ଥମ୍‌ସ ଜେଫରସନ୍, ଏଣ୍ଡ୍ରୟୁ ଜ୍ୟାକସନ୍, ଆଲେକ୍ସଜାଣ୍ଡର ହାମିଲଟନ୍ ଏବଂ ଅବ୍ରାହମ୍ ଲିଙ୍କନଙ୍କ ସହ ଉନବିଂଶ ଶତବ୍ଦୀର କିଛି ରାଷ୍ଟ୍ରପତିଙ୍କ ଫଟୋ ରହିଛି ।

ଆରବିଆଇ ସଂପ୍ରତି ଏହି ସବୁ ରିପୋର୍ଟକୁ ସଂପୂର୍ଣ୍ଣ ଖାରଜ କରି କହିଛି ଯେ, ବର୍ତ୍ତମାନ ମୁଦ୍ରାରେ କୌଣସି ପ୍ରକାରର ପରିବର୍ତ୍ତନ ଉପରେ ବିଚାର କରାଯାଉ ନାହିଁ। ସଂପ୍ରତି ଭାରତୀୟ ମୁଦ୍ରା ଏବଂ ବ୍ୟାଙ୍କ ନୋଟରେ କୌଣସି ପରିବର୍ତ୍ତନ ନେଇ ପ୍ରସ୍ତାବ ବା ଯୋଜନା ନାହିଁ।