୮୩ ବର୍ଷରେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ପରିଣତ ବୟସର ସୋପାନରେ ପହଞ୍ଚିଗଲେ ଅଧିକାଂଶ ଲୋକ ଭାବନ୍ତି ଯେ ସେମାନେ ତାଙ୍କ ଜୀବନରେ ଆଉ କିଛି କରିବାକୁ ଅସମର୍ଥ ହୋଇଯାଇଛନ୍ତି । ହେଲେ ଏହି ଚିରାଚରିତ ଭାବନାକୁ ଭାଙ୍ଗି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଜାପାନର ଜଣେ ବ୍ୟକ୍ତି । ସେ ହେଉଛନ୍ତି କେନିଚି ହୋରୀ, ବୟସ ୮୩ ବର୍ଷ ।

କେନିଚି ଗତ ଶନିବାର ବିଶ୍ୱ ରେକର୍ଡ କରିବାରେ ସଫଳ ହୋଇଛନ୍ତି । ସେ ବିଶ୍ୱର ପ୍ରଥମ ବୃଦ୍ଧ ଭାବେ ନିଜ ନୌକାରେ ଏକୁଟିଆ ଏବଂ ବିନା ଅଟକି ସମୁଦ୍ର ଯାତ୍ରା ପୁରା କରିଛନ୍ତି । ସେ ମାତ୍ର ୬୯ଦିନରେ ପ୍ରଶାନ୍ତ ମହାସାଗାରର ଯାତ୍ରା କରି ଇତିହାସ ରଚିଛନ୍ତି । ହୋରୀ ୨୭ ମାର୍ଚ୍ଚରେ ସାନ୍‌ ଫ୍ରାନସିସ୍କୋରୁ ସେଲ୍‌ବୋଟ୍‌-ସନଟୋରୀ ମରମେଡ୍‌ ଥ୍ରୀରେ ଭ୍ରମଣ ଆରମ୍ଭ କରିଥିଲେ । ଶନିବାର ତଥା ୪ ଜୁନରେ ସେ ଟୋକିଓ ପହଞ୍ଚିଥିଲେ ।

କେନିଚି ୬୯ଦିନରେ ୪ ହଜାର କିଲୋମିଟର ଦୀର୍ଘ ଦୂରତା ଅତିକ୍ରମ କରିଥିଲେ । ତାଙ୍କ ପାଇଁ ଏହି ଯାତ୍ରା ସହଜ ନଥିଲା, କାରଣ ସେ ପ୍ରତିଦିନ ଚିନ୍ତାରେ ରହୁଥିଲେ । ସେଥିପାଇଁ ସେ ସାଟେଲାଇଟ୍‌ ଫୋନ ଜରିଆରେ ଘର ସହ ପ୍ରତିଦିନ ଯୋଗାଯୋଗ ରଖି ତାଙ୍କ ଯାତ୍ରା ସମ୍ପର୍କରେ ସୂଚନା ଦେଉଥିଲେ ବୋଲି କେନିଚି କହିଛନ୍ତି ।

କେନିଚିଙ୍କ ପାଇଁ ଏହା ପ୍ରଥମ ଘଟଣା ନୁହେଁ । ୬୦ ବର୍ଷ ପୂର୍ବେ ସେ ସମୁଦ୍ରରେ ଏକୁଟିଆ ଯାତ୍ରା କରି ରେକର୍ଡ କରିସାରିଛନ୍ତି । ୧୯୬୨ରେ ଜାପାନରୁ ସାନ-ଫ୍ରାନସିସ୍କୋ ପର୍ଯ୍ୟନ୍ତ ପ୍ରଶାନ୍ତ ମହାସାଗରରେ ନନ୍‌ଷ୍ଟପ୍‌ ଯାତ୍ରା କରିଥିବା ଦୁନିଆର ପ୍ରଥମ ବ୍ୟକ୍ତି ଥିଲେ । ଆଉ ଏବେ ସେ ତାଙ୍କ ଇତିହାସର ପୁନରାବୃତ୍ତି କରି ବିଶ୍ୱ ରେକର୍ଡ କରିଛନ୍ତି । କେନିଚି କେବଳ ଜାପାନର ନୁହେଁ ବରଂ ଦୁନିଆର ସବୁଠୁ ପ୍ରସିଦ୍ଧ ନାବିକଙ୍କ ମଧ୍ୟରେ ଜଣେ ।