ଉପଦେଷ୍ଟା, ନିଗମ ଅଧ୍ୟକ୍ଷ ନିଯୁକ୍ତି ଲାଗି ଛକାପଞ୍ଜା, କାହା ମୁଣ୍ଡରେ ସିରିପା ବାନ୍ଧିବେ ନବୀନ

ଭୁବନେଶ୍ବର (ସଂକେତ୍ ଟିଭି) : ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ସରିଲା । ଏବେ ବିଭିନ୍ନ ବିଭାଗରେ ଉପଦେଷ୍ଟା, ନିଗମ ଅଧ୍ୟକ୍ଷ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀରେ ପୁଣି କାହାକୁ ନିଯୁକ୍ତି ଦିଆଯିବ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । ଏତଦ୍‌ଭିନ୍ନ ସାଙ୍ଗଠନିକ ସ୍ତରରେ ବିଜେଡିର ପୁଣି ଅଦଳବଦଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ମନ୍ତ୍ରୀ ପଦରୁ ବାଦ୍‌ ପଡିଥିବା କିଛି ନେତା ସାଙ୍ଗଠନିକ ପଦପଦବୀରେ ଥଇଥାନ କରାଯିବାର ଯୋଜନା ହୋଇଥିବା ସୂଚନା ମିଳିଛି ।

ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡିଥିବା କିଛି ପୂର୍ବତନ ମନ୍ତ୍ରୀ ଗତକାଲି ନବୀନ ନିବାସ ଯାଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ଆଲୋଚନା ବେଳେ ସେମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି । ତେବେ ବାଦ୍‌ ପଡିଥିବା ମନ୍ତ୍ରୀଙ୍କୁ ସାଙ୍ଗଠନିକ ଦାୟିତ୍ୱ ଦିଆଯାଇପାରେ ବୋଲି କୁହାଯାଉଛି ।

ଅନ୍ୟ ଏକ ଉଲ୍ଲେଖନୀୟ ଘଟଣାକ୍ରମାରେ ଯେଉଁଦିନ ମନ୍ତ୍ରୀମାନଙ୍କୁ ସମୂହ ଇସ୍ତଫା ଦେବା ପାଇଁ କୁହାଯାଇଥିଲା, ସେହିଦିନ ମଧ୍ୟ ସାଧାରଣ ପ୍ରଶାସନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମେତ ବିଭିନ୍ନ ବିଭାଗରେ ନିଯୁକ୍ତି ହୋଇଥିବା ଉପଦେଷ୍ଟା ଓ ବିଭିନ୍ନ ନିଗମର ଅଧ୍ୟକ୍ଷ ହୋଇଥିବା ରାଜନେତାଙ୍କ ନିଯୁକ୍ତିକୁ ବାତିଲ କରିଦିଆଯାଇଥିଲା । ଏହି ପ୍ରକ୍ରିୟାରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ଉତ୍କଳ କେଶରୀ ପରିଡା ପ୍ରମୁଖ ତାଙ୍କ ପଦବୀ ହରାଇଥିଲେ ।

କେବଳ ଏମାନେ ନୁହଁନ୍ତି, ଏହାଛଡା ୨୦୧୯ ନିର୍ବାଚନରେ ବିଧାନସଭା ଟିକେଟ୍‌ରୁ ବଞ୍ଚିତ ହୋଇଥିବା ପ୍ରିୟଦର୍ଶୀ ମିଶ୍ରଙ୍କୁ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ କରାଯାଇଥିଲା । ସେହିଭଳି ଟିକେଟ୍‌ ଆଶାୟୀ ଥିବା ପ୍ରଭାତ ଆଦିତ୍ୟ ପାଣିଗ୍ରାହୀ, ଅସିତ ପଟ୍ଟନାୟକ, ଉତ୍କଳ କେଶରୀ ପରିଡା, ବିଜୟ ନାୟକ, ଶ୍ରୀମୟୀ ମିଶ୍ର, ଅମରେନ୍ଦ୍ର ଦାସ ଆଦି ନେତାଙ୍କୁ ବିଭିନ୍ନ ନିଗମରେ ଅଧ୍ୟକ୍ଷ ଓ କେତେକ ବିଭାଗରେ ଉପଦେଷ୍ଟା ମଧ୍ୟ କରାଯାଇଥିଲା । ଏବେ ଏମାନେ ପଦଚ୍ୟୁତ ହୋଇଛନ୍ତି ।

ସାଧାରଣ ପ୍ରଶାସନ ବିଭାଗର ନିଷ୍ପତ୍ତି ଅନୁଯାୟୀ ୨୩ ରାଜନେତା ତାଙ୍କ ରାଜନୈତିକ ନିଯୁକ୍ତି ପଦବୀ ହରାଇଛନ୍ତି । ସଦ୍ୟ ସମାପ୍ତ ହୋଇଥିବା ପୌର ନିର୍ବାଚନରେ ମଧ୍ୟ ଅନେକ ଆଶାୟୀ ଟିକେଟ୍‌ ପାଇବାରୁ ବଞ୍ଚିତ ହୋଇଛନ୍ତି । ସେମାନଙ୍କୁ ନିଗମରେ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ତେବେ ପୁନଃ ନିଯୁକ୍ତି ପ୍ରକ୍ରିୟାରେ କେଉଁମାନେ ସ୍ଥାନ ପାଇବେ ଓ କେଉଁମାନେ ବାଦ୍‌ ପଡିବେ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।

ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ପୂର୍ବ ମନ୍ତ୍ରିମଣ୍ଡଳରେ ସ୍ଥାନିତ ହୋଇଥିବା ୧୧ମନ୍ତ୍ରୀଙ୍କୁ ବାଦ୍‌ ଦିଆଯାଇଥିଲା । ଏଥର ମଧ୍ୟ ନିଗମ ଓ ଉପଦେଷ୍ଟା ନିଯୁକ୍ତି ବେଳେ ଅନୁରୂପ ନିଷ୍ପତ୍ତି ହୋଇପାରେ ବୋଲି ବିଜେଡି ମହଲରେ ଆଲୋଚନା ହେଉଛି । ଏବେଠୁ ନିଗମ ଓ ଉପଦେଷ୍ଟା ହେବା ପାଇଁ ଲବି ଆରମ୍ଭ ହୋଇଗଲାଣି । ବିଭିନ୍ନ ନିଗମର ଅଧ୍ୟକ୍ଷ ଥିବା କିଛି ନେତାଙ୍କ ନାମରେ ମଧ୍ୟ ଅଭିଯୋଗ ଆସୁଛି । ସେମାନେ ନିଜ ପଦବୀର ମର୍ଯ୍ୟାଦା ଉଲ୍ଲଂଘନ କରି ନିଗମ କାର୍ଯ୍ୟରେ ମାତ୍ରାଧିକ ହସ୍ତକ୍ଷେପ କରିଥିବା କୁହାଯାଉଛି । ତେଣୁ କିଏ ପୁଣି ଦାୟିତ୍ୱରେ ରହିବ ତାହା ଏବେ ବିଜେଡି ମହଲରେ ଚର୍ଚ୍ଚା ପାଲଟିଛି ।