ବାରବାଟୀ ମ୍ୟାଚ୍ ବାତିଲ ସଂପର୍କୀତ ମାମଲା ହାଇକୋର୍ଟରେ ଖାରଜ

କଟକ (ସଂକେତ୍ ଟିଭି) : ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ସମ୍ପର୍କିତ ଜନସ୍ବାର୍ଥ ମାମଲାର ହାଇକୋର୍ଟରେ ଖାରଜ ହୋଇଛି । ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ବାରବାଟୀ ଟି-୨୦ ପାଇଁ ଗଠିତ ଅଭ୍ୟର୍ଥନା କମିଟି ଖୁବ୍ ଆଶ୍ବସ୍ତ ଅନୁଭବ କରିଛି ।

ସୂଚନା ଅନୁସାରେ, କଟକ ବାରବାଟୀ ଷ୍ଟାଡିୟମର ସ୍ଥାୟୀତ୍ବ, ଅଗ୍ନି ନିରାପତ୍ତା ଓ କଡା ସୁରକ୍ଷା ବ୍ୟବସ୍ଥା ନଥିବାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ଜୁନ୍ ମାସ ୧୨ ତାରିଖରେ ଭାରତ ଓ ସାଉଥଆଫ୍ରିକା ଟି-ଟ୍ବଣ୍ଟି ମ୍ୟାଚ୍ ହେବାକୁ ଯାଉଛି । ତେବେ ମ୍ୟାଚକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଟି-୨୦ ମ୍ୟାଚ୍ ବନ୍ଦ କରିବାକୁ ଭୁବନ ବ୍ଲକ୍ ଅନ୍ତର୍ଗତ ଅନନ୍ତପୁର ଗ୍ରାମର ସମାଜସେବୀ ସଞ୍ଜୟ କୁମାର ନାଏକ ପିଟିସନରେ ଆବେଦନ କରିଥିଲେ ।

ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ନେଇ ପିଟିସନରେ ଉଲ୍ଲେଖ ରହିଥିଲା । ସେ ଅଭିଯୋଗରେ ଦର୍ଶାଇଥିଲେ ଯେ ବାରବାଟୀ ଷ୍ଟାଡିୟମରେ ଦର୍ଶକମାନଙ୍କ ପାଇଁ ପ୍ରଥମେ ସୁରକ୍ଷା ଦିଆଯାଉ ପରେ ମ୍ୟାଚ୍ କରାଯାଉ । ବାରବାଟୀ ଷ୍ଟାଡିୟମର ସ୍ଥାୟୀତ୍ବକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ସମାଜସେବୀ ସଞ୍ଜୟ କୁମାର ନାଏକ । ଏହି ମାମଲାରେ ସଞ୍ଜୟ କୁମାର ନାଏକଙ୍କ ସହ ମୋଟ୍ ୧୫ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପୂର୍ବରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଶେଷ ହୋଇଯିବ ବୋଲି ମାମଲାର ଶୁଣାଣି ବେଳେ ଆଡଭୋଜେଟ ଜେନେରାଲ ସରକାରଙ୍କ ପକ୍ଷ ରଖି କହିଥିଲେ । ତେବେ ସରକାରୀ ସ୍ତରରେ ବାରବାଟୀର ଅଗ୍ନି ନିରାପତ୍ତା ବାବଦୀୟ ଯାହାବି କିଛି ପଦକ୍ଷେପ ନିଆଯାଇଛି ବା ହେବାକୁ ଯାଉଛି ତାହା କୋର୍ଟଙ୍କୁ ସନ୍ତୁଷ୍ଟ କରିପାରିଛି । ତେଣୁ ଦାୟର ଜନସ୍ବାର୍ଥ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ। ଅନ୍ୟପଟେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ମଧ୍ୟ ସମାନ ଆବେଦନ ହୋଇଛି ।

ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, ”କିଛି କୁଚକ୍ରୀ ଗୋଷ୍ଠୀ ଜାଣିଶୁଣି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଏହା ଜନସ୍ବାର୍ଥ ମାମଲା ନଥିଲା ବରଂ ବ୍ୟକ୍ତିଗତ ସ୍ବାର୍ଥ ସମ୍ପର୍କିତ ମାମଲା ଥିଲା । ଯେଉଁ କାରଣରୁ ହାଇକୋର୍ଟ ସେମାନଙ୍କ ମାମଲାକୁ ଖାରଜ କରିଦେଇଛନ୍ତି ।”

କଟକ ମେୟର ସୁବାସ ସିଂ କହିଛନ୍ତି, ଏହା କେବଳ ବାରବାଟୀର କଥା ନୁହେଁ ବରଂ ଏହା ହେଉଛି ରାଜ୍ୟର ସମ୍ମାନର କଥା । ତେବେ ମାମଲା ଦାୟର କରିଥିବା ବ୍ୟକ୍ତିମାନେ ନା ବାରବାଟୀ ଷ୍ଟାଡିୟମ ସମ୍ପର୍କରେ ନା ସରକାରୀ ପଦକ୍ଷେପ ବାବଦରେ କିଛି ଜାଣନ୍ତି ବୋଲି କହିଛନ୍ତି । ଯଦି ବି କିଛି କାମ ବାକି ରହିଯାଇଥିବ, ତାହା ଦିନେ ବା ଦୁଇ ଦିନ ଭିତରେ ଶେଷ ହେବ ବୋଲି ମେୟର ଭରସା ଦେଇଛନ୍ତି ।