ବାରବାଟୀ ଟି-୨୦ ପାଇଁ ଆଜିଠାରୁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ

କଟକ (ସଂକେତ୍ ଟିଭି) : ବାରବାଟୀ ଟି-ଟ୍ବେଣ୍ଟି ପାଇଁ ଆଜିଠାରୁ ଅଫଲାଇନ୍ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଓସିଏ ଅନୁବନ୍ଧିତ ସଂସ୍ଥାଗୁଡିକୁ ଟିକେଟ ବିକ୍ରି କରାଯାଉଛି । ସେପଟେ ଆସନ୍ତା ୯ ତାରିଖରୁ କାଉଣ୍ଟରରେ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି କରାଯିବ । ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ବାରବାଟୀରେ ଖେଳାଯିବାକୁ ଥିବା ଭାରତ- ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ ପାଇଁ ଅନଲାଇନ ଟିକେଟ ବିକ୍ରି ପରେ ଆଜିଠୁ ଆରମ୍ଭ ହୋଇଛି ଅଫଲାଇନ ଟିକେଟ ବିକ୍ରି । ଓସିଏ ସହ ଅନୁବନ୍ଧିତ ଥିବା ସଂଘ, ସ୍କୁଲ, କଲେଜ, କ୍ଲବ ଓ ଅନୁଷ୍ଠାନ ସଂସ୍ଥାକୁ ଟିକେଟ ବିକ୍ରି କରାଯାଉଛି । ଆଜି ଓ ଆସନ୍ତାକାଲି ୭୦ଟି ଅନୁବନ୍ଧିତ ସଂସ୍ଥାକୁ ୮ ହଜାର ଟିକେଟ ବିକ୍ରି କରାଯିବ । ଓସିଏ କନ୍ଫରେନ୍ସ ହଲରେ ସକାଳ ୧୦ ଟାରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । କଟକ ଜିଲ୍ଲା ଆଥଲେଟିକ ସଂଘ ପକ୍ଷରୁ ମେୟର ସୁବାସ ସିଂହ ପ୍ରଥମେ ଟିକେଟ କିଣିଥିଲେ । ଏହାପରେ ବିଭିନ୍ନ କ୍ରୀଡା ସଙ୍ଗଠନ ଓ ଅନ୍ୟ ସଂସ୍ଥାର କର୍ମକର୍ତ୍ତା ଟିକେଟ କିଣିଥିଲେ । କେବଳ ଅନୁମତି ପାଇଥିବା ସଦସ୍ୟଙ୍କୁ ଟିକେଟ ପାଇଁ ଓସିଏ କନ୍ଫରେନ୍ସ ହଲକୁ ଛଡାଯାଉଛି ।

ସେପଟେ ୯ ଏବଂ ୧୦ ତାରିଖରେ ଦର୍ଶକଙ୍କ ପାଇଁ କାଉଣ୍ଟରରେ ଟିକେଟ୍ ମିଳିବ । ସକାଳ ୯ଟାରୁ କାଉଣ୍ଟରରେ ଟିକେଟ ମିଳିବ । ଦର୍ଶକଙ୍କ ପାଇଁ ୧୨ଟି କାଉଣ୍ଟରରେ ୧୨ ହଜାର ଟିକେଟ ବିକ୍ରି କରାଯିବ। ଦର୍ଶକ କିଭଳି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଟିକେଟ କଣିପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ଦୀର୍ଘ ୩ ବର୍ଷ ପରେ ବାରବାଟୀରେ ଏହି ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ।