ବିଶ୍ୱରେ ଭାରତ ଦୁର୍ବଳ ହେଉଛି : ରାହୁଲ ଗାନ୍ଧି

ନୂଆଦିଲ୍ଲୀ (ସଂକେତ୍ ଟିଭି) : ପେଗମ୍ବର ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମାଙ୍କ ବୟାନ ବିରୋଧରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ତାଙ୍କ ବୟାନକୁ ନେଇ ଗଲଫ ଦେଶଗୁଡିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛନ୍ତି । ଫଳରେ ଆନ୍ତର୍ଜାତୀୟ ସ୍ତରରେ ଭାରତର ସ୍ଥିତି ଖରାପ ହୋଇଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏହି ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରିଛନ୍ତି ।

ସେ କହିଛନ୍ତି ଯେ ଏହା ହେଉଛି ବିଜେପିର ଏକ ଲଜ୍ଜାଜନକ କୁସଂସ୍କାର । ଏଭଳି ମନ୍ତବ୍ୟ କେବଳ ଆଭ୍ୟନ୍ତରୀଣ କ୍ଷେତ୍ରରେ ବିଭାଜନ ସୃଷ୍ଟି କରିବ ନାହିଁ ବରଂ ବାହ୍ୟ କ୍ଷେତ୍ରରେ ଭାରତ ଦୁର୍ବଳ ହେବ । ବିଜେପିର ଏହି ଲଜ୍ଜ୍ୟା ଜନକ କୁସଂସ୍କାର ମନ୍ତବ୍ୟ ଆମକୁ ଏକ ଘରକିଆ କରିବ । ବିଶ୍ୱରେ ଥିବା ଭାରତର ସ୍ଥିତି ଧ୍ୱଂସ ପାଇଯିବ ।

ସୂଚନାଯୋଗ୍ୟ ନୁପୁରଙ୍କ ଏହି ବୟାନଙ୍କୁ ନେଇ କତାର୍‌, ସାଉଦିଆରବ ସମେତ ଅନେକ ଇସ୍‌ଲାମିକ୍‌ ଦେଶ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସେମାନେ ଭାରତର ସାମଗ୍ରିକୁ ନ କିଣିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ । କୁଏତ୍‌, କତାର ଓ ସାଉଦିଆରବର ବୈଦେଶିକ ମନ୍ତ୍ରୀମାନେ ଏହାକୁ ନିନ୍ଦା କରିବା ସହ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲେ । ତେବେ ବିଶ୍ୱ ସମୁଦାୟରେ ଏକ ଘରକିଆ ସ୍ଥିତି ସୃଷ୍ଟି ହେବାପରେ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କୁ ନିଲମ୍ବିତ କରିଥିଲା ଓ ଏହି ବୟାନକୁ ସମର୍ଥନ କରିଥିବା ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ବହିସ୍କାର କରିଥିଲା ।

ହେଲେ ଏହାକୁ ନେଇ ଏବେ ସମଗ୍ର ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାହୁଲ ଗାନ୍ଧି ଏହା ଉପରେ ଟ୍ୱିଟ୍‌ କରିଥିଲେ । ଆଜି ଇସ୍‌ଲାମିକ୍‌ କୋଅପରେସନ୍‌ ବା ଓଆଇସି ମଧ୍ୟ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛି । ସେମାନେ ଉଲ୍ଲେଖ କରିଛନ୍ତି ଯେ ଭାରତ ଇସ୍‌ଲାମ୍‌କୁ ଏବେ ଗାଳି ଦେବା ସହ ଘୃଣା କରିବା ଆରମ୍ଭ କରିଛି । ଏହା ଏକ ବ୍ୟବସ୍ଥିତ ପରମ୍ପରା ମୁସ୍‌ଲିମ୍‌ଙ୍କ ବିରୋଧରେ ଆରମ୍ଭ ହୋଇଛି ।

ସେହିଭଳି ବିଭିନ୍ନ ବିରୋଧୀ ଦଳର ନେତାମାନେ ମଧ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି । ତେଲେଙ୍ଗାନା ମନ୍ତ୍ରୀ କେଟି ରାମାରାଓ ପ୍ରଶ୍ନ ଉଠାଇଛନ୍ତି ଯେ ବିଜେପିର ଏଭଳି ଘୃଣିତ ମନ୍ତବ୍ୟ ପାଇଁ କ’ଣ ଦେଶ କ୍ଷମା ମାଗିବ । ବିଜେପି ପ୍ରଥମେ ସବୁ ଭାରତୀୟଙ୍କୁ କ୍ଷମା ମାଗୁ । ଏଭଳି ଘୃଣିତ ମନ୍ତବ୍ୟ ସେମାନେ ଦୈନନ୍ଦିନ ଦେବାରେ ଲାଗିଛନ୍ତି । ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ ମଧ୍ୟ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି ।