ସବୁ ଦଳ ଫୋକସରେ ପଶ୍ଚିମ ଓଡ଼ିଶା

ଭୁବନେଶ୍ବର (ସଂକେତ୍ ଟିଭି) : ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ଲାଗି ଏବେଠୁ ରାଜନୈତିକ ଦଳଗୁଡିକ ଅଙ୍କକଷା ଆରମ୍ଭ କରିଲେଣି । ପଶ୍ଚିମ ଓଡ଼ିଶାରେ ଦବ୍‌ଦବା ବଜାୟ ରଖିଥିବା ବିଜେପିକୁ ଚେକ୍‌ ଦେବାପାଇଁ ବିଜେଡି ତା’ର ରଣନୀତି ପ୍ରସ୍ତୁତ କରିଥିବାବେଳେ କଂଗ୍ରେସ ମଧ୍ୟ ସମ୍ପୃକ୍ତ ଅଞ୍ଚଳକୁ ଟାର୍ଗେଟ କରିଛି । ୨୦୧୪ ନିର୍ବାଚନରେ ବିଜେପି ପଶ୍ଚିମ ଓଡ଼ିଶାର ସମସ୍ତ ୫ ଲୋକସଭା ଆସନରେ ବିଜୟୀ ହୋଇଥିଲା । ଏବେ ଏହି ଆସନଗୁଡିକ ଉପରେ ବିଜେଡି ଆଖି ପକାଇଛି ।

ସେହିଭଳି କଂଗ୍ରେସ ମଧ୍ୟ ପଶ୍ଚିମ ଓଡ଼ିଶାକୁ ଟାର୍ଗେଟ କରି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ଶରତ ପଟ୍ଟନାୟକଙ୍କୁ ନିଯୁକ୍ତି ଦେଇଛି । ଶରତ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର ନେତା । ସେ ସାଂସଦ ଥିବାବେଳେ କେବିକେ ଅଞ୍ଚଳର ବିକାଶ ପାଇଁ ସବୁବେଳେ ସ୍ୱର ଉତ୍ତୋଳନ କରୁଥିଲେ । ସଦ୍ୟସମାପ୍ତ ହୋଇଥିବା ବ୍ରଜରାଜନଗର ଉପନିର୍ବାଚନରେ ବିଜେପିକୁ ପଛରେ ପକାଇ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି । ଯାହାକୁ ନେଇ କଂଗ୍ରେସ ମହଲରେ ବେଶ୍‌ ଉତ୍ସାହ ଦେଖାଦେଇଛି । ଆଗାମୀ ଦିନକରେ ଏହି ଉତ୍ସାହ ବଳବତ୍ତର ରହିବ ଓ ବିଜେଡି ସହ ଲଢ଼ିବା ଲାଗି କଂଗ୍ରେସକୁ ଖୋରାକ ଯୋଗାଇବ ବୋଲି ଦଳୀୟ ନେତାମାନେ ଆଶାବ୍ୟକ୍ତ କରିଛନ୍ତି ।

ଅପରପକ୍ଷରେ ବ୍ରଜରାଜନଗର ଉପନିର୍ବାଚନ ଫଳ ଓ ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ଦଳୀୟ ନେତାଙ୍କୁ ଶଙ୍କାରେ ପକାଇଛି । ବିଜେଡି ସହ ଆଉ ବିଜେପି ଲଢ଼ିପାରିବ ନାହିଁ ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି ହୋଇଛି । ୨୦୧୪ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ଥିବା ବିଜେପି ପୁଣି ତୃତୀୟ ସ୍ଥାନକୁ ଫେରିବ ବୋଲି ରାଜନୈତିକ ଗଣାକାରମାନେ ମତବ୍ୟକ୍ତ କଲେଣି ।

ପଶ୍ଚିମଓଡ଼ିଶାରେ ୫ ଲୋକସଭା ଆସନ ସହ ୩୬ ବିଧାନସଭା ଆସନ ରହିଛି । ତେବେ ବିଜେଡି ଟାର୍ଗେଟରେ ଏହି ଆସନଗୁଡିକ ଅଛି । ଏଥିଲାଗି ଦଳ ରଣନୀତି ପ୍ରସ୍ତୁତ କରୁଥିବା ସୂଚନା ମିଳିଛି । ନିକଟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ ପଶ୍ଚିମ ଓଡ଼ିଶାରୁ ୭ ଜଣଙ୍କୁ ମନ୍ତ୍ରୀପଦ ମିଳିଥିବାବେଳେ ଆଉଜଣେ ବିଧାୟକଙ୍କୁ ଉପମୁଖ୍ୟ ସଚେତକ ପଦ ମିଳିଛି । ମନ୍ତ୍ରୀ ଭାବରେ ପ୍ରଦୀପ ଅମାତ୍‌, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ରୋହିତ ପୂଜାରୀ, ନବ ଦାସ, ରାଜେନ୍ଦ୍ର ଢ଼ୋଲକିଆ ଓ ରୀତା ସାହୁ ଶପଥ ନେଇଛନ୍ତି ।

ସେହିଭଳି ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ଉପମୁଖ୍ୟ ସଚେତକ ପଦବୀ ଦିଆଯାଇଛି । ପଶ୍ଚିମ ଓଡ଼ିଶା ଲାଗି ଆଗାମୀ ଦିନରେ ଏମାନେ ବିଜେଡିର ଚେହେରା ହେବେ ବୋଲି ମତ ପ୍ରକାଶ ପାଉଛି । ନିଜର ସଂଗଠନକୁ ମଜଭୁତ କରିବା ଉପରେ ବିଜେଡି ଫୋକସ କରୁଛି । ତେବେ ଅପରପକ୍ଷରେ ବିଜେପିରେ ଅନ୍ତଦ୍ଦ୍ୱର୍ନ୍ଦ ଦେଖାଦେଇଛି । ବ୍ରଜରାଜନଗର ଉପନିର୍ବାଚନରେ ପରାଜୟ ଲାଗି ଦଳୀୟ ନେତାମାନେ ଖୋଲାଖୋଲି ବିଜେପି ନେତା ଅନ୍ତର୍ଘାତୀ କରିଛନ୍ତି ବୋଲି ଗଣମାଧ୍ୟମରେ ବୟାନ ଦେଇଛନ୍ତି । ତେବେ କେଉଁମାନେ ଅନ୍ତର୍ଘାତୀ କରିଛନ୍ତି ତାହା ସ୍ପଷ୍ଟ କରାଯାଇନାହିଁ । ଏଭଳି ସ୍ଥିତିରେ ପଶ୍ଚିମଓଡ଼ିଶା ଆଗାମୀ ଦିନରେ ସବୁ ରାଜନୈତିକ ଦଳର ମୁଖ୍ୟ ଲକ୍ଷସ୍ଥଳ ହେବ ବୋଲି ମତ ପ୍ରକାଶ ପାଉଛି ।