ବାହାରିଲା କ୍ୟାନସର ଔଷଧ, ମେଡିସିନ ଖାଇ ସୁସ୍ଥ ହେଲେ ୧୮ ଜଣ କ୍ୟାନସର ରୋଗୀ
ନୂଆଦିଲ୍ଲୀ (ସଂକେତ୍ ଟିଭି) : ନ୍ୟୁୟର୍କରେ ରେକ୍ଟାଲ କ୍ୟାନସରରେ ପୀଡିତ କିଛି ରୋଗୀଙ୍କ ଉପରେ ପରୀକ୍ଷାମୂଳକ ଭାବେ ଏକ ଔଷଧର ପ୍ରୟୋଗ କରାଯାଇଥିଲା । ୧୮ ଜଣ ରେକ୍ଟାଲ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ଦିଆଯାଇଥିଲା ସେହି ଏକା ଏକା ଔଷଧ । ଚିକିତ୍ସା ଥିଲା ପରୀକ୍ଷାମୂଳକ । କିନ୍ତୁ ୬ ମାସର ଚିକିତ୍ସା ପରେ ଏହାର ଫଳାଫଳ ଥିଲା ଅତି ଚମତ୍କାର ହୋଇଛି । ସବୁ ରୋଗୀ କ୍ୟାନସରମୁକ୍ତ ହୋଇଥିବା ଜଣା ପଡିଛି ।
ସୂଚନା ମୁତାବକ ସେମାନଙ୍କୁ ଦୋସ୍ତାରଲିମାବ ନାମକ ଏକ ଔଷଧ ଦିଆଯାଇଥିଲା । ଆଉ ୬ ମାସ ପରେ ସବୁ ରୋଗୀଙ୍କ ଟ୍ୟୁମର ଉଭେଇଯାଇଥିଲା । ଏହା ଥିଲା ଏକ ଛୋଟ କ୍ଲିନିକାଲ ଟ୍ରାଏଲ୍ । ଦୋସ୍ତାରଲିମାବ ହେଉଛି ଏକ ପରୀକ୍ଷାଗାର ପ୍ରସ୍ତୁତ ଔଷଧ କଣିକା ଯାହା, ମାନବ ଶରୀରରେ ଆଂଟିବଡି ଭାବେ କାମ କରେ । ଏହି ଔଷଧ ପ୍ରୟୋଗ ଦ୍ବାରା ସବୁ ରୋଗୀ ସୁସ୍ଥ ହୋଇଯାଇଥିଲେ । କ୍ୟାନସର ରୋଗର ଇତିହାସରେ ଏଭଳି ଘଟଣା ପ୍ରଥମ ଥର ପାଇଁ ହୋଇଛି ବୋଲି ନ୍ୟୁୟର୍କର ମେମୋରିଆଲ ସ୍ଲୋଆନ କେଟେରିଙ୍ଗ କ୍ୟାନସର ସେଣ୍ଟରର ଡକ୍ଟର ଲୁଇସ ଏ. ଡିଆଜ କହିଛନ୍ତି ।
ନ୍ୟୁୟର୍କ ଟାଇମସ ରିପୋର୍ଟ ଅନୁସାରେ କ୍ଲିନିକାଲ ଡ୍ରଗ ଟ୍ରାଏଲର ସମ୍ମୁଖୀନ ହୋଇଥିବା ରୋଗୀମାନେ ପୂର୍ବରୁ କେମୋଥେରାପି, ରାଡିଏସନ ଓ ସର୍ଜରୀର ସହାୟତା ନେଇଥିଲେ ମଧ୍ୟ ଆରୋଗ୍ୟ ହୋଇ ନ ଥିଲେ । ଆଉ ସେମାନଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା । କ୍ୟାନସର ଏକ ମାରାତ୍ମକ ବ୍ୟାଧି । ପ୍ରତିବର୍ଷ କ୍ୟାନସରରେ କୋଟିଏରୁ ଅଧିକ ଲୋକ ପ୍ରାଣ ହରାଇଥାଆନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ୨୦୨୦ରେ ବ୍ରେଷ୍ଟ କ୍ୟାନସର, ଫୁସଫୁସ କୋଲୋନ ଓ ରେକ୍ଟମ, ପ୍ରୋଷ୍ଟେଟ୍ , ଚର୍ମ ଓ ପାକସ୍ଥଳୀ କ୍ୟାନସରରେ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲେ । ଫୁସଫୁସ , କୋଲନ ଏବଂ ରେକ୍ଟମ କ୍ୟାନସରରେ ପୀଡିତଙ୍କ ମୃତ୍ୟୁ ସଂଖ୍ୟା ଅଧିକ ଥିଲା ।