ପୁଣି ବଢିଲା ରେପୋ ରେଟ୍, ମହଙ୍ଗା ହେବ ଋଣ. ବଢିଯିବ ଇଏମ୍‌ଆଇ ବୋଝ

ମୁମ୍ବାଇ (ସଂକେତ୍ ଟିଭି) : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ବୁଧବାର ଦିନ ରେପୋ ରେଟ୍‌ରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । କ୍ରମାଗତ ଦ୍ବିତୀୟ ମାସରେ ସୁଧହାର ବଢାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏହି ବୃଦ୍ଧି ପରେ ରେପୋ ରେଟ୍ ୪.୪୦ ପ୍ରତିଶତରୁ ବୃଦ୍ଧି ପାଇ ୪.୯୦ ପ୍ରତିଶତ ହୋଇଯାଇଛି । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର ଦିନ ମନିଟରୀ ପଲିସି କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ପ୍ରେସ୍‌ମିଟ୍‌ରେ ସୂଚନା ପ୍ରଦାନ କରିଛନ୍ତି ।

ଏହା ପୂର୍ବରୁ ଆରବିଆଇ ମେ ୪ରେ ହଠାତ ରେପୋ ରେଟ୍‌ରେ ୪୦ ବେସିସ ପଏଣ୍ଟ ବୃଦ୍ଧି କରିଥିଲା । ଏହି ପରିପ୍ରେକ୍ଷୀରେ ସିଆରଆରକୁ ମଧ୍ୟ ୦.୫୦ ପ୍ରତିଶତ ବୃଦ୍ଧି କରି ୪.୫ ପ୍ରତିଶତ କରାଯାଇଥିଲା । ଦେଖିବାକୁ ଗଲେ ପ୍ରାୟ ମାସକ ମଧ୍ୟରେ ଦ୍ବିତୀୟ ଥର ପାଇଁ ରେପୋ ରେଟ୍ ବୃଦ୍ଧି ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ଦେଶରେ ମୁଦ୍ରାସ୍ଫିତୀ ଦର ଲଗାତର ୬ ପ୍ରତିଶତ ଉପରେ ରହିଛି । ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ ଆରବିଆଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଆରବିଆଇ ତରଫରୁ ରେପୋ ରେଟ୍ ବୃଦ୍ଧିର ପ୍ରଭାବ ବ୍ୟାଙ୍କଗୁଡିକର କୋଟି କୋଟି ଗ୍ରାହକଙ୍କ ଉପରେ ପଡିବ । ରେପୋ ରେଟ୍ ବୃଦ୍ଧି ଯୋଗୁଁ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ଦିଆଯାଉଥିବା ଋଣ ମହଙ୍ଗା ହୋଇଯିବ । ସୁଧ ହାର ବୃଦ୍ଧିର ପ୍ରଭାବ ଇଏମଆଇ ଉପରେ ମଧ୍ୟ ପଡିବ । ପୂର୍ବାପେକ୍ଷା ଗ୍ରାହକଙ୍କ ପାଇଁ ଇଏମଆଇ ବଢିଯିବ ।

ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ଆକଳନକୁ ମଧ୍ୟ ବୃଦ୍ଧି କରିଛି । ମୁଦ୍ରାସ୍ଫୀତି ୬.୭ ପ୍ରତିଶତ ରହିବ ବୋଲି କହିଛି ଆରବିଆଇ । ଅନ୍ୟପଟେ ଦେଶରେ ଉଚ୍ଚ ମୁଦ୍ରାସ୍ଫୀତି ମଧ୍ୟରେ ପୁନର୍ବାର ଭାରତର ଆର୍ଥିକ ଅଭିବୃଦ୍ଧି ଆକଳନକୁ ହ୍ରାସ କରିଛି ବିଶ୍ବ ବ୍ୟାଙ୍କ ।

ପୂର୍ବରୁ ବିଶ୍ବ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ୮.୭ ପ୍ରତିଶତରୁ ୮ ପ୍ରତିଶତକୁ ହ୍ରାସ କରିଥିଲା । ଏବେ ପୁଣି ଅଭିବୃଦ୍ଧି ୭.୫ ପ୍ରତିଶତ ରହିବା ନେଇ ଆକଳନ କରିଛି । ବିଶ୍ବର ପ୍ରମୁଖ ରେଟିଂ ଏଜେନ୍ସିଂ ଗୁଡିକ ମଧ୍ୟ ଭାରତ ପାଇଁ ନିଜ ଅଭିବୃଦ୍ଧି ଆକଳନରେ ସଂଶୋଧନ କରିଛି । ମୁଦ୍ରାସ୍ଫୀତି ପ୍ରଭାବରେ ଭାରତର ଅଭିବୃଦ୍ଧି ୯.୧ ପ୍ରତିଶତ ନୁହେଁ ୮.୮ ପ୍ରତିଶତ ରହିବ ବୋଲି କହିଛି ମୁଡିସ୍ । ସେହିପରି ଫିଚ୍, ଆଇଏମଏଫ ମଧ୍ୟ ନିଜ ଆକଳନକୁ ହ୍ରାସ କରିଛନ୍ତି ।