ଗ୍ୟାସଲାଇଟ୍‌ ଓ ଦ ଇମ୍ମୋର୍ଟଲ ଅଶ୍ୱତ୍ଥାମାରେ ନଜର ଆସିବେ ସାରା ଅଲ୍ଲୀ ଖାନ

ମୁମ୍ବାଇ (ସଂକେତ୍ ଟିଭି) : ସାରା ଅଲ୍ଲୀ ଖାନ ସର୍ବଦା ତାଙ୍କର ଗ୍ଲାମର ଫଟୋ ଏବଂ ଫିଲ୍ମକୁ ନେଇ ଲାଇମଲାଇଟ୍‌ରେ ରୁହନ୍ତି । ବେଳେ ବେଳେ ସାରାଙ୍କ ମନ୍ତବ୍ୟକୁ ତାଙ୍କ ପ୍ରଶଂସକମାନେ ଖୁବ ପସନ୍ଦ କରିଥାନ୍ତି । ଅଭିନେତ୍ରୀ ସାରା ଏସମୟରେ ଆବୁଧାବିରେ ଛୁଟି କାଟୁଛନ୍ତି ଏବଂ ତାଙ୍କର ଏକ ବୟାନ ଚର୍ଚ୍ଚାରେ ରହିଛି, ଯାହା ସେ ପ୍ରସିଦ୍ଧ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂସାଲୀଙ୍କ ପାଇଁ ଦେଇଛନ୍ତି । ସଞ୍ଜୟ ଲୀଲାଙ୍କ ସହ ସେ କାମ କରିବାକୁ ଚାହୁଁଛନ୍ତି ବୋଲି ନବାବ ସୈଫ୍‌ଙ୍କ ତନୟା ସାରା କହିଛନ୍ତି । କେବଳ ଏତିକି ନୁହେଁ ଭଂସାଲୀଙ୍କ ଫିଲ୍ମରେ ସେ ଛୋଟ ଭୂମିକା ଚାହୁଁନାହାନ୍ତି ବରଂ ରାଣୀ ଚରିତ୍ରରେ ପରଦାକୁ ଅବତୀର୍ଣ୍ଣ ହେବାକୁ ଇଚ୍ଛା ।

ଶେଷ ଥର ପାଇଁ ସାରା ଅଲ୍ଲୀ ଖାନ ‘ଅତରଙ୍ଗୀ ରେ’ ଫିଲ୍ମରେ ନଜର ଆସିଥିଲେ । ଏହା ଓଟିଟି ରିଲିଜ୍‌ ହୋଇଥିଲେ ମଧ୍ୟ ସାରାଙ୍କ ପ୍ରଦର୍ଶନକୁ ସିନେସମୀକ୍ଷକମାନେ ବେଶ୍‌ ପସନ୍ଦ କରିଥିଲେ । ‘ଅତରଙ୍ଗୀ ରେ’ର ସଫଳତା ପରେ ସାରା ତାଙ୍କର ଫିଲ୍ମ ଚୟନର ପ୍ରକ୍ରିୟାକୁ ବଦଳାଇବା ସହ ପ୍ରତିଟି ଭୂମିକାରେ କାମ କରିବାକୁ ଚାହୁଁଛନ୍ତି, କାରଣ ଏଥିରେ ତାଙ୍କୁ ମଜା ଲାଗୁଛି ବୋଲି ଏକ ପ୍ରତିଷ୍ଠିତ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ପ୍ରକାଶ
କରିଛନ୍ତି ।

ଆଗାମୀ ଦିନରେ ସାରା ଭାରତ ଛାଡ଼ ଆନ୍ଦୋଳନ ଉପରେ ଆଧାରିତ ଏକ ଫିଲ୍ମରେ ନଜର ଆସିବେ । ଏହା ବ୍ୟତୀତ ଆଗକୁ ସେ ଖୁବଶୀଘ୍ର ଆଦିତ୍ୟ ଧରଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଦ ଇମ୍ମୋର୍ଟଲ ଅଶ୍ୱତ୍ଥାମା’ରେ ନଜର ଆସିବେ । ଏହା ବ୍ୟତୀତ ବିକ୍ରାନ୍ତ ମୈସୀଙ୍କ ସହ ଅପକମିଂ ଫିଲ୍ମ ‘ଗ୍ୟାସଲାଇଟ୍‌’ ପାଇଁ ଖୁବ ଉତ୍ସାହିତ ଅଛନ୍ତି । କାରଣ ବିକ୍ରାନ୍ତ ମୈସୀଙ୍କ ପରି ପ୍ରତିଭାଶାଳୀ କଳାକାରଙ୍କ ସହ ସାରା ପ୍ରଥମ ଥର ପାଇଁ ରୋଲ କରୁଛନ୍ତି ।