୧୫ପରେ ସକ୍ରିୟ ହେବ ମୌସୁମୀ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ମୌସୁମୀର ଲୁଚକାଳି ଖେଳ ସାରା ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଲୁ ପ୍ରବାହ ଯୋଗୁଁ ଲୋକେ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଥିବାବେଳେ ଜୁନ୍ ୧୫ ପରେ ମୌସୁମୀ ସକ୍ରିୟ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ସମେତ ୭ଟି ରାଜ୍ୟରେ ଏବେ ରୌଦ୍ରତାପରେ ଲୋକେ ଅତିଷ୍ଠ ହୋଇପଡ଼ିଲେଣି । ଗତ ୩ଦିନ ହେବ ଏଠାରେ ତାପମାତ୍ରା ୪୪ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି । ଆହୁରି ଗୋଟିଏ ସପ୍ତାହ ଲୋକଙ୍କୁ ଏଭଳି ଗ୍ରୀଷ୍ମରେ ଛଟପଟ ହେବାକୁ ପଡ଼ିବ ବୋଲି ଆଇଏମ୍‌ଡି ସତର୍କ କରିଛି ।

ସେପଟେ ଓଡିଶାରେ ମଧ୍ଯ ମୌସୁମୀ ବିଳମ୍ୱରେ ଆସିବ। ଏ ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ୧୩ ତାରିଖ ପର୍ଯ୍ୟନ୍ତ ମୌସୁମୀ ଓଡିଶା ଛୁଇଁବ ନାହିଁ । ସାଧାରଣତ ଜୁନ ୧୨ ରୁ ୧୫ ମଧ୍ୟରେ ମୌସୁମୀ ଓଡିଶା ଛୁଇଁଥାଏ । ବର୍ତ୍ତମାନ ଉତ୍ତର ପଶ୍ଚିମ ପବନ ପାଇଁ ମୌସୁମୀ ବିଳମ୍ବ ହେଉଛି ।