ବିଦ୍ୟୁତ ବିଚ୍ଛିନ୍ନ ମେସେଜ: ସାଇବର ଠକଙ୍କ ନୂଆ କାରସାଦି

ବାଲେଶ୍ବର (ସଂକେତ୍ ଟିଭି) :ଅନଲାଇନ ଲୁଟେରାଙ୍କ ନଜର ଏବେ ରାଜ୍ୟର ବିଦ୍ୟୁତ ଗ୍ରାହକଙ୍କ ଉପରେ । ନିୟମିତ ବିଲ ପଇଠ କରୁଥିବା କିଛି ଗ୍ରାହକଙ୍କ ନିକଟକୁ ଟଙ୍କା ପଇଠ ହୋଇନଥିବାରୁ ଲାଇନ କାଟିଦେବାର ଭୟ ଦେଖାଇ ମେସେଜ ପଠାଉଛନ୍ତି । ଏହି ମେସେଜରେ ଥିବା ଫୋନ ନମ୍ବରଟି ସ୍ଥାନୀୟ ବିଦୁ୍ୟତ ଅଫିସର ଓ ଦିଆଯାଇଥିବା ଲିଙ୍କରେ ଅର୍ଥ ଆଡଜଷ୍ଟ କରିବାକୁ ପଡିବ ବୋଲି କହୁଛନ୍ତି ।

ଏଭଳି ଠକଙ୍କ ହାବୁଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାଲେଶ୍ବରର ଜଣେ ବିଦ୍ୟୁତ ଗ୍ରାହକ । ବାଲେଶ୍ବର ସହରର ମେଘଡମ୍ବରୁ ଅଞ୍ଚଳରେ ରହୁଥିବା ସନ୍ଥମ ପ୍ରସାଦଙ୍କ ମୋବାଇଲକୁ ଗତକାଲି ସକାଳୁ ଏଭଳି ଗୋଟିଏ ମେସେଜ ଆସିଥିଲା । ଏଥିରେ ଉଲ୍ଲେଖ ଥିଲା ଯେ ଆପଣ ଗତମାସର ବିଲ ପଇଠ କରିନାହାନ୍ତି । ତେଣୁ ଆସନ୍ତା କାଲି ସକାଳ ୯.୩୦ ସୁଦ୍ଧା ଆପଣଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛନ୍ନ ହେବ । ଅଧିକ ବିବରଣୀ ପାଇଁ ଦିଆଯାଇଥିବା ସ୍ଥାନୀୟ ବିଦ୍ୟୁତ ଅଫିସର ଫୋନ ନମ୍ବରରେ ଯୋଗାଯୋଗ କରନ୍ତୁ । ବିଦ୍ୟୁତ ଅଫିସର ଫୋନ ନମ୍ବର ଭାବେ ମେସେଜରେ ୮୨୪୯୦୩୬୧୦୪ ନମ୍ବର ଉଲ୍ଲେଖ ଥିଲା ।

ବିଦ୍ୟୁତ ବିଚ୍ଛିନ୍ନ ମେସେଜ ପାଇଲା ପରେ ଶ୍ରୀ ପ୍ରସାଦ ବିବ୍ରତ ହେବା ସହିତ ଗତମାସର ପଇଠ ହୋଇଥିବା ବିଲର ରସିଦ ଖୋଜିଥିଲେ । ସେ ମଇ ୧୬ତାରିଖରେ ରାଜ୍ୟ ସରକାରଙ୍କ ‘ଓଡିଶା ୱାନ’ ପୋର୍ଟାଲ ଜରିଆରେ ବିଲ ପଇଠ କରିବା ସହିତ ଏହା ସଫଳ ଭାବେ ଦାଖଲ ହୋଇଥିବାର ରସିଦ ପାଇଥିଲେ । ତେଣୁ ଦିଆଯାଇଥିବା ନମ୍ବରଟି ସ୍ଥାନୀୟ ବିଦ୍ୟୁତ ଅଫିସର ଭାବି ଫୋନ କରିଥିଲେ । ସେପଟୁ ଉତ୍ତର ଆସିଥିଲା ଯେ ଆପଣ ପଇଠ କରିଥିବା ଅର୍ଥ ଗତମାସରେ ଆଡଜଷ୍ଟ ହୋଇନାହିଁ । ତେଣୁ ଆପଣଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବ ।

ଶ୍ରୀ ପ୍ରସାଦ ଅର୍ଥ ପଇଠ କରିଥିବା ଓ ରସିଦ ତାଙ୍କ ନିକଟରେ ଥିବା କହିବାରୁ ଫୋନ ଧରିଥିବା ବ୍ୟକ୍ତିଜଣଙ୍କ କହିଥିଲା ଯେ ତାଙ୍କ ପାଖକୁ ଲାଇନ କାଟିବାପାଇଁ ନିର୍ଦ୍ଦେଶ ଆସିଛି । ଯଦି ଆପଣଙ୍କ ଲାଇନ ନକାଟିବାକୁ ଚାହୁଁଛନ୍ତି ଓ ଅର୍ଥ ପଇଠ କରିଛନ୍ତି ତେବେ ମେସେଜ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରି ନିଜର ବିଲକୁ ଆଡଜଷ୍ଟ କରିପାରିବେ । ଏହାକୁ ନିଜେ କରିବାକୁ ପଡିବ ।

ତେବେ ଏଥିରେ ସନ୍ଦେହ ହେବାରୁ ଶ୍ରୀ ପ୍ରସାଦ ତୁରନ୍ତ ଟିପିଏନଓଡିଏଲର ବାଲେଶ୍ବରରେ ଥିବା ଗ୍ରାହକସେବା କେନ୍ଦ୍ରକୁ ଯାଇଥିଲେ । ସେଠାକାର କର୍ମଚାରୀମାନେ ମେସେଜଟିକୁ ଦେଖୁ ଦେଖୁ ଏହା ‘ଫେକ ମେସେଜ’ ଓ ଅନେକ ଗ୍ରାହକଙ୍କ ନିକଟକୁ ସାଇବର ଠକଙ୍କର ଏଭଳି ମେସେଜ ଆସୁଥିବା କହିଥିଲେ । ଏଥି ସହିତ ଏଭଳି ମେସେଜ ଆସିଲେ ତୁରନ୍ତ ଟିପିସିଏନଓଡିଏଲର ଗ୍ରାହକସେବା କେନ୍ଦ୍ରକୁ ଫୋନ କରିବାକୁ କହିଥିଲେ ।

ତେବେ ଶ୍ରୀ ପ୍ରସାଦ ଯଦି ବିଦ୍ୟୁତ ଅଫିସର କର୍ମଚାରୀ କହି କଥା ହେଉଥିବା ଲୋକର ନିର୍ଦ୍ଦେଶ ଅନୁଯାୟୀ ଲିଙ୍କଟିକୁ ମୋବାଇଲରେ ଖୋଲିଥାନ୍ତେ ତେବେ ଆଖିପିଛୁଳାକେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଡିଯାଇଥାନ୍ତା ବୋଲି ସାଇବର ବିଶେଷଜ୍ଞମାନେ ମତ ଦେଇଛନ୍ତି । ବର୍ତ୍ତମାନ ପ୍ରବଳ ଗୁଳୁଗୁଳି ଚାଲିଥିବାରୁ ଲୋକେ ବିଦ୍ୟୁତକାଟ ନାଁ ଶୁଣି ଛାନିଆ ହେଉଛନ୍ତି । ତେଣୁ ଏହି ମଉକାରେ ଲାଇନ କାଟ ମେସେଜ ପଠାଇ ଲୋକଙ୍କୁ ଲୁଟିବାପାଇଁ ସାଇବର ଠକମାନେ ଜାଲ ବିଛାଇଥିବା ଜଣାଯାଇଛି । କିଛି ବଡ ଧରଣର ଅଘଟଣ ଘଟିବା ପୂର୍ବରୁ ବିଦ୍ୟୁତ ବିତରଣ କମ୍ପାନୀ ଓ ସାଇବର ପୁଲିସ ପକ୍ଷରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି ।