ଜୁଲାଇ ୧ରୁ ବସ୍ ଧର୍ମଘଟ ଚେତାବନୀ

ଭୁବନେଶ୍ବର (ସଂକେତ୍ ଟିଭି) : ଦଫା ନେଇ ପୂର୍ବରୁ ହୋଇଥିବା ଦାବି ପୂରଣ କରା ନଗଲେ ଆସନ୍ତା ଜୁଲାଇ ୧ ତାରିଖରୁ ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ । ଏଭଳି ଚେତାବନୀ ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଘରୋଇ ବସ୍ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ସଂଘର ସଂପାଦକ ଦେବେନ୍ଦ୍ର କୁମାର ସାହୁ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ୯ ଦଫା ଦାବି ନେଇ ସଂଘ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲା । ବସ୍‌ର ପରମିଟ୍ ଗୁଡିକୁ ତୃତୀୟ ପକ୍ଷକୁ ହସ୍ତାନ୍ତର କରିବା ନିଷ୍ପତି କାର୍ଯ୍ୟକାରୀ ନକରିବା, ବସ୍‌ ଗୁଡିକୁ ସ୍ଥାୟୀ ପରମିଟ୍ ନଦେବା, ମଙ୍ଗୁଳିଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ-୫୫ର ନିର୍ମାଣ କାର୍ଯ୍ୟରେ ବିଳମ୍ବ, ଯାତ୍ରୀବାହୀ ବସ୍‌ ଗୁଡିକ ଜାତୀୟ ରାଜପଥ ଉପରେ ଯାତ୍ରୀ ଓହ୍ଲାଇବା ଓ ଚଢାଇବା ପାଇଁ ସରକାର କୌଣସି ସ୍ଥାନ ନଦେବା, କୋଭିଡ୍ ସମୟରେ ବସ୍‌ ମାଲିକମାନଙ୍କୁ ଋଣ ଯୋଗାଇ ଦେବା ପାଇଁ ସରକାର ଦେଇଥିବା ପ୍ରତିଶୃତି କାର୍ଯ୍ୟକାରୀ ନକରିବା ଏବଂ ଯାତ୍ରୀବାହୀ ବସ୍ ଗୁଡିକରେ ହାଇସ୍ୟୁକ୍ୟୁରିଟି ନମ୍ବର ପ୍ଲଟ୍ ଲଗାଇବା ନିଷ୍ପତି ପ୍ରତ୍ୟାହାର କରିବା ଭଳିଦାବି ସମୂହକୁ ନେଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ରାଜ୍ୟ ସରକାର ଯଦି ଆସନ୍ତା ୩୦ ତାରିଖ ମଧ୍ୟରାତ୍ର ସୁଦ୍ଧା ଏ ସମସ୍ତ ଦାବି ପୂଣ ନକରନ୍ତି, ତେବେ ରାଜ୍ୟର ଘରୋଇ ବସ୍ ଗୁଡ଼ିକ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜୁଲାଇ ୧ ତାରିଖରୁ ଚଳାଚଳ ବନ୍ଦ ରହିବ ବୋଲି ଶ୍ରୀ ସାହୁ କହିଛନ୍ତି ।