ପାକିସ୍ତାନରେ କାର୍‌ କିଣିବା ଉପରେ ଲଗାଇଲା ରୋକ

ଇସଲାମାବାଦ (ସଂକେତ୍ ଟିଭି) :ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଅବସ୍ଥା ଶ୍ରୀଲଙ୍କା ଭଳି ହେବାର ଆଶଙ୍କା ପ୍ରକାଶ ପାଇଛି । ଆର୍ଥିକ ସ୍ତରରେ କାଙ୍ଗାଳ ହେବାକୁ ବସିଥିବା ପାକିସ୍ତାନ ଏବେ ଧନୀ ଲୋକଙ୍କ ଉପରେ ଅଧିକ ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ସେହିପରି ବିତ୍ତୀୟ ନିଅଣ୍ଟର ଚାପକୁ ନିୟନ୍ତ୍ରଣ ଓ ଆଇଏମଏଫ ଠାରୁ ବେଲ ଆଉଟ ଅର୍ଥ ହାସଲ କରିବା ପାଇଁ ପାକିସ୍ତାନ ସରକାର ନିଜ କର୍ମଚାରୀଙ୍କୁ ନୂଆ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ପାକିସ୍ତାନର କୌଣସି ସରକାରୀ କର୍ମଚାରୀ ନୂଆ କାର କିଣି ପାରିବେ ନାହିଁ ବୋଲି ଅର୍ଥମନ୍ତ୍ରୀ ମିଫତା ଇସ୍ମାଇଲ କହିଛନ୍ତି ।

୨୨୦ ମିଲିୟନ ଜନସଂଖ୍ୟା ବିଶିଷ୍ଟ ପାକିସ୍ତାନରେ ଏବେ ଘୋର ଆର୍ଥିକ ସଙ୍କଟ ଦେଖାଯାଇଛି । ଜରୁରୀ ସାମଗ୍ରୀ ଆମଦାନୀ ପାଇଁ ପାକିସ୍ତାନ ପାଖରେ ଆବଶ୍ୟକ ଅର୍ଥ ନାହିଁ । ଦେଶର ବିଦେଶୀ ମୁଦ୍ରା ପାଣ୍ଠି ୧୦ ବିଲିୟନ ଡଲାରରୁ କମ ରହିଛି । ଏହି ଅର୍ଥରେ ଅତି ବେଶୀରେ ୪୫ ଦିନ ଯାଏ ପାକିସ୍ତାନ ଆମଦାନୀ କରିପାରିବ । ସେହିପରି ବୀତ୍ତିୟ ନିଅଣ୍ଟ ଓ ଦେଶରେ ଆର୍ଥିକ ମାନ୍ଦାବସ୍ଥା ମଧ୍ୟ ସ୍ଥିତିକୁ ଆହୁରି ଜଟିଳ କରିଛି । ଏସବୁ ଭିତରେ ଜୁଲାଇ ୧ରୁ ଆରମ୍ଭ ହେଉଥିବା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ଇସ୍ମାଇଲ ନୂଆ ବଜେଟର ବ୍ୟବସ୍ଥା କରିଛନ୍ତି ।

ସେ କହିଛନ୍ତି, ସରକାର ରାଜସ୍ୱ ବୃଦ୍ଧି ପାଇଁ ଦେଶର ଧନୀ ଲୋକଙ୍କ ଉପରେ ଅଧିକ ଟିକସ ଲାଗୁ କରିବେ । ସେହିପରି କାର ଆମଦାନୀ ବନ୍ଦ ହେବ ଓ ସରକାରୀ କର୍ମଚାରୀମାନେ କୌଣସି ପ୍ରକାରର ନୂଆ ଗାଡ଼ି କିଣି ପାରିବେ ନାହିଁ । ତେବେ ଏହି ନିୟମ କେବଳ ସରକାରୀ ଗାଡ଼ି କିଣିବା କ୍ଷେତ୍ରରେ ନା କର୍ମଚାରୀମାନେ ବ୍ୟକ୍ତିଗତ ସ୍ତରରେ ମଧ୍ୟ ନୂଆ ଗାଡ଼ି କିଣିପାରିବେ ନାହିଁ, ସେକଥା ସ୍ପଷ୍ଟ ହୋଇନି ।

ଇସ୍ମାଇଲ ଆହୁରି କହିଛନ୍ତି, ସରକାର ଟିକସ ଛାଡ଼ ନିୟମକୁ ରୋକିବାକୁ ଚେଷ୍ଟା କରିବେ । ଏହାଦ୍ୱାରା ରାଜସ୍ୱ ଆୟ ୭ ଟ୍ରିଲିୟନ ପାକିସ୍ତାନୀ ଟଙ୍କା ବା ୩୪.୬୫ ବିଲିୟନ ଡଲାରକୁ ବୃଦ୍ଧି ପାଇବ । ଏହାଦ୍ୱାରା ରାଜସ୍ୱ ନିଅଣ୍ଟକୁ ଭରଣ କରାଯାଇ ପାରିବ । ୨୦୨୨-୨୩ ଆର୍ଥିକ ବର୍ଷରେ ସରକାର ବିତ୍ତୀୟ ନିଅଣ୍ଟକୁ ଜିଡିପିର ୪.୯% ରଖିବାକୁ ଯୋଜନା କରିଛନ୍ତି । ବର୍ତ୍ତମାନ ଏହା ୮.୬% ରହିଛି । ଘରୋଇକରଣ ଦ୍ୱାରା ସରକାର ୯୬ ବିଲିୟନ ପାକିସ୍ତାନୀ ଟଙ୍କା ଆୟ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଥିବା ସେ ସୂଚନା ଦେଇଛନ୍ତି ।

ଆଇଏମଏଫ ସର୍ତ୍ତକୁ ଅନୁପାଳନ କରି ଦାମୀ ତେଲ ଉପରେ ସରକାର ଦେଉଥିବା ସବସିଡିକୁ ପାକିସ୍ତାନରେ ପ୍ରତ୍ୟାହାର କରାଯାଇଛି । ଫଳରେ ତୈଳ ଦର ୪୦% ବୃଦ୍ଧି ପାଇଛି । ଚଳିତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିକ ଅଭିବୃଦ୍ଧି ୫.୯୭% ରହିଛି । ହେଲେ ୨୦୨୨-୨୩ରେ ଏହା ୫% ବେଗରେ ବଢିବ । ସେହିପରି ମୁଦ୍ରାସ୍ପୀତି ୧୧.୫% ରହିବ ବୋଲି ଇସ୍ମାଇଲ ସୂଚନା ଦେଇଛନ୍ତି ।