ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ହେବେ ଏକଜୁଟ୍‌!

ନୂଆଦିଲ୍ଲୀ (ସଂକେତ୍ ଟିଭି) : ରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବା ପରେ ଏବେ ବିରୋଧୀ ଦଳ ଗୁଡ଼ିକ ସକ୍ରିୟ ହୋଇଉଠିଛନ୍ତି । ଏହି ପରିପ୍ରେକ୍ଷୀରେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ୧୫ ତାରିଖରେ ଦିଲ୍ଲୀର କନ୍‌ଷ୍ଟିଚ୍ୟୁସନ୍ କ୍ଲବରେ ବିରୋଧୀ ମୁଖ୍ୟମନ୍ତ୍ରୀ ଓ ନେତାଙ୍କ ସହ ଏକ ସଂଯୁକ୍ତ ବୈଠକରେ ଅଂଶଗ୍ରହଣ କରିବେ ।

ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍‌, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ଆର୍‌ଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବ ପ୍ରମୁଖ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ମମତା ବାନାର୍ଜୀଙ୍କ ଦ୍ୱାରା ଆହୂତ ଏହି ସଂଯୁକ୍ତ ବୈଠକରେ ୨୨ ନେତାଙ୍କୁ ଚିଠି ଲେଖାଯାଇଛି । ସିପିଆଇ ଜେନେରାଲ ସେକ୍ରେଟାରୀ ଡି ରାଜା, ସିପିଆଇଏମ୍‌ ଜେନେରାଲ ସେକ୍ରେଟାରୀ ସୀତାରାମ୍‌ ୟେଚୁରୀ, ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବ, ଏନ୍‌ସିପି ଅଧ୍ୟକ୍ଷ ଶରଦ ପାୱାର, ରାଷ୍ଟ୍ରୀୟ ଲୋକଦଳ ପ୍ରମୁଖ ଜୟନ୍ତ ଚୌଧୁରାୀ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ା, ନ୍ୟାସନାଲ୍‌ କନ୍‌ଫରେନ୍ସ ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା, ପିୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ଅଧ୍ୟକ୍ଷ ମହବୁବା ମୁଫ୍‌ତି, ଶିରୋମଣି ଅକାଳୀ ଦଳ ଅଧ୍ୟକ୍ଷ ସୁଖବୀର ସିଂ ବାଦଲ, ସିକ୍କିମ୍‌ ଡେମୋକ୍ରାଟିକ୍ ଫ୍ରଣ୍ଟ ଅଧ୍ୟକ୍ଷ ପବନ ଚାମଲିଙ୍ଗ ଓ ଆଇୟୁଏମ୍‌ଏଲ୍ ଅଧ୍ୟକ୍ଷ ଏମ୍‌ କାଦିର ମୋହିଦ୍ଦିନଙ୍କୁ ଏହି ବୈଠକରେ ଯୋଗ ଦେବା ପାଇଁ ମମତାଙ୍କ ପକ୍ଷରୁ ଆମନ୍ତ୍ରିତ କରାଯାଇଛି ।

କିଛିଦିନ ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ପକ୍ଷରୁ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ପ୍ରାର୍ଥୀ କରିବା ପାଇଁ ମମତା ବାନାର୍ଜୀ, ଡିଏମ୍‌କେ, ଭାକପା, ମାକପା ତଥା ଆପ୍‌ ପକ୍ଷରୁ ବିସ୍ତୃତ ଚର୍ଚ୍ଚା କରାଯାଇଥିଲା । ସୂଚନାଥାଉକି ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁନ୍ ୧୫ରେ ଅଧିସୂଚନା ଜାରି କରାଯିବା ସହ ଜୁଲାଇ ୧୮ରେ ମତଦାନ ଓ ଜୁଲାଇ ୨୧ ତାରିଖରେ ଫଳାଫଳ ଆସିବ ।