EducationFeaturedLatest

ଖରାଛୁଟି ପରେ ଲାଗୁ ହେବ ନୂଆ ଶିକ୍ଷା ନିୟମାବଳୀ

ଭୁବନେଶ୍ବର (ସଂକେତ୍ ଟିଭି) : ସମଗ୍ର ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଏବେ ଖରାଛୁଟି ଚାଲିଛି । ଏହି ଛୁଟି ସରିବା ପରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ । ନୂଆ ଶିକ୍ଷାବର୍ଷରେ ଯେପରି ଶତପ୍ରତିଶତ ପାଠ୍ୟଖସଡ଼ା ଶେଷ ହୋଇପାରିବ ତଥା ପିଲାଙ୍କୁ ଠିକଣା ଢଙ୍ଗରେ ଶିକ୍ଷାଦାନ ଦେଇହେବ ସେଥିନିମନ୍ତେ ପ୍ରସ୍ତୁତ ହେଉଛି ନୂଆ ଶିକ୍ଷା ନିୟମାବଳୀ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସେ କହିଛନ୍ତି, ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା) ପକ୍ଷରୁ ଏହି ନୂଆ ନିୟମାବଳୀ ଜାରି କରାଯାଇଛି । ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷା ପ୍ରକଳ୍ପ ସଂଯୋଜକଙ୍କୁ ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଅନୁମ ଶାହା ଚିଠି ଲେଖିଛନ୍ତି । ଏଥିରେ ଉଲ୍ଲେଖ କରାଯାଇଛି ଯେ, କରୋନା ମହାମାରୀ ସମୟରେ ପାଠପଢ଼ାରେ ହୋଇଥିବା କ୍ଷତିକୁ ଭରଣା କରିବା ପାଇଁ ପ୍ରସ୍ତୁତ ହୋଇଥିବା ପୁସ୍ତକ ସହ ପାଠ୍ୟକ୍ରମ ପୁସ୍ତକ ପଠାଯିବ । ସବୁ ଛାତ୍ରଛାତ୍ରୀ ଯେପରି ଏହି ଦୁଇ ପ୍ରକାରର ପୁସ୍ତକ ପାଇବେ ସେନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଧ୍ୟାନ ଦେବେ । ଶ୍ରେଣୀ ଓ ବିଷୟ ଭିତ୍ତିକ ପାଠପଢ଼ା ସମୟସାରଣୀ ପ୍ରତି ଶ୍ରେଣୀ ଗୃହରେ ବିଦ୍ୟାର୍ଥୀଙ୍କ ପାଇଁ ଏହା ଲଗାଯିବ । ଛାତ୍ରଛାତ୍ରୀଙ୍କ ଦକ୍ଷତା ଯାଞ୍ଚ କରାଯିବ । ଯେଉଁ ଛାତ୍ରଛାତ୍ରୀ ଖରାପ ପ୍ରଦର୍ଶନ କରିବେ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରୟାସ ଜାରି ରହିବ ।

ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ଯୋଗୁଁ ଗତ ୨ ବର୍ଷ ହେବ ସିଲାବସ୍‌ର ଶତପ୍ରତିଶତ ପାଠପଢ଼ା ହୋଇପାରୁନଥିବାରୁ ଶିକ୍ଷାବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବି ର୍ଯ୍ୟସ୍ତ ହୋଇପଡ଼ିଥିଲା । ଏପରିକି କରୋନା ପାଇଁ ବିଦ୍ୟାଳୟଗୁଡ଼ିକରେ ତାଲା ପଡ଼ିଥିବାରୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ନଯାଇ ଅନ୍‌ଲାଇନ୍‌ରେ କ୍ଲାସ୍ କରୁଥିଲେ । ତେବେ ବହୁ ଛାତ୍ରଛାତ୍ରୀ ପାଠପଢ଼ା ମଧ୍ୟ ଛାଡ଼ି ଦେଇଥିଲେ । ଚଳିତ ଶିକ୍ଷାବର୍ଷରେ ସ୍କୁଲ୍‌ ପାଠପଢ଼ା ସମ୍ପୂର୍ଣ୍ଣ ସ୍ୱାଭାବିକ ରହିବ ବୋଲି ଆଶା କରାଯାଉଛି । ଶତପ୍ରତିଶତ ପାଠ୍ୟଖସଡ଼ା ଶେଷ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେ ଏନେଇ ସବୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରି ବିଦ୍ୟାର୍ଥୀମାନେ କିଭଳି ସଠିକ୍ ଶିକ୍ଷା ପାଇପାରିବେ ସେନେଇ ଯୋଜନା ପ୍ରସ୍ତୁତ କରିବେ । ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଠିକ୍‌ ଭାବେ ଶ୍ରେଣୀ କକ୍ଷରେ ପାଠ ପଢ଼ାଉଛନ୍ତି କି ନାହିଁ ସେଥିନେଇ ପ୍ରଧାନ ଶିକ୍ଷକ ଧ୍ୟାନ ଦେବେ । ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଠପଢ଼ା ତଥ୍ୟ ବିଦ୍ୟାଳୟର ସ୍ୱତନ୍ତ୍ର ରେଜିଷ୍ଟ୍ରରରେ ଉଲ୍ଲେଖ ରହିବ । ସେମାନେ ହୋଇଥିବା କ୍ଷତି ଭରଣା ପାଇଁ ଯୋଜନା କରିବେ । ସିଆର୍‌ସିସିମାନେ ନିଜ କ୍ଲଷ୍ଟରରେ ପାଠପଢ଼ା ଉପରେ ତୀକ୍ଷ୍ଣ ନଜର ରଖିବା ସହ ରୀତିମତ ଯାଞ୍ଚ କରିବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ ।