ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ କ୍ରିକେଟ ସିରିଜ୍‌ ଆଇପିଏଲ୍‌ର ସଫଳ ଭାରତୀୟ ଖେଳାଳି ଫେଲ୍‌

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଚଳିତ ଟି-୨୦ କ୍ରିକେଟ ସିରିଜର ପ୍ରଥମ ଦୁଇ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦମଦାର ପ୍ରଦର୍ଶନ ସହିତ ୨-୦ରେ ଅଗ୍ରଣୀ ହୋଇଛି । ଆଉ ଗୋଟିଏ ମ୍ୟାଚ ଜିତି ପାରିଲେ ଦକ୍ଷିଣ ଆଫ୍ରିକା ଆଗୁଆ ସିରିଜ କବଜା କରିନେବ । ତେଣୁ ଏହି ସିରିଜରେ ତିଷ୍ଠି ରହିବା ପାଇଁ ଭାରତୀୟ ଦଳ ଏଠାରେ ଅନୁଷ୍ଠିତ ହେବାକୁ ଥିବା ସିରିଜର ତୃତୀୟ ମ୍ୟାଚରେ ବିଜୟୀ ହେବା ଏକାନ୍ତ ଜରୁରି ।

ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ହେଲା ଯେ ଚଳିତ ବର୍ଷର ଆଇପିଏଲରେ ବିଭିନ୍ନ ଫ୍ରାଞ୍ଚାଇଜ ପାଇଁ ଖେଳିଥିବା ଦକ୍ଷିଣ ଆଫ୍ରିକୀୟ ଖେଳାଳି ମାନେ ଭାରତ ବିକ୍ଷ ଚଳିତ ଟି-୨୦ ସିରିଜରେ ସଫଳ ପ୍ରଦର୍ଶନ କରି ଦଳର ବିଜୟ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିବା ବେଳେ ଆଇପିଏଲରେ ଭଲ ଖେଳି ଥିବା ଭାରତୀୟ ଖେଳାଳି ମାନେ ଏ ପର୍ଯ୍ୟନ୍ତ ସେମାନଙ୍କର ଚମକ ଦେଖାଇ ପାରି ନାହାନ୍ତି ।

ତେଣୁ ଏକାଧିକ ସିନିୟର ଖେଳାଳିଙ୍କ ଅନୁସ୍ଥିତିରେ ଯୁବ ଖେଳାଳିଙ୍କୁ ନେଇ ଗଠି୍‌ତ ଭାରତୀୟ ଦଳ ବିଫଳ ହେବା ସହିତ ୦-୨ରେ ସିରିଜ ପଛୁଆ ହୋଇଛି । କାରଣ ଚଳିତ ଟି- ୨୦ ସିରିଜର ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଭାରତ ଭଲ ବ୍ୟାଟିଂ କରି ୨୧୧ ରନ କରିଥିବା ବେଳେ ଆଇପିଏଲର ସଫଳ ଖେଳାଳିଙ୍କ ଉଚ୍ଚମାନ ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇ ପାରି ଥିଲା । ଏହି ମ୍ୟାଚରେ ଭାରତୀୟ ବୋଲର ଫେଲ ମାରିବା ପରାଜୟର ଅନ୍ୟତମ କାରଣ ଥିଲା ।

ସେହିପରି କଟକର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଭାରତ ବ୍ୟାଟିଂରେ ଫେଲ୍ ହେବାରୁ କେବଳ ୧୪୮ ରନ କରିଥିଲା । ଭାରତୀୟ ବୋଲରଙ୍କ ପ୍ରଦର୍ଶନ ପ୍ରଥମ ମ୍ୟାଚ ଅପେକ୍ଷା ଭଲ ଥିଲେ ହେଁ ପରାଜୟ ଏଡାଇ ପାରିଲେ ନାହିଁ । ତେଣୁ ତୃତୀୟ ମ୍ୟାଚରେ ରିଷଭ ପନ୍ତଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ସବୁ ଦିଗରେ ଭଲ ପ୍ରଦର୍ଶନ କଲେ ବିଜୟ ସମ୍ଭବ ହୋଇ ପାରିବ ।

ମୁଖ୍ୟତଃ ଭାରତୀୟ ଦଳର ଅଧିନାୟକ ରିଷଭ ପନ୍ତ, ଗୁଜରାଟ ଟାଇଟନ୍ସକୁ ଚାମ୍ପିଅନ କରାଇ ଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ,ଶ୍ରେୟସ ଆୟାର ଓ ଦଳର ଅନ୍ୟ କେତେକ ଯୁବ ଖେଳାଳି ଆଇପିଏଲର ସଫଳତା ଏହି ସିରିଜରେ ଦୋହରାଇ ପାରୁ ନାହାନ୍ତି । ତେଣୁ ପ୍ରଥମ ଓ ଦ୍ୱିତୀୟ ମ୍ୟାଚ ଖେଳି ନ ଥିବା ଭାରତୀୟ ଦଳର ଅନ୍ୟ କେତେକ ଖେଳାଳିଙ୍କୁ ତୃତୀୟ ମ୍ୟାଚ ଖେଳିବା ସୁଯୋଗ ଦେବା ନେଇ ବିଚାର ବିମର୍ଷ ଚାଲିଛି ।

ଅନ୍ୟ ପକ୍ଷରେ ଦକ୍ଷିଣ ଆଫ୍ରିକା ପ୍ରଥମ ଓ ଦ୍ୱିତୀୟ ମ୍ୟାଚର ସଫଳତା ଦୋହରାଇ ସିରିଜର ଅବଶିଷ୍ଠ ମ୍ୟାଚ ଜିତିବା ନେଇ ଦୃଢ଼ ଆଶାୟୀ । ତେଣୁ ଭାରତୀୟ ଦଳ ପରବର୍ତ୍ତୀ ମ୍ୟାଚରେ ଜୋରଦାର ଲଢ଼େଇ କରିବାକୁ ପଡିବ ।