ଆସନ୍ତା ଦେଢ଼ ବର୍ଷରେ ମିଳିବ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଆସନ୍ତା ଦେଢ଼ ବର୍ଷରେ ୧୦ ଲକ୍ଷ ଚାକିରି ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦେର ମୋଦୀ ଆଜି ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଘୋଷଣା ଦେଶରେ ବେକାରୀ ସମସ୍ୟା ଦୂର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।

ପ୍ରଧାନମନ୍ତ୍ରୀ ଆଜି ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟର ସମୀକ୍ଷା କରିଛନ୍ତି। ମିଶନ ମୋଡରେ ଚାକିରି ଦେବା ପାଇଁ ପିଏମ ମୋଦି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ଏ ନେଇ ସୂଚନା ଦିଆଯାଇଛି।

ପିଏମଓ ଇଣ୍ଡିଆ ଏକ ଟୁଇଟ୍‌ରେ କହିଛି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟରେ ମାନବ ସମ୍ବଳର ସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ଆସନ୍ତା ଦେଢ ବର୍ଷ ମଧ୍ୟରେ ମିଶନ ମୋଡରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।’ ପିଏମଓର ଏପରି ଘୋଷଣା ଏବେ ବିରୋଧିଙ୍କ ମୁହଁ ଚୁପ କରିଛି। ଖୁବଶୀଘ୍ର ଦେଶର ବେକାରୀ ସମସ୍ୟାରେ ଅବନ୍ନତି ଆସିବ। ଆସନ୍ତା କିଛି ମାସ ମଧ୍ୟରେ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ବିଜ୍ଞାପନ ଦିଆଯିବ ବୋଲି ଆଶା କରାଯାଉଛି।

୨୦୨୪ରେ ସାଧାରଣ ନିର୍ବାଚନ ହେବ। କୁହାଯାଉଛି ଯେ, ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦି ସରକାର ଏଭଳି ଲୋଭନୀୟ ସ୍କିମର ଘୋଷଣା କରିଛନ୍ତି। ସରକାରଙ୍କ ସମସ୍ତ ବିଭାଗରେ ଶହ ଶହ ପଦବୀ ଖାଲି ଅଛି। କିନ୍ତୁ ଦେଢ ବର୍ଷରେ ୧୦ ଲକ୍ଷ ନିଯୁକ୍ତି କେବଳ ନିର୍ବାଚନ ଲଲିପପ୍। ଯଦି ଦେଢବର୍ଷରେ ସରକାର ୧୦ ଲକ୍ଷ ନିଯୁକ୍ତି ଦେବାକୁ ଯାଉଛନ୍ତି, ତେବେ ମାସିକ ହାରାହାରି ୫୫ ହଜାର ପଦବୀ ପୂରଣ କରିବାକୁ ପଡିବ ବୋଲି ବିରୋଧି ଦଳର ନେତାମାନେ କହିଛନ୍ତି।

ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମିର ​​ତଥ୍ୟାନୁସାରେ, ଏପ୍ରିଲରେ ଦେଶର ବେକାରୀ ହାର ୭.୮୩% ଥିବା ବେଳେ ମେ’ରେ ତାହା ୭.୧୨%କୁ ଖସିଛି। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି ଯେ, ଯଦି ଭାରତରେ ବେକାରୀ ହାର ଅଧିକ ରହେ, ତେବେ ଏଥିପାଇଁ ଚାକିରି ବୃଦ୍ଧିରେ ଧ୍ୟାନ ଦେବା ପରିବର୍ତ୍ତେ ଧାର୍ମିକ ବିଭାଜନକୁ ସମର୍ଥନ କରୁଥିବା ‘ଉଦ୍ୟୋଗୀ’ ରାଜନେତାମାନେ ଦାୟୀ। ବିଶେଷକରି ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ପାଇଁ ବେକାରୀ ସମସ୍ୟା ଅଧିକ ଅସମାନତା ଏବଂ ବିଭାଜନ ସୃଷ୍ଟି କରେ।