CulturalLatest

ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ରରେ ଶ୍ରୀ ଦଧିବାମନଙ୍କ ସ୍ନାନଯାତ୍ରା ଏବଂ ଗଜାନନ ବେଶ

ଭଟଲି (ସଂକେତ୍ ଟିଭି) : ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ବରଗଡ଼ ଜିଲ୍ଲା ଭଟଲିର ଶ୍ରୀ ଶ୍ରୀ ଦଧିବାମନ ପୀଠରେ ପବିତ୍ର ଦେବସ୍ନାନ ପୁର୍ଣିମା ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ପ୍ରାତଃ ସମୟରେ ମନ୍ଦିର ସେବକଙ୍କ ଦ୍ୱାରା ଶୁଭ ଶଙ୍ଖ ନାଦ କରି ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ପହଡଭଙ୍ଗ ନୀତି, ଦ୍ୱାର ଫିଟା ନୀତି, ମଙ୍ଗଳ ପ୍ରଦୀପ, ଅଖଣ୍ଡ ଦୀପ ପ୍ରଜ୍ବଳନ, ସୂର୍ଯ୍ୟ ପୂଜା, ଅବକାଶ ନୀତି, ବେଶ ପରିବର୍ତ୍ତନ, ଗୋପାଳ ବଲ୍ଲଭ ଭୋଗ, ଦ୍ୱାରପାଳ ପୂଜା, ରୋଷ ପୂଜା, ସକାଳ ଧୂପ ସମାପନ ହେବାପରେ ମହାପ୍ରଭୁଙ୍କୁ ମଙ୍ଗଳାର୍ପଣ କରାଯାଇଥିଲା ।

ଏହାପରେ ପ୍ରଭୁ ଦଧିବାମନ ରତ୍ନ ସିଂହାସନ ଛାଡି ମନ୍ଦିରସ୍ଥ ସ୍ନାନ ମଣ୍ଡପକୁ ବିଜେ କରିଥିଲେ । ସ୍ନାନ ମଣ୍ଡପରେ ମନ୍ଦିର ପୁରୋହିତ, ପଣ୍ଡିତ, ପୂଜକ ଏବଂ ସେବାୟତଙ୍କ ଦ୍ୱାରା ସ୍ନାନପୂଜାର ସମସ୍ତ ନୀତି କରାଯାଇଥିଲା । ପ୍ରଥମେ ଅଭିମନ୍ତ୍ରିତ ହଳଦୀ ଲେପ କରାଯାଇଥିଲା । ଏହାପରେ ମହାପ୍ରଭୁଙ୍କ ଆବିର୍ଭାବ ସ୍ଥଳ ପବିତ୍ର ଚକ୍ରତୀର୍ଥ ଜଳରେ ଭାରତର ବିଭିନ୍ନ ତୀର୍ଥକ୍ଷେତ୍ର ମାନଙ୍କର ସଂଗୃହିତ ଜଳକୁ ମିଶ୍ରଣ କରାଯାଇ ଅଧିବାସ ହୋଇରହିଥିବା ୧୦୮ କଳସ ଅଭିମନ୍ତ୍ରିତ ଜଳରେ ସମପରିମାଣରେ ଚୁଆ, ଚନ୍ଦନ, କର୍ପୁର, ଅଗୁରୁ ପକାଇ ସମୁଦ୍ର ଜ୍ୟେଷ୍ଠା ମନ୍ତ୍ରରେ ଶାସ୍ତ୍ରୀୟ ଉପଚାର ବିଧି ଅନୁଯାୟୀ ମନ୍ଦିର ପୁରୋହିତ ସ୍ନାନ ମଣ୍ଡପକୁ ଜଳ ବିଜେ କରିଥିଲେ ।

ଏହାପରେ ମହାପ୍ରଭୁଙ୍କୁ ଉକ୍ତ ଅଭିମନ୍ତ୍ରିତ ଜଳରେ ସ୍ନାନ କରାଯାଇଥିଲା । ମହାସ୍ନାନ ପରେ ମହାପ୍ରଭୁଙ୍କ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା । ସମସ୍ତ ଦୈନିକ ନୀତିକାନ୍ତି ସମାପନ ପରେ ମହାପ୍ରଭୁଙ୍କୁ ଦକ୍ଷିଣ ଦିଗକୁ ମୁଖାରବିନ୍ଦ କରି ବିଭିଷଣ ବନ୍ଦାପନା କରାଯାଇଥିଲା । ଶାସ୍ତ୍ର ଅନୁଯାୟୀ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ରଙ୍କୁ ବିଭିଷଣ କହିଥିଲେ, ହେ ପ୍ରଭୁ ମୁଁ କଳିଯୁଗରେ କିପରି ଆପଣଙ୍କ ଶ୍ରୀ ଅଙ୍ଗ ସେବା କରିପାରିବି । ରାମଚନ୍ଦ୍ର ଏଥିରେ ସନ୍ତୁଷ୍ଟ ହୋଇ ବିଭିଷଣଙ୍କୁ ବର ପ୍ରଦାନ କରିଥିଲେ ଓ କହିଥିଲେ ହେ ବିଭିଷଣ ତୁମେ ଚିରଞ୍ଜିବି ହେବ । ପୁରୁଷୋତ୍ତମ କ୍ଷେତ୍ରରେ ଆମ୍ଭକୁ ପ୍ରତିଦିନ ଦର୍ଶନ କରିବ । ଆମ୍ଭେ ଦକ୍ଷିଣାଭିମୁଖୀ ହେଲେ, ତୁମ୍ଭେ ଆମକୁ ବନ୍ଦାପନା କରି ସେବା କରିବ । ଏହାପରେ ସାହାଣମେଳା ଅନୁଷ୍ଠିତ ହୋଇଥିଲା । ଏହି ଆଲୌକିକ ଗଜାନନ ବେଶ ଦର୍ଶନ କଲେ ପୁଣ୍ୟଫଳ ପ୍ରାପ୍ତି ହେବା ସହିତ ଚତୁଃବର୍ଗ ଫଳ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି ।