ବାରବାଟୀ ଟି-ଟ୍ୱେଣ୍ଟିରେ ଟିକେଟ୍ ଜାଲିଆତିର ଗନ୍ଧ !

ଭୁବନେଶ୍ବର (ସଂକେତ୍ ଟିଭି) : ବାରବାଟୀ ଟି-ଟ୍ୱେଣ୍ଟିରେ ଟିକେଟ୍ ଜାଲିଆତିର ଗନ୍ଧ ।ଏହା ମ୍ୟାଚ୍ ଦିନର ଷ୍ଟାଡିୟମ ଭିତରର ଦୃଶ୍ୟ ହିଁ ସ୍ପଷ୍ଟ କରୁଛି । ମ୍ୟାଚ୍ ଆରମ୍ଭ ହେଲା, ସରିଗଲା । କିନ୍ତୁ ଷ୍ଟାଡିୟମର ବିଭିନ୍ନ ଗ୍ୟାଲେରୀରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ରହିଥିଲେ ହଜାର ହଜାର ଦର୍ଶକ । ବସିବାକୁ ଜାଗା ନଥିଲା । ଷ୍ଟାଡିୟମର ଦର୍ଶକ ଧାରଣ କ୍ଷମତା ହେଉଛି ୪୪ ହଜାର ୨୩୪ । ଟିକେଟ୍ ଅନୁସାରେ ସମସ୍ତଙ୍କୁ ବସିବା ପାଇଁ ଜାଗା ମିଳିବା କଥା । କିନ୍ତୁ ପାଖାପାଖି ୬୦ ହଜାର ଦର୍ଶକ ଷ୍ଟାଡିୟମରେ ପ୍ରବେଶ କରିଥିବାରୁ ସିଟ୍‌ ଅନୁସାରେ ବଳକା ଦର୍ଶକ ଛିଡ଼ା ହୋଇ ରହିଲେ ।

ତ୍ରିସ୍ତରୀୟ କଡ଼ା ସୁରକ୍ଷା ଏବଂ ଟିକେଟରେ ବାରକୋଡ୍‌ ବ୍ୟବସ୍ଥା ସତ୍ତ୍ୱେ ଏତେ ସଂଖ୍ୟାରେ ଦର୍ଶକ ଷ୍ଟାଡିୟମକୁ କେମିତି ପ୍ରବେଶ କଲେ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୨୦୧୯ରେ ମଧ୍ୟ ସମାନ ଘଟଣା ଘଟିଥିଲା । ଟିକେଟ୍‌ ସଂଖ୍ୟାନୁଯାୟୀ ଅଧିକ ଦର୍ଶକ ଷ୍ଟାଡିୟମରେ ପ୍ରବେଶ କରିଥିଲେ । ମ୍ୟାଚ୍ ସମୟରେ ହଠାତ ଧରାପଡ଼ିଲା ନକଲି ଟିକେଟ୍ କାରସାଦି । ଯେଉଁଥିରେ କଟକ ଡିସିପିଙ୍କ ଦସ୍ତଖତ ନଥିଲା । ଘଟଣାରେ ଆୟୋଜକ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ) କର୍ତ୍ତୃପକ୍ଷ ହରଡ଼ଘଣାରେ ପଡ଼ିଥିଲେ ।

ତେବେ ମ୍ୟାଚରେ ପୁଣି ଟିକେଟ୍ ସଂଖ୍ୟାରୁ ଅଧିକ ଦର୍ଶକ ପ୍ରବେଶ କରିବା ପରେ ଏବେ ବିବାଦ ଘେରକୁ ଆସିଛି ଓସିଏ । କେବଳ ଓସିଏ ନୁହେଁ, ପୁଲିସ୍ ପ୍ରଶାସନ ମଧ୍ୟ ଏବେ ସନ୍ଦେହ ଘେରରେ । ମୋଟ୍ ୪୪ହଜାର ୨୩୪ ଟିକେଟରୁ ମାତ୍ର ୨୫ ହଜାର ଟିକେଟ୍ ( ଅନ୍ଲାଇନରେ ୫ ହଜାର, କାଉଣ୍ଟରରେ ୧୨ ହଜାର ଏବଂ ଅନୁବନ୍ଧିତ ୟୁନିଟ୍‌କୁ ୮ ହଜାର) ବିକ୍ରି ହୋଇଥିଲା। ବଳକା ଟିକେଟ୍ ପାସ୍ ଆକାରରେ ବାଣ୍ଟିଥିଲା ଓସିଏ ।

ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଳି ଷ୍ଟାର ଖେଳାଳିଙ୍କ ଅନୁସ୍ଥିତ ସତ୍ତ୍ୱେ ମଧ୍ୟ ଲୋକେ ଟିକେଟ୍ କିଣିବାକୁ ବିକଳ ହୋଇଥିଲେ । ଯାହାକୁ ନେଇ କଳାବଜାର ଜୋର୍ ଧରିଥିଲା । ଧାର୍ଯ୍ୟ ମୂଲ୍ୟର ତିନିଗୁଣାରେ ଟିକେଟ୍ କିଣି ଷ୍ଟାଡିୟମକୁ ଦର୍ଶକ ଆସିଥିଲେ । ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଷ୍ଟାଡିୟମ୍‌ ସମ୍ପୂର୍ଣ୍ଣ ପୂର୍ଣ୍ଣ ହୋଇଯାଇଥିଲା । ଏହାପରେ ଯେଉଁ ହଜାର ହଜାର ଦର୍ଶକ ଷ୍ଟାଡିୟମକୁ ପ୍ରବେଶ କରିଥିଲେ ବିଭିନ୍ନ ଗ୍ୟାଲେରୀରେ ସିଟ୍ ନ ମିଳିବାରୁ ଛିଡ଼ା ହୋଇ ରହିଥିଲେ । ସମସ୍ତଙ୍କ ପାଖରେ କିନ୍ତୁ ଟିକେଟ୍‌ ରହିଥିଲା ।

ଆଶ୍ଚର୍ଯ୍ୟର କଥା, ଟିକେଟରେ ବାରକୋଡ୍ ଥାଇ ବି କେମିତି ବଳକା ୧୫ ହଜାର ଦର୍ଶକ ଷ୍ଟାଡିୟମରେ ପ୍ରବେଶ କଲେ? ଏଥିରୁ ପ୍ରମାଣିତ ହେଉଛି ଯେ ନକଲି ଟିକେଟ୍ ସହାୟତାରେ ହିଁ ଦର୍ଶକ ଷ୍ଟାଡିୟମରେ ପ୍ରବେଶ କରିଥିଲେ । ଆଉ ଏଭଳି ବିଭ୍ରାଟ ପଛରେ ଓସିଏ କର୍ତ୍ତୃକ୍ଷ ଓ ପୁଲିସସର ଭୂମିକା ଥିବା ଆଲୋଚନା ହେଉଛି । ଚିହ୍ନା ପରିଚୟରେ ନିଜ ଲୋକଙ୍କୁ ପୁଲିସ୍ ହାତ ଧରି ଭିତରକୁ ନେଇଯିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।

ସେହିପରି ପୁଲିସ୍‌ ଯେଉଁ ମାନଙ୍କୁ ପାସ୍ ଇସ୍ୟୁ କରିଥିଲା ସେମାନଙ୍କ ଷ୍ଟାଣ୍ଡକୁ ପ୍ରବେଶ କରିବା ପାଇଁ କୌଣସି ବାର୍କୋଡ୍ ସ୍କାନ୍ ବ୍ୟବସ୍ଥା ନଥିଲା । ଯାହାଫଳରେ ଯିଏ ଚାହିଁଲା ପାସ୍ ଧରି ପ୍ରବେଶ କଲା । ତେବେ ସେ ପାସ୍ ଅସଲି ନା ନକଲି ସେ ଦିଗରେ କେହି ଧ୍ୟାନ ଦେଉନଥିଲେ । କ୍ଷମତା ଅନୁଯାୟୀ ଟିକେଟ୍ ଓ ପାସ୍‌ ବ୍ୟବସ୍ଥା କରାଯାଇଥିଲା । କ୍ଷମତା ଭିତରେ ଦର୍ଶକ ଉପସ୍ଥିତ ଥିଲେ ବୋଲି ଓସିଏ ପକ୍ଷରୁ କୁହାଯାଇଛି ।