ଦେଶରେ ବଡ଼ ଧରଣର ସାଇବର ଆଟାକ୍, ୫୦୦ ୱେବସାଇଟ୍ ହ୍ୟାକ୍
ନୂଆଦିଲ୍ଲୀ (ସଂକେତ୍ ଟିଭି) : ଦେଶରେ ବଡ଼ ଧରଣର ସାଇବର ଆଟାକ୍ ହୋଇଛି । ମଙ୍ଗଳବାର ଦିନ ଦେଶର ୫୦୦ରୁ ଊର୍ଦ୍ଧ୍ୱ ୱେବସାଇଟକୁ ହ୍ୟାକ୍ କରାଯାଇଛି । ଏଥିରେ ମହାରାଷ୍ଟ୍ରର ଠାଣେ ପୁଲିସ ସାଇଟ୍ ସମେତ ୭୦ ୱେବସାଇଟ୍ ସାମିଲ ଅଛି । ଏହା ମଧ୍ୟରୁ ୩ଟି ସରକାରୀ ସାଇଟ୍ ରହିଛି । ଏହି ମାମଲାରେ ମାଲେସିଆ ଏବଂ ଇଣ୍ଡୋନେସିଆର ହ୍ୟାକରଙ୍କ ଉପରେ ସନ୍ଦେହ ଉପୁଜିଛି ।
ମହାରାଷ୍ଟ୍ର ସାଇବର ସେଲ୍ର ଏଡିଜି ମଧୁକର ପାଣ୍ଡେୟ କହିଛନ୍ତି, ଆମେ ଅନେକ ୱେବସାଇଟ୍ ପୁନଃ କାର୍ଯ୍ୟକ୍ଷମ କରିସାରିଛୁ । ଆହୁରି ଅନେକକୁ କାର୍ଯ୍ୟକ୍ଷମ କରାଇବାକୁ କାମ ଚାଲିଛି । ଘରୋଇ ବିଶ୍ୱବିଦ୍ୟାଳୟର ୱେବସାଇଟ୍ ହ୍ୟାକ୍ କରିବା ପରେ ରାଜ୍ୟର ୭୦ରୁ ଅଧିକ ୱେବସାଇଟ୍ ଉପରେ ଆକ୍ରମଣ କରାଯାଇଥିଲା । ଏଥିମଧ୍ୟରୁ ତିନୋଟି ସରକାରୀ ଥିଲା । ହ୍ୟାକ୍ ହୋଇଥିବା ୱେବସାଇଟ୍ ସଂଖ୍ୟା ୫୦୦ରୁ ଅଧିକ ।
ଏଡିଜି ପାଣ୍ଡେୟ ଆହୁରି କହିଛନ୍ତି ଯେ, ଦେଶରେ ଚାଲିଥିବା ସାମ୍ପ୍ରଦାୟିକ ଉତ୍ତେଜନା ମଧ୍ୟରେ ଅନେକ ସାଇବର ହ୍ୟାର୍କ ମିଶି ଏହି ଆକ୍ରମଣ କରିଛନ୍ତି । ଦେଶରେ ଅନେକ ୱେବସାଇଟ୍ ହ୍ୟାକ୍ ହୋଇଛି । ଏହି ମାମଲାରେ ଦୁଇ ଦେଶ ମଲେଶିଆ ଏବଂ ଇଣ୍ଡୋନେସିଆର ହ୍ୟାକରଙ୍କ ନାମ ସାମ୍ନାକୁ ଆସୁଛି । ଏହି ଗ୍ୟାଙ୍ଗ ଭାରତରେ ସକ୍ରିୟ ଅଛି କି ନାହିଁ ସେ ବିଷୟରେ ଆମେ ଏପର୍ଯ୍ୟନ୍ତ ସୂଚନା ପାଇନାହୁଁ ।
ଠାଣେ ପୁଲିସ ସାଇବର ସେଲ୍ ଡିସିପି ସୁନୀଲ ଲୋଖଣ୍ଡେ କହିଛନ୍ତି ଯେ, ମଙ୍ଗଳବାର ସକାଳ ପ୍ରାୟ ୪ଟା ସମୟରେ ପୁଲିସ ୱେବସାଇଟ୍ ହ୍ୟାକ୍ କରାଯାଇଛି । ବୈଷୟିକ ବିଶେଷଜ୍ଞମାନେ ତଥ୍ୟ ଏବଂ ୱେବସାଇଟ୍ ପୁନଃ ସ୍ଥାପନ କରିଛନ୍ତି । ଘଟଣାର ଯାଞ୍ଚ ଚାଲିଛି । ସରକାରୀ ୱେବସାଇଟ୍ ତଥା ଅନ୍ୟାନ୍ୟ ହ୍ୟାକିଂର ଯାଞ୍ଚ ପାଇଁ ମହାରାଷ୍ଟ୍ର ଗୃହ ବିଭାଗ ରାଜ୍ୟର ସାଇବର ସେଲକୁ ନିର୍ଦ୍ଦେଶ ଦେଇଛି । ଠାଣେ ପୁଲିସ ୱେବସାଇଟ ହ୍ୟାକିଂ ଉପରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି ।