ବିଶ୍ୱକପ୍ ପାଇଁ ଦିନେଶ କାର୍ତ୍ତିକ ଯୋଗ୍ୟ ନୁହଁନ୍ତି : ଗୌତମ ଗମ୍ଭୀର

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଇଣ୍ଡିଆନ ପ୍ରିମିୟର ଲିଗ୍ ସିଜିନ ୨୦୨୨ରେ ଧମାକାଦାର ପ୍ରଦର୍ଶନ କରିଥିବା ଦିନେଶ କାର୍ତ୍ତିକଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି । ଦକ୍ଷିଣ ଆଫ୍ରିକା ବିକ୍ଷ ଟ୍ୱେଣ୍ଟି ଟ୍ୱେଣ୍ଟି ସିରିଜ ପାଇଁ ଦୀର୍ଘ ଦିନ ପରେ ଦଳକୁ ଫେରିଥିବା ଦିନେଶ କାର୍ତ୍ତିକ ପ୍ରଥମ ଦୁଇଟି ମ୍ୟାଚରେ ଅପରାଜିତ ରହିଥିଲେ । କିନ୍ତୁ କାର୍ତ୍ତିକଙ୍କୁ ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଦଳରେ ସାମିଲ କରାଯିବ କି ନାହିଁ ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରିରହିଛି । ଦିନେଶ କାର୍ତ୍ତିକ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଖେଳିବାକୁ ଯୋଗ୍ୟ କି ନାହିଁ ସେ ନେଇ ବୟାନ ଜାରି କରିଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ।

ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ପକ୍ଷରୁ ଖେଳି ଦମଦାର ପ୍ରଦର୍ଶନ କରିଥିବା କାର୍ତ୍ତିକ କିନ୍ତୁ ବିଶ୍ୱକପରେ ଟିମ୍ ଇଣ୍ଡିଆ ସହ ସାମିଲ ହେବାର ସମ୍ଭାବନା ଖୁବ କମ । ଏମିତି ବି ହୋଇପାରେ କାର୍ତ୍ତିକ ଦଳରେ ସାମିଲ ହୋଇନପାରନ୍ତି । ଏଭଳି କହିଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଏକ ସାକ୍ଷାତକାରରେ ଗମ୍ଭୀର କହିଛନ୍ତି, ‘ଦ୍ୱିତୀୟ ଟ୍ୱେଣ୍ଟି ଟ୍ୱେଣ୍ଟିରେ ଦିନେଶ କାର୍ତ୍ତିକଙ୍କ ୨୧ ବଲରୁ ୩୦ରନର ଇନିଂସ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା ।

ଗତ କିଛିଦିନ ହେଲା ଦମଦାର ଫର୍ମରେ ଅଛନ୍ତି କାର୍ତ୍ତିକ । ତେବେ ଦ୍ୱିତୀୟ ମ୍ୟାଚରେ କାର୍ତ୍ତିକ ହୁଏତ ଅକ୍ଷର ପଟେଲଙ୍କ ସ୍ଥାନରେ ବ୍ୟାଟିଂ ଆସିଥିଲେ ଆଉ କିଛି ସ୍କୋର ହୋଇପାରିଥାନ୍ତା’ । ତେବେ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ପାଇଁ ଭାରତୀୟ ଦଳରେ ଦିନେଶ କାର୍ତ୍ତିକଙ୍କୁ ସାମିଲ କରାଗଲେ କିଭଳି ହେବ ପ୍ରଶ୍ନରେ ଗମ୍ଭୀର କହିଛନ୍ତି, ଦିନେଶ କାର୍ତ୍ତିକଙ୍କୁ ବିଶ୍ୱକପ ପାଇଁ ଦଳରେ ସାମିଲ କରିବା ସହଜ ହେବନାହିଁ । ଅନ୍ତତଃ ବର୍ତ୍ତମାନ ପରିସ୍ଥିତିରେ କିଛି କହିବା ଠିକ ହେବ ନାହିଁ ।

ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଏବେ ବିଳମ୍ବ ଅଛି । ତେଣୁ ଏହି ସମୟରେ କାର୍ତ୍ତିକଙ୍କୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ହେବ । ଯଦି ସେ କେବଳ ଶେଷ ୩ ଓଭର ପାଇଁ ବ୍ୟାଟିଂ ଉପରେ ଜୋର ଦେବେ ତ ସ୍ଥିତି ଅଲଗା ହେବ । ଦଳରେ ୭ନମ୍ବର ଖେଳାଳି ଜଣେ ଅଲରାଉଣ୍ଡର ରହିବା ଉଚିତ । ଯିଏକି ବ୍ୟାଟିଂ ବି କରିପାରିବେ ଏବଂ ବୋଲିଂ ବି । ଏହି କ୍ରମରେ ଦେଖିବାକୁ ଗଲେ ଅକ୍ଷର ପଟେଲ ଜଣେ ଭଲ ବିକଳ୍ପ ।

ଗମ୍ଭୀର ଆହୁରି ମଧ୍ୟ କହିଛନ୍ତି, ‘ମୋ ମତରେ ଦିନେଶ କାର୍ତ୍ତିକଙ୍କ ଦଳରେ ସାମିଲ କରାଯାଇପାରିବ ନାହିଁ । କାରଣ ଭାରତ ନିକଟରେ ଋଷଭ ପନ୍ତ, ଦୀପକ ହୁଡ୍ଡାଙ୍କ ଭଳି ଖେଳାଳି ରହିଛନ୍ତି । ଲୋକେସ ରାହୁଲ ଦଳକୁ ଫେରିବାକୁ ଯାଉଛନ୍ତି । ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ, ରୋହିତ ଶର୍ମା, ବିରାଟ କୋହଲି ଦଳକୁ ଫେରିବା ପରେ କାର୍ତ୍ତିକଙ୍କ ପାଇଁ ମୁସ୍କିଲ ବଢିବ । ତେଣୁ କାର୍ତ୍ତିକଙ୍କୁ ଯଦି ପ୍ଲେଇଂ ଇଲେଭେନରେ ସୁଯୋଗ ନମିଳେ ତେବେ ସ୍କ୍ୱାଡରେ ସାମିଲ କରିବାର ଆବଶ୍ୟକତା ମଧ୍ୟ ନାହିଁ’ ।