ଦୀର୍ଘକାଳୀନ ସହବାସ ବିବାହ ସମାନ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଆଜିକାଲି ଅଧିକାଂଶ ଦମ୍ପତି ବିବାହ କରିବା ବଦଳରେ ଲିଭ-ଇନରେ ରହିବା ପାଇଁ ପସନ୍ଦ କରନ୍ତି । ଦୀର୍ଘ ଦିନ ଧରି ଲିଭ-ଇନରେ ରହି ପରସ୍ପରକୁ ଜାଣିବା ପରେ କିଛି ବିବାହ ପାଇଁ ନିଷ୍ପତ୍ତି ନିଅନ୍ତି ତ ଆଉ କିଛି ଅଲଗା ହୋଇଯାଆନ୍ତି । ତେବେ ପ୍ରେମୀଯୁଗଳଙ୍କ ଏହି ଲିଭ୍‌-ଇନକୁ ନେଇ ଏକ ବଡ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ । ଯଦି କୌଣସି ମହିଳା ଓ ପୁରୁଷ ବିବାହ ନକରି ମଧ୍ୟ ଏକାଠି ଦୀର୍ଘ ଦିନ ପର୍ଯ୍ୟନ୍ତ ଲିଭ-ଇନରେ ରୁହନ୍ତି ତେବେ ସେହି ସମ୍ପର୍କ ବିବାହ ସହ ସମାନ । ସେମାନଙ୍କ ଠାରୁ ଜନ୍ମ ନେଇଥିବା ସନ୍ତାନ ପୌତୃକ ସମ୍ପତ୍ତିରେ ଭାଗ ପାଇବେ । ଏହାକୁ ଅଧିନିୟମର ଧାରା ୧୧୪ ଧାରା ଅନ୍ତର୍ଗତ କରାଯିବ ।

ଏନେଇ ଜଷ୍ଟିସ୍‌ ଏସ୍‌. ଅବଦୁଲ ନଜିର ଏବଂ ଜଷ୍ଟିସ୍ ବିକ୍ରମ ନାଥଙ୍କ ମିଳିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ସୁପ୍ରିମ କୋର୍ଟ କହିଛନ୍ତି, ଏହା ସ୍ପଷ୍ଟ ଯେ ଯଦି ଜଣେ ପୁରୁଷ ଏବଂ ଜଣେ ମହିଳା ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ଦୀର୍ଘ ସମୟ ଧରି ଏକାଠି ରୁହନ୍ତି ତେଣୁ ଏହାକୁ ବିବାହ ଭାବରେ ବିବେଚନା କରାଯିବ । ସେମାନଙ୍କର ଠାରୁ ଯେଉଁ ସନ୍ତାନ ସନ୍ତତି ଜନ୍ମ ନେବେ ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ବାପାର ଅଧିକାର ପାଇବାକୁ ସମ୍ପୂର୍ଣ୍ଣ ଯୋଗ୍ୟ ।

ଏହାସହ ପୈତୃକ ସମ୍ପତ୍ତି ପାଇବାକୁ ମଧ୍ୟ ସେମାନେ ସମ୍ପୂର୍ଣ୍ଣ ହକଦାର ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୦୯ରେ କେରଳ ହାଇକୋର୍ଟ ଦେଇଥିବା ଫଇସଲାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଶୁଣାଣି କରି ଏପରି ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ । ଜଣେ ପୁରୁଷ ଓ ମହିଳା ଦୀର୍ଘ ସମୟ ଧରି ଲିଭ୍‌-ଇନରେ ରହିବା ପରେ ଜନ୍ମ ହୋଇଥିବା ଶିଶୁକୁ ପୌତୃକ ସମ୍ପତ୍ତିରେ ଭାଗ ଦେବାକୁ ନେଇ ତଳ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ କେରଳ ହାଇକୋର୍ଟ ଖାରଜ କରିଦେଇଥିଲେ । ଏହାକୁ ନେଇ ଆବେଦନକାରୀ ଜଣକ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଲିଭ୍‌-ଇନକୁ ନେଇ ଏଭଳି ଏକ ରାୟ ଶୁଣାଇଛନ୍ତି ।