ଏଫ୍‌ଡି ଜମାରାଶିର ସୁଧହାର ବୃଦ୍ଧି କଲା ଏସ୍‌ବିଆଇ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଫିକ୍ସଡ୍ ଡିପୋଜିଟ୍‌ରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସୁଧହାର ବୃଦ୍ଧି କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ସପ୍ତାହରେ ରେପୋରେଟ୍‌ ବୃଦ୍ଧି କରିବାରୁ ଏସ୍‌ବିଆଇ ଏଭଳି ପଦକ୍ଷେପ ନେଇଛି । ଏସ୍‌ବିଆଇ ୱେବ୍‌ସାଇଟ୍‌ର ସୂଚନାନୁଯାୟୀ ୨ କୋଟି ଟଙ୍କାରୁ କମ୍ ଖୁଚୁରା ଘରୋଇ ଅବଧି ଜମାରାଶିରେ ସଂଶୋଧିତ ସୁଧହାର ଜୁନ୍‌ ୧୪ରୁ ପ୍ରଭାବୀ ହୋଇଛି ।

ୱେବ୍‌ସାଇଟ୍‌ର ସୂଚନା ମୁତାବକ ୨୧୧ଦିନରୁ ନେଇ କମ୍ ଅବଧିର ଜମା ଉପରେ ସୁଧହାର ୪.୬୦ ପ୍ରତିଶତ ଲାଗୁ ହେବ ଯାହାକି ପୂର୍ବରୁ ୪.୪୦ ପ୍ରତିଶତ ଥିଲା । ବରିଷ୍ଠ ନାଗରିକଙ୍କୁ ୫.୧୦ ପ୍ରତିଶତ ସୁଧହାର ମିଳିବ ଯାହାକି ପୂର୍ବରୁ ୪.୯୦ ପ୍ରତିଶତ ଥିଲା । ଏହି ପ୍ରକାରରେ ଯଦି ଦେଖାଯାଏ ତେବେ ୧ବର୍ଷରୁ ନେଇ ୨ବର୍ଷରୁ କମ୍ ଅବଧି ଜମା ଉପରେ ଗ୍ରାହକଙ୍କୁ ୫.୩୦ ପ୍ରତିଶତ ସୁଧ ମିଳିବ । ଏଥିରେ ୦.୨୦ ପ୍ରତିଶତ ବୃଦ୍ଧି ହୋଇଛି । ଦୁଇରୁ ୩ ବର୍ଷରୁ କମ୍‌ ଅବଧି ଜମାରାଶି ଉପରେ ୫.୩୫ ପ୍ରତିଶତ ସୁଧହାର ମିଳିବ ବୋଲି ଏସ୍‌ବିଆଇ ସୂଚନା ଦେଇଛି ।