ଚିତ୍କାର କରି କରୁଛନ୍ତି କୋଟି କୋଟି ଟଙ୍କା ରୋଜଗାର

ଓ୍ବାସିଂଟନ (ସଂକେତ୍ ଟିଭି) : ଆମେରିକାର ଆସ୍‌ଲି ପେଲ୍‌ଡନ୍ ଏମିତି ଜଣେ ପେସାଦାର କଳାକାର ଯିଏ ଜୋର ପାଟିରେ ଚିତ୍କାର କରି ଜୀବିକା ନିର୍ବାହ କରୁଛନ୍ତି । ବାସ୍ତବରେ ହଲିଉଡ୍ ଚଳଚ୍ଚିତ୍ର ଓ ଟିଭି କାର୍ଯ୍ୟକ୍ରମରେ ଅଭିନେତ୍ରୀମାନଙ୍କ ସ୍ଥାନରେ ନିଜର ଚିତ୍କାରର ସ୍ୱର ଦେବା ପାଇଁ ସେ ଘଣ୍ଟା ଘଣ୍ଟା ଧରି ବିଭିନ୍ନ ସ୍ୱରରେ ଭୟଙ୍କର ଚିତ୍କାର କରନ୍ତି । ଚିତ୍କାର କରିବା ଏକ ସାଧାରଣ କଥା ମନେ ହେଉଥିଲେ ହେଁ ଏହା ଅଭିନେତା-ଅଭିନେତ୍ରୀଙ୍କର ସ୍ୱରକୁ ସାମୟିକ ବା ସ୍ଥାୟୀ ଭାବେ କ୍ଷତିଗ୍ରସ୍ତ କରିପାରେ । ଏହା ଚଳଚ୍ଚିତ୍ର ସୁଟିଂରେ ବ୍ୟାଘାତ ସୃଷ୍ଟି କରିବାର ଆଶଙ୍କା ଥାଏ ।

ତେଣୁ ବିପଜ୍ଜନକ ଦୃଶ୍ୟ ସୁଟିଂ ପାଇଁ ଯେମିତି ପେସାଦାର ଷ୍ଟଣ୍ଟ୍‌ସମ୍ୟାନ୍ ଥାଆନ୍ତି ସେହିଭଳି ଭାବେ ଅଭିନେତା-ଅଭିନେତ୍ରୀଙ୍କ ଚିତ୍କାର କରିବାର ଦୃଶ୍ୟ ଥିଲେ ସେମାନଙ୍କ ସ୍ଥାନରେ ଆସ୍‌ଲିଙ୍କ ଭଳି ପେସାଦାର କଙଋ ଦେଇଥାନ୍ତି । ଆସ୍‌ଲିଙ୍କ ଚିତ୍କାର କରିବାର ଦକ୍ଷତା ସାନ ବେଳୁ ଜଣାପଡ଼ିଥିଲା । ତାଙ୍କୁ ମାତ୍ର ସାତ ବର୍ଷ ବୟସରେ ‘ଚାଇଲ୍‌ଡ ଅଫ ଆଙ୍ଗର’ ଶୀର୍ଷକ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ଏହି ଚଳଚ୍ଚିତ୍ରରେ ସେ ଦୀର୍ଘ ସମୟ ଧରି ଚିତ୍କାର କରିବାର ଦୃଶ୍ୟମାନ ରହିଛି । ଏହା ତାଙ୍କୁ ଏକ ଉଜ୍ଜ୍ୱଳ କ୍ୟାରିୟର ପାଇଁ ବାଟ କଢ଼ାଇଥିଲା ।

୨୦ ବର୍ଷ ବୟସ ବେଳକୁ ସେ ୪୦ରୁ ଅଧିକ ଚଳଚ୍ଚିତ୍ର ଓ ଧାରାବାହିକରେ କାମ କରିସାରିଥିଲେ । ଦୃଶ୍ୟର ଆବଶ୍ୟକତା ଅନୁଯାୟୀ ସେ ଭୟ, କ୍ରୋଧ, ଖୁସି, ସଫଳତା, କ୍ରନ୍ଦନ ଜନିତ ବିବିଧ ରକମର ଚିତ୍କାର କରିପାରନ୍ତି । ଏହି ପେସାରେ କଠିନ ପରିଶ୍ରମ କରିବାକୁ ପଡ଼େ ବୋଲି ସେ କୁହନ୍ତି । ବେଳେ ବେଳେ ତାଙ୍କୁ ଲଗାତାର ଆଠ ଘଣ୍ଟା ଧରି ମାଇକ୍ରୋଫୋନ୍ ଆଗରେ ଚିତ୍କାର କରିବାକୁ ପଡ଼େ ।