ୟୁପି ସରକାରଙ୍କୁ ସୁପ୍ରିମ୍‌କୋର୍ଟ ଝଟ୍‌କା, ମନଇଛା ଘର ଭାଙ୍ଗିପାରିବନି ବୁଲ୍‌ଡୋଜର

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଉତ୍ତର ପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଧରଣର ଝଟ୍‌କା ଲାଗିଛି । ଏଣିକି ସରକାର କାହା ଘରକୁ ବୁଲ୍‌ଡୋଜର ଲଗାଇ ଜବରଦସ୍ତ ଭାଙ୍ଗିପାରିବେ ନାହିଁ । ବେଆଇନ ଉଚ୍ଛେଦ ମଧ୍ୟ ଆଇନ୍‌ର ପ୍ରକ୍ରିୟା ଅନୁସାରେ ଚାଲିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ୟୁପିର ପ୍ରୟାଗରାଜରେ ବୁଲ୍‌ଡୋଜର ଅଭିଯୁକ୍ତଙ୍କ ଘର ଭାଙ୍ଗିବା ଘଟଣାରେ ସୁପ୍ରିମ୍‌କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ୩ ଦିନ ମଧ୍ୟରେ ସତ୍ୟପାଠ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବୁଲ୍‌ଡୋଜର ଲଗାଇ କାହିଁକି ତରବରିଆ ଭାବେ ବେଆଇନ ଉଚ୍ଛେଦ କରାଯାଉଛି ସେନେଇ ଜଣାଇବାକୁ ମଧ୍ୟ ସୁପ୍ରିମ୍‌କୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶ ସରକାର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରି ବୁଲ୍‌ଡୋଜର ଚଳାଇ ସେମାନଙ୍କ ଘର ଭାଙ୍ଗୁଥିବାରୁ ଏନେଇ କେତେକ ସଂଗଠନ ପକ୍ଷରୁ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତିଙ୍କ ସମ୍ପତ୍ତିକୁ ନିଶାନା କରାଯାଉଥିବା ଦର୍ଶାଯାଇଥିଲା । ବିନା ଆଇନ୍ ପ୍ରକ୍ରିୟାରେ ପରବର୍ତ୍ତୀ ଭଙ୍ଗାରୁଜା ଉପରେ ରୋକ୍ ଲଗାଇବା ପାଇଁ ନିର୍ଦ୍ଦେଶ ଦେବାକୁ ଯାଚିକାରେ ନିବେଦନ କରାଯାଇଥିଲା ।

ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ରଖିଥିବା ଆଇନଜୀବୀ କହିଥିଲେ ଯେ, ଅପରାଧିକ ନ୍ୟାୟ ପାଇଁ ବୁଲ୍‌ଡୋଜର ଫର୍ମୁଲା ଗଣତନ୍ତ୍ରର ପରିନ୍ଥୀ । ଉତ୍ତର ପ୍ରଦେଶ ସରକାର ଓ ସ୍ଥାନୀୟ ପ୍ରଶାସନ ମନଇଚ୍ଛା ଆଇନ୍ କରିବା ସହ ଶାସନ ଚଳାଉଛନ୍ତି । ଏପରିକି ଧମକ ଚମକ ଦେଇ ଭଙ୍ଗାରୁଜା କରୁଛନ୍ତି । ବିନା ଆଇନ୍ ପ୍ରକ୍ରିୟାରେ ଭଙ୍ଗାରୁଜା କରାଯାଇପାରିବ ନାହିଁ ବୋଲି ପୂର୍ବରୁ ସୁପ୍ରିମକୋର୍ଟଙ୍କ ବାରଣ ରହିଛି । ଏହି କ୍ଷେତ୍ରରେ ‘ରୋଲ୍ ଅଫ୍ ଲ’କୁ ଅନୁକରଣ କରାଯିବା ପାଇଁ ସେ ନିବେଦନ କରିଥିଲେ ।

ଅନ୍ୟପକ୍ଷରେ ବେଆଇନ୍ ଉଚ୍ଛେଦ ନେଇ କୌଣସି ପ୍ରକାରର ଆଇନ ଉଲ୍ଲଂଘନ ହୋଇନଥିବା ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ତେବେ ଏହାର ଉତ୍ତରରେ ସୁପ୍ରିମକୋର୍ଟ କହିଥିଲେ ଯେ, ସବୁ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଆମେ କହୁନାହୁଁ । କିନ୍ତୁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଆଇନ୍‌ ପରିସର ମଧ୍ୟରେ କରାଯିବା ଉଚିତ । ଯେଉଁମାନଙ୍କ ଘର ଭଙ୍ଗା ଯାଇଛି ସେମାନଙ୍କ ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ନିଆଯିବା ଆବଶ୍ୟକ । କାରଣ ସେମାନେ ମଧ୍ୟ ସମାଜର ଏକ ଅଂଶ ଓ ସେମାନଙ୍କ ବଞ୍ଚିବାର ଅଧିକାର ରହିଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ମାସରେ କରାଯିବ ।