ଅଗ୍ନିପଥ ଯୋଜନା ପାଇଁ ସେନାରେ ଭର୍ତ୍ତି ହେବାର ଆଶା ଛାଡି ଯୁବକ କଲେ ଆତ୍ମହତ୍ୟା

ସୋର (ସଂକେତ୍ ଟିଭି) : ଅଗ୍ନିପଥ ଯୋଜନା ପାଇଁ ସେନାରେ ଭର୍ତ୍ତି ହେବାର ଆଶା ଛାଡି ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ଟେଣ୍ଟେଇ ପଞ୍ଚାୟତର ଦୟାନିଧିପୁର ଗ୍ରାମରେ ଜଣେ ଯୁବକ ବୁଧବାର ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଏହି ଗ୍ରାମର ରଜନୀକାନ୍ତ ମହାନ୍ତିଙ୍କ ପୁଅ ଧନଞ୍ଜୟ(୨୩) ସେନା ବାହିନୀରେ ଯୋଗ ଦେବାକୁ ଶାରରୀକ ପରିକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଲିଖିତ ପରିକ୍ଷାରେ ନିଶ୍ଚିତ କୃତକାର୍ଯ୍ୟ ହେବାକୁ ଆଶା ରଖିଥିଲେ ଧନଞ୍ଜୟ। ହେଲେ କରୋନା କଟକଣା ପାଇଁ ଲିଖିତ ପରୀକ୍ଷା ହୋଇ ପାରିନଥିଲା। ଏବେ ସେନାରେ ନିଯୁକ୍ତି ପାଇଁ ପ୍ରତିରକ୍ଷା ବିଭାଗ ଅଗ୍ନିପଥ ଯୋଜନା ଘୋଷଣା କରିଥିବାରୁ ଆଉ ଲିଖିତ ପରୀକ୍ଷା ଦେବାର ସୁଯୋଗ ତାଙ୍କୁ ମିଳିବନି ଭାବି ହତାଶା ହୋଇ ମାନସିକ ଅଶାନ୍ତିରେ ଥିଲେ।

ସୋର ୟୁଏନ୍‌ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ ପରେ ଅନ୍ୟ କୈାଣସି ଚାକିରି ପାଇଁ ପ୍ରବେଶିକା ପରୀକ୍ଷା ଦେଉନଥିଲେ। ସେନାରେ ଯୋଗ ଦେବାକୁ ପ୍ରବଳ ଇଚ୍ଛା ଥିବା ବେଳେ ଆଉ ସୁଯୋଗ ମିଳିବନି ଭାବି ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇ ଶୋଇବା ଘରେ ବେକରେ ରଶି ଲଗାଇ ଝୁଲିପଡିଥିଲେ। ଆତ୍ମହତ୍ୟା ପୂର୍ବରୁ ଧନଞ୍ଜୟ ରାତି ପ୍ରାୟ ୩ଟା ସମୟରେ ନିଜ ପରିବାର ଲୋକଙ୍କୁ ଆତ୍ମହତ୍ୟା କରୁଥିବା ସଂପର୍କରେ ମେସେଜ୍‌ କରିଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ତାଙ୍କ ମୋବାଇଲରୁ ଭାଇ ଓ ସାଙ୍ଗମାନଙ୍କୁ ମେସେଜ କରିଥିଲେ, ମୁଁ ଯାଉଛି। ବାପା ମା ତମକୁ ଲାଗିଲେ। ସେ ନିଜର ହ୍ୱାଟସଆପ ଷ୍ଟାଟସରେ ପୂର୍ବରୁ ସାମରିକ ବାହିନୀରେ ନିଯୁକ୍ତି ନେଇ ବିଭିନ୍ନ ପରୀକ୍ଷା ବାତିଲ ହେବାରୁ ଆତ୍ମହତ୍ୟା କରିଥିବା ଯୁବକଙ୍କ ଫଟୋ ରଖୁଥିଲେ।

ଗୁରୁବାର ସକାଳେ ଘର ଲୋକ ମେସେଜ୍‌ ଦେଖିଥିଲେ। ପରେ ଶୋଇବା ଘରେ ଝୁଲନ୍ତା ଅବସ୍ଥାରେ ଧନଞ୍ଜୟକୁ ଉଦ୍ଧାର କରାଯାଇଥିଲା। ସୋର ପୁଲିସ କେସ୍‌ ନଂ ୪୦/୨୨ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ମରଶରୀର ହସ୍ତାନ୍ତର କରି ତଦନ୍ତ କରୁଛି।