ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କୁ ହତ୍ୟା ଧମକ ଦେଲା ଦାଉଦ ଗ୍ୟାଙ୍ଗ
ନୂଆଦିଲ୍ଲୀ (ସଂକେତ୍ ଟିଭି) : ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କୁ ଶନିବାର ଦିନ ହତ୍ଯା ଧମକ ଦିଆଯାଇଛି । ଏକ ଫୋନ୍କଲ୍ ରେ ଏହି ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି।
ଦୁଇ ମିନିଟରୁ ଟିକିଏ ଅଧିକ ସମୟ ଧରି ଚାଲୁଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସାଂସଦ ଠାକୁର ଧମକ କଲ୍ ପାଇବା ସମୟରେ କଲରଙ୍କ ସହ କଥା ହେଉଥିବାର ଦେଖାଯାଇଛି।
ଯେଉଁଥିରେ ଫୋନ୍ କରିଥିବା ବ୍ୟକ୍ତି ନିଜକୁ ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମର ଭାଇ ଇକବାଲ କାସ୍କରଙ୍କ ବ୍ୟକ୍ତି ବୋଲି ପରିଚୟ ଦେଇ ତାଙ୍କୁ ‘ମୁସଲମାନଙ୍କ ବିରୋଧରେ ବିଷ ବୁଣୁଥିବାରୁ’ ହତ୍ୟା କରିବାକୁ ଧମକ ଦେଇଛି ବୋଲି ପୁଲିସ କହିଛି।
ଭୋପାଳ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଠାକୁର ଶନିବାର ସକାଳେ ଟି ଟି ନଗର ପୁଲିସ ଷ୍ଟେସନରେ ଏ ଘଟଣା ସଂପର୍କରେ ଅଭିଯୋଗ କରିଛନ୍ତି।
ସାଂସଦ ଠାକୁର କରିଥିବା ଅଭିଯୋଗରେ କୁହାଯାଇଛି ଯେ ଶୁକ୍ରବାର ରାତିରେ ତାଙ୍କୁ ଏହି କଲ୍ ମିଳିଥିଲା, ଯେଉଁଥିରେ ଇକବାଲ କାସ୍କରଙ୍କ ନିକଟତର ବୋଲି ଦାବି କରିଥିବା ବ୍ୟକ୍ତି ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା ବୋଲି ସେ କହିଛନ୍ତି।