ସ୍ୱିସ୍ ବ୍ୟାଙ୍କ୍‌ରେ ଭାରତୀୟଙ୍କ କଳାଧନ ଜମା ବର୍ଷକରେ ୫୦% ବୃଦ୍ଧି

ନୂଆଦିଲ୍ଲୀ (ସଂକେତ୍ ଟିଭି) : ସ୍ୱିସ୍ ବ୍ୟାଙ୍କ୍‌ରେ ଭାରତୀୟଙ୍କ ଜମା ରାଶି କ୍ରମାଗତ ୨ୟ ବର୍ଷ ପାଇଁ ବୃଦ୍ଧି ପାଇଛି । ଏହାର ପରିମାଣ ୩୦ ହଜାର ୫୦୦ କୋଟିରେ ପହଞ୍ଚିଛି । ଗତ ୧୪ ବର୍ଷ ଭିତରେ ଏହା ଭାରତୀୟଙ୍କ ସର୍ବାଧିକ ଜମା ରାଶି । ୨୦୨୧ରେ ହୋଇଥିବା ଜମା ରାଶି ତୁଳନାରେ ଏହା ୫୦% ଅଧିକ ବୋଲି ସ୍ୱିସ୍ ନ୍ୟାସନାଲ ବ୍ୟାଙ୍କ୍‌ ଜାରି କରିଥିବା ଏକ ରିପୋର୍ଟରୁ ସୂଚନା ମିଳିଛି ।

କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏହି ବିଦେଶୀ ବ୍ୟାଙ୍କ୍‌ରେ ଭାରତୀୟଙ୍କ ଟଙ୍କା ପରିମାଣ ବୃଦ୍ଧି ପାଇଛି । ୨୦୨୦ରେ ଏହି ବ୍ୟାଙ୍କ୍‌ରେ ଭାରତୀୟଙ୍କ ଜମା ରାଶି ସଞ୍ଚୟ ଖାତା, ପ୍ରତିଭୂତି ଓ ଅନ୍ୟାନ୍ୟ ନିବେଶ ବାବଦରେ ୨୦ ହଜାର ୭୦୦ କୋଟି ଟଙ୍କା ରହିଥିଲା । ଏହା ପୂର୍ବରୁ ୨୦୦୬ରେ ସ୍ୱିସ୍ ବ୍ୟାଙ୍କ୍‌ରେ ଭାରତୀୟଙ୍କ ଜମା ସର୍ବୋଚ୍ଚ ସ୍ତରରେ ମଧ୍ୟ ରହିଥିଲା । ଏହାପରେ ୨୦୧୧, ୨୦୧୩, ୨୦୧୭, ୨୦୨୦, ୨୦୨୧କୁ ବାଦ୍ ଦେଲେ ଅନ୍ୟ ସବୁବର୍ଷ ଜମାରାଶି ହ୍ରାସ ପାଇଥିଲା ।

୨୦୧୯ରେ ସବୁ ବର୍ଗରେ ଜମା ରାଶି ହ୍ରାସ ପାଇଥିବାବେଳେ ୨୦୨୧ରେ ସବୁବର୍ଗରେ ଜମାରାଶିରେ ବୃଦ୍ଧି ଘଟିଥିଲା । ଏହି ବ୍ୟାଙ୍କ୍‌ରେ ଜମା ରାଶି ରଖିଥିବା ଶ୍ରେଷ୍ଠ ୧୦ ରାଷ୍ଟ୍ର ମଧ୍ୟରେ ରହିଛନ୍ତି ବ୍ରିଟେନ୍‌, ଆମେରିକା, ୱେଷ୍ଟେଣ୍ଡିଜ୍‌, ଜର୍ମାନୀ, ସିଙ୍ଗାପୁର, ହଂକଂ, ବାହାମାସ, ନେଦରଲ୍ୟାଣ୍ଡ, ସାଇପ୍ରସ ଓ ଅନ୍ୟାନ୍ୟ ରାଷ୍ଟ୍ରମାନେ । ଏହି ତାଲିକାର ୪୪ତମ ସ୍ଥାନରେ ରହିଛି ଭାରତ ।

ତେବେ ପୋଲାଣ୍ଡ, ଦକ୍ଷିଣ କୋରିଆ, ସ୍ୱିଡେନ୍‌, ବାହାରିନ, ଓମାନ, ନ୍ୟୁଜିଲ୍ୟାଣ୍ଡ, ନରୱେ, ମରିସସ୍‌, ବାଂଲାଦେଶ, ପାକିସ୍ତାନ, ହଙ୍ଗେରୀ ତୁଳନାରେ ଭାରତୀୟଙ୍କର ଏହି ବ୍ୟାଙ୍କ୍‌ରେ ଅଧିକ ଜମା ରାଶି ରହିଛି । ତେବେ ସ୍ୱିସ୍ ବ୍ୟାଙ୍କ୍‌ରେ ଭାରତୀୟଙ୍କ ଟଙ୍କା ଜମା ରଖିବା ଏକ ରାଜନୈତିକ ପ୍ରସଙ୍ଗ ଭାବେ ଉଭା ହୋଇଛି । ସ୍ୱିସ୍‌ ବ୍ୟାଙ୍କ୍‌ରେ ବିୁଳ ପରିମାଣର କଳାଧନ ଜମା ହୋଇଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି ।

ତେବେ ଏହି ବ୍ୟାଙ୍କ୍ ଗ୍ରାହକଙ୍କ ତଥ୍ୟକୁ ଗୋପନ ରଖିବା ଲାଗି ସ୍ୱିଜରଲ୍ୟାଣ୍ଡର ନୀତି ଟିକସ ଠକେଇ କରୁଥିବା, ଜାଲିଆତିରେ ସମ୍ପୃକ୍ତ ଥିବା ଓ ଆର୍ଥିକ ହେର୍‌ଫେର୍‌ କରୁଥିବା ଲୋକଙ୍କୁ ବେଶ୍ ସୁହାଉଛି । ଏହି ଅପବାଦରୁ ମୁକ୍ତି ପାଇବା ଲାଗି ସ୍ୱିଜରଲ୍ୟାଣ୍ଡ ସରକାର ବିଭିନ୍ନ ଦେଶ ସହିତ ବ୍ୟାଙ୍କ୍ ତଥ୍ୟ ଆଦାନ ପ୍ରଦାନ ନେଇ ବୁଝାମଣା କରିଛନ୍ତି । ଭାରତ ସହ ମଧ୍ୟ ଏଭଳି ବୁଝାମଣା ହୋଇଥିବାବେଳେ କଳାଧନ ସମ୍ପର୍କୀୟ ତଥ୍ୟ ମଧ୍ୟ ମିଳିବାରେ ଲାଗିଛି ।