ଜଳେଶ୍ବର ବିଡିଓଙ୍କ ଘରେ ଭିଜିଲାନ୍ସ ଚଢାଉ : ଠାବ ହେଲା ୨୪ଟି ପ୍ଲଟ, ୧କୋଜିରୁ ଅଧିକ ସୁନା

ବାଲେଶ୍ବର (ସଂକେତ୍ ଟିଭି) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଶନିବାର ଦିନ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ଚଢାଉ ହୋଇଛି। ଏହି ଚଢାଉ ସମୟରେ ବିଡିଓଙ୍କର ୨୪ଟି ପ୍ଲଟ, ୨ ଟି କୋଠା ଏବଂ ଗୋଟିଏ ଇଟ୍ଟା ଫ୍ୟାକ୍ଟ୍ରି ଠାବ ହୋଇଛି । ଘରୁ ଇନୋଭା ସମେତ ୪ଟି ଦାମୀ ଗାଡି, ନଗଦ ୧ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ୧ କେଜିରୁ ଅଧିକ ଓଜନର ସୁନାଗହଣା ମିଳିଛି ।

ଖବର ଅନୁଯାୟୀ, ଆଜି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଜଳେଶ୍ଵର ସ୍ଥିତ ସରକାରୀ ବାସଭବନ ସମେତ ୬ଟି ସ୍ଥାନରେ ୬ଟି ଟିମ ଚଢାଉ କରିଥିଲେ। ଶ୍ରୀ ଦାସଙ୍କ କଟକ ସ୍ଥିତ ବୟାଳିଶ ମୌଜାର ଶ୍ରୀକ୍ରିଷ୍ଣା ବିହାରର ଝିଙ୍କିରିଆ ସ୍ଥିତ ବାସଭବନ, କଳାପଦ ସ୍ଥିତ ୩ ମହଲା କୋଠା, ବିଡ଼ିଓଙ୍କ ପତ୍ନୀ ଜ୍ୟୋତିର୍ମୟୀ ସାହୁଙ୍କ କଟକ ଖପୁରିଆ ସ୍ଥିତ ଅଫିସ, କେନ୍ଦ୍ରାପଡ଼ା ସ୍ଥିତ ଶ୍ବଶୁର ଘର,ଜଳେଶ୍ଵର ବ୍ଲକରେ ଥିବା ବିଡ଼ିଓଙ୍କ ଅଫିସ ଓ ଜଳେଶ୍ଵର ସ୍ଥିତ ସରକାରୀ ବାସଭବନ ଉପରେ ଏକା ସମୟରେ ଚଢାଉ ଆରମ୍ଭ ହୋଇଥିଲା।। ଏହି ଚଢାଉରେ ଭିଜିଲାନ୍ସ ଟିମ୍‌ ଇନୋଭା ସମେତ ୪ଟି ଦାମୀ ଗାଡି ଥିବା ଜଣାପଡିଥିବା ବେଳେ କଟକ ଓ କେନ୍ଦ୍ରାପଡ଼ାରେ ୨୪ଟି ପ୍ଲଟ ରହିଥିବାର ତଥ୍ୟ ମିଳିଛି ।

ସେହିପରି କଟକ କଳାପଡ଼ାରେ ୧ କୋଟି ୨୨ ଲକ୍ଷ ମୂଲ୍ୟର କୋଠା ରହିଥିବା ବେଳେ କଟକ ଝିଙ୍କିରିଆରେ ୧ କୋଟି ୧୦ ଲକ୍ଷ ମୂଲ୍ୟର କୋଠା ରହିଛି । ଏହାସହିତ କଟକ କଳାପଡ଼ାରେ ରହିଛି ଗୋଟିଏ ଇଟା ଫ୍ୟାକ୍ଟ୍ରି। ଏହାସହିତ ନଗଦ ୧ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ୧ କେଜିରୁ ଅଧିକ ଓଜନର ସୁନାଗହଣା ଭିଜିଲାନ୍ସକୁ ମିଳିଛି ।