ମାଫିବୀର ପ୍ରଧାନମନ୍ତ୍ରୀଙ୍କୁ ଅଗ୍ନିପଥ ସ୍କିମ ପ୍ରତ୍ୟାହାର କରିବାକୁ ହେବ : ରାହୁଲ ଗାନ୍ଧି

ନୂଆଦିଲ୍ଲୀ (ସଂକେତ୍ ଟିଭି) : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶର ବିଭିନ୍ନ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଦିନକୁ ଦିନ ଏହି ପ୍ରତିବାଦ ଉଗ୍ର ରୂପ ନେଉଥିବା ବେଳେ କଂଗ୍ରେସ ମଧ୍ୟ ବିରୋଧର ସ୍ବର ଉଠାଇଛି। ମୋଦି ସରକାରଙ୍କୁ ଘେରିବାକୁ ଯାଇ କଂଗ୍ରେସ ଏମ୍‌ପି ଓ ବିଧାୟକମାନେ ରବିବାର ପୂର୍ବହ୍ନ ୧୦ଟାରେ ଜନ୍ତର ମନ୍ତରଠାରେ ଏକ ‘ସତ୍ୟଗ୍ରାହ’ର ଆୟୋଜନ କରିବେ ବୋଲି ଶନିବାର ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଯେଉଁଥିରେ ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ ଆରମ୍ଭ ହୋଇଥିବା ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରୁଥିବା ଯୁବକଙ୍କ ସହ ଏକତା ପ୍ରଦର୍ଶନ କରାଯିବ। ଏହି ଯୋଜନା ବିରୋଧରେ ଦେଶର ଯୁବକମାନେ ରାସ୍ତାରେ ଓହ୍ଲାଇଛନ୍ତି। ଫଳରେ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି।

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ୱାଇନାଡ ସାଂସଦ ରାହୁଲ ଗାନ୍ଧି ମଧ୍ୟ ସ୍କିମକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏ ବାବଦେ ରାହୁଲ ଏକ ଟ୍ୱିଟ୍‌ କରିଛନ୍ତି। ଏଥିରେ ଗତ ୮ ବର୍ଷ ହେଲା କେନ୍ଦ୍ରର ବିଜେପି ସରକାର ‘ଜୟଜବାନ ଓ ଜୟକିଷାନ’ ମୂଲ୍ୟର ଅପମାନ କରିଚାଲିଛନ୍ତି । ମୁଁ ପ୍ରଥମରୁ କହିଥିଲି ଯେ ପ୍ରଧାନମନ୍ତ୍ରୀଙ୍କୁ କଳା କୃଷି ଆଇନ ପ୍ରତ୍ୟାହାର କରିବାକୁ ହେବ। ଏଥର ବି କହୁଛି ‘ମାଫିବିର’ ହୋଇ ପ୍ରଧାନମନ୍ତ୍ରୀଙ୍କୁ ଦେଶର ଯୁବକଙ୍କ କଥା ମାନିବାକୁ ପଡିବ ଓ ‘ଅଗ୍ନିପଥ’କୁ ପ୍ରତ୍ୟାହାର କରିବାକୁ ପଡିବ ବୋଲି ଉଲ୍ଲେଖ କରିଛନ୍ତି।

ଏହା ପୂର୍ବରୁ ମଧ୍ୟ ରାହୁଲ ଆଉ ଏକ ଟ୍ୱିଟ୍‌ କରିଥିଲେ ଏଥିରେ ଅଗ୍ନିପଥକୁ ଯୁବକ ଅଗ୍ରାହ୍ୟ କଲେ, କୃଷି ଆଇନକୁ ଚାଷୀ ଅସ୍ୱୀକାର କଲେ, ନୋଟ ବନ୍ଦୀକୁ ଅର୍ଥଶାସ୍ତ୍ରୀ ଅଗ୍ରାହ୍ୟ କଲେ , ଜିଏସଟିକୁ ବ୍ୟବସାୟୀ। ଦେଶରେ ଜନତା କଣ ଚାହାନ୍ତି ତାହା ପ୍ରଧାନମନ୍ତ୍ରୀ ବୁଝନ୍ତିନି। କାରଣ ତାଙ୍କୁ ତାଙ୍କ ମିତରୋଁଙ୍କ ବିନା ଆଉ କାହାର କଥା ଶୁଣାଯାଏନି।