ଆମେରିକାକୁ ଟପିଗଲା ଚୀନ୍, ହାଇସ୍ପିଡ୍ ଇଣ୍ଟରନେଟ୍ ଯୋଗାଇବାରେ ଆଗରେ ଡ୍ରାଗନ୍‌

ନୂଆଦିଲ୍ଲୀ (ସଂକେତ୍ ଟିଭି) : ବିଗତ କିଛି ବର୍ଷ ଧରି ଚାଇନା ନିଜର ଭିତ୍ତିଭୂମି ସୁଦୃଢ କରିବାରେ ଲାଗିଛି । ଯେଉଁଥିରେ ଡ୍ରାଗନ୍‌ ନୂଆ ନୂଆ ପ୍ରଯୁକ୍ତି ବିଦ୍ୟାର ମଧ୍ୟ ବ୍ୟବହାର କରିଛି । ଯାହା ଆମେରିକା ସମେତ ବିଶ୍ୱର ଅନେକ ବଡବଡ ଦେଶ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେବେ ଚାଇନାର ଏହି ପ୍ରଗତି ନେଇ ନିଜେ ତଥ୍ୟ ରଖିଛନ୍ତି ସେଠାକାର ଶିଳ୍ପ ଓ ଆଇଟି ମନ୍ତ୍ରୀ ଜିନ୍‌ ଗୁଓବିନ୍ ।

ଜିନଙ୍କ କହିବାନୁସାରେ, ଚାଇନା ଅପଟିକାଲ୍ ଫାଇବର ଦିଗରେ ଅନେକ କାମ କରିଛି । ଇଣ୍ଟରନେଟର ସ୍ପିଡ୍ ୧୦ ଏମବିପିଏସରୁ ୧୦୦୦ ଏମବିପିଏସକୁ ବୃଦ୍ଧି ପାଇଛି । ୩ଜି,୪ଜି ଓ ୫ଜିରେ ସେବା ଗାଁ ଗହଳିରେ ପହଁଚିଛି । ଦେଶରେ ୫ଜି ସେବା ଥିବା ଷ୍ଟେସନ ସଂଖ୍ୟା ୧୬ ଲକ୍ଷ ଟପିଛି । ଏହାସହ ୪୦୦ ମିଲିୟନ ୟୁଜର ମୋବାଇଲ ଫୋନ୍ ବ୍ୟବହାର କରୁଛନ୍ତି । ୨୦୨୫ସୁଦ୍ଧା ଚାଇନା ପ୍ରଯୁକ୍‌ତିବିଦ୍ୟା କ୍ଷେତ୍ରରେ ଆମେରିକାକୁ ପଛରେ ପକାଇବାକୁ ଚାହୁଁଛି । ନିଜର ୧୪ତମ ପଞ୍ଚବାର୍ଷିକି ଯୋଜନାରେ ଚୀନ୍ ବଡବଡ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ଓ ସୈନ୍ୟ ବାହିନୀକୁ ସଶକ୍ତ କରିବା ପାଇଁ ପ୍ରୟାସ କରୁଛି ।

କେବଳ ଏତିକି ନୁହେଁ ଚାଇନା ଗତବର୍ଷ ଡ୍ରାଗନ୍‌ ଭାରତ ଓ ଭୁଟାନ ସୀମାରେ ୫ଜି ନେଟୱର୍କ ପ୍ରତିଷ୍ଠା କରିଛି । ଯାହା ସୈନ୍ୟ ବାହିନୀକୁ ଶକ୍ତିଶାଳୀ କରିବ । ଭୁଟାନ-ଭାରତ ସୀମାରେ ଡ୍ରାଗନ୍ ୧୭୦୦୦ ଫୁଟ୍‌ ଉଚ୍ଚରେ ଗନବାଲା ରାଡାର ଷ୍ଟେସନ ପ୍ରତିଷ୍ଠା କରିଛି । ଯାହା ସିକିମଠୁ ଖୁବ୍ ନିକଟରେ ରହିଛି । ଏହାଦ୍ୱାରା ଚାଇନା ଭାରତର ପ୍ରତିରକ୍ଷା ପ୍ରଣାଳୀ ଉପରେ ମଧ୍ୟ ନଜର ରଖିପାରିବ । ୫ଜି ନେଟୱର୍କ ହେଉଛି ଇଣ୍ଟରନେଟରେ ଏକ ବିପ୍ଲବ । କାରଣ ଏହା ସେକେଣ୍ଡରେ ୧୦ ଗିଗାବାଇଟର ଡାଟା ଡାଉଲୋଡ୍‌ କରିଥାଏ । ଯାହା ୪ଜି ଅପେକ୍ଷା ୧୦୦ ଗୁଣ ଅଧିକ । ଏୟାରକ୍ରାଫ୍ଟରେ ମଧ୍ୟ୫ଜିର ବହୁଳ ବ୍ୟବହାର ହେଉଛି ।

କେବଳ ଏତିକି ନୁହେଁ, ୫ଜିକୁ ଆଗାମୀ ଦିନରେ ସୈନ୍ୟ ବାହିନୀ କ୍ଷେତ୍ରରେ ବ୍ୟବାହର କରିବ । ଉଭୟ ଜଳ, ସ୍ଥଳ ଓ ଆକାଶ ପଥରେ ୫ଜି ସହାୟତାରେ ଚୀନ୍‌ ଶକ୍ତିଶାଳୀ ହେବାକୁ ଲକ୍ଷ୍ୟ ରଖିଛି । ୨୦୧୯ରେ ଦକ୍ଷିଣ ଚାଇନାର ସାମ୍ବାଦିକ ଲିଉ୍ ଝେନ୍ ଯୁଦ୍ଧରେ ୫ଜିର ଉପକାରିତା ବାବଦରେ ତଥ୍ୟ ରଖିଥିଲେ ।

ସେ କହିଥିଲେ ଯେ, ଯଦି ଏକ ସୈନ୍ୟ ବାଟାଲିୟନ ଜଙ୍ଗଲରେ କମ୍ବିଂ କରନ୍ତି କିମ୍ବା ଯୁଦ୍ଧ ପାଇଁ ପରସ୍ପରଠୁ ଅଲଗା ହୁଅନ୍ତି ଏ ଦିଗରେ ୫ଜି କାମ ଦେବ । ସୈନ୍ୟଙ୍କ ହାତରେ ଏକ ଘଣ୍ଟା ଥିବ ଯେଉଁଥିରେ ୫ଜି ସେବା ଥିବା । ଏହା ଦ୍ୱାରା ପରସ୍ପର ମଧ୍ୟରେ ଯୋଗାଯୋଗ ରଖାଯାଇପାରିବ । ଯଦି କୌଣସି ସୈନ୍ୟ ଆମ୍ୱୁସରେ ଫସୁଛନ୍ତି ତେବେ ସେନର୍ସ ସାହାଯ୍ୟରେ ଅନ୍ୟ ସୈନ୍ୟମାନେ ଜାଣିପାରିବେ ଓ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ନେଇପାରିବେ । କାରଣ ସେମାନଙ୍କ ଫୋନକୁ ଫସିଥିବା ଯବାନଙ୍କ ଘଣ୍ଟାରୁ ସିଗନାଲ୍ ଯିବ ।

ଗୁଗଲର ପୂର୍ବତନ ସିଇଓ ଏରିକ୍ ଚିମିଡଟ୍ ଓ ହାଭାର୍ଡ ପ୍ରଫେସର ଗ୍ରାହମ୍ ଆଲିସନଙ୍କ ଜର୍ଣ୍ଣାଲ ଅନୁସାରେ, ଆମେରିକା ୫ଜି କ୍ଷେତ୍ରରେ ଡ୍ରାଗନଠୁ ର୍ଢେ ପଛରେ ରହିଛି । ଚାଇନା ଅପେକ୍ଷା ଆମେରିକାରେ ୫ଜି ସେବାର ଗତି କମ୍ । ଆମେରିକା ଚୀନ୍ କମ୍ପାନୀ ହୁଏଇ ଉପରେ କଟକଣା ଲଗାଇଲେ ବି ବିଶ୍ୱ ବଜାରରେ ଚାଇନା ୫ଜି ସେବା ପ୍ରଦାନକାରୀ କମ୍ପାନୀର ଚାହିଦା ର୍ଢେ ଅଧିକ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଆରମ୍ଭରେ ଚାଇନା ଗବେଷକ ଭବିଷ୍ୟତରେ ହାଇପରସୋନିକ୍‌ ମିସାଇଲ୍ କ୍ଷେତ୍ରରେ ୬ଜିର ବ୍ୟବହାର ନେଇ ଆଗ୍ରହ ଦେଖାଇଥିଲେ । ଯେଉଁ ମିସାଇଲ୍‌ ଶବ୍ଦର ଗତିଠୁ କ୍ଷୀପ୍ର ବେଗରେ ଯାଇପାରିବ । ହାଇପରସୋନିକ୍‌ କ୍ଷେତ୍ରରେ ମଧ୍ୟ ଚାଇନା ୟୁଏସଠୁ ଆଗରେ ରହିଛି ।