ମୁଁ ସୀମିତ ରହିବାକୁ ଚାହେଁନାହିଁ: ତମନ୍ନା ଭାଟିଆ

ମୁମ୍ବାଇ (ସଂକେତ୍ ଟିଭି) : ଗତବର୍ଷ ଡିଜିଟାଲ୍ ଜଗତରେ ଏଣ୍ଟ୍ରି କରିଥିଲେ ଅଭିନେତ୍ରୀ ତମନ୍ନା ଭାଟିୟା । ଏଥିରେ ସେ ୱେବ୍‌ ଶୋ’ ‘ନଭେମ୍ବର ଷ୍ଟୋରି’ରେ ମୁଖ୍ୟ ନାୟିକା ଭୂମିକା ନିର୍ବାହ କରିଥିଲେ । ଏହି ଲମ୍ବା ଅବଧିର କାହାଣୀର ସୁଟିଂ ପ୍ରକ୍ରିୟାକୁ ସେ ବେଶ ଉପଭୋଗ କରିଛନ୍ତି । ଦକ୍ଷିଣ ଓ ହିନ୍ଦୀ ସିନେ ଜଗତରେ ସକ୍ରିୟ ଥିବା ଏହି ସୁନ୍ଦରୀ କୌଣସି ଗୋଟିଏ ମାଧ୍ୟମ ମଧ୍ୟରେ ସୀମିତ ରହିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି ।

ତମନ୍ନା କହନ୍ତି ‘ମୋତେ ଭିନ୍ନ ମନେ ହେଉଥିବା ବିଷୟବସ୍ତୁରେ ମୁଁ ଏବେ କାମ କରୁଛି । ଏହା ମୋର ଉଦ୍ୟମ ଏବଂ ସେଥିପାଇଁ ମୁଁ ଡିଜିଟାଲ୍ ଦୁନିଆରେ ଏଣ୍ଟ୍ରି କରିଛି । କୌଣସି ଗୋଟିଏ ଫର୍ମାଟ୍‌ରେ କାମ କରିବାକୁ ମୁଁ ଚେଷ୍ଟା କରୁନାହିଁ । ମାଧ୍ୟମ ତାହା, ଯାହା ଜରିଆରେ ଆମେ ଆମର ବାର୍ତ୍ତା ଦେଇଥାଉ ବୋଲି ମୁଁ ବିଶ୍ୱାସ କରେ । ଅଭିନୟର ପ୍ରତ୍ୟେକ ମାଧ୍ୟମରେ ନିଜର ଉପସ୍ଥିତି ଜାହିର କରିବାକୁ ମୁଁ ଚାହେଁ । ବିଷୟ ଯଦି ଭିନ୍ନ ଧରଣର ହୋଇଥାଏ, ତେବେ ଏହା ମୋ ପାଇଁ ଆହୁରି ଖାସ୍ ହୋଇଯାଏ ।’

ତାଙ୍କ ମତରେ, ଦକ୍ଷିଣ ଫିଲ୍ମ ହେଉ ବା ହିନ୍ଦୀ କିମ୍ବା ୱେବ୍ ଶୋ’, ଜଣେ କଳାକାର ଭାବେ ଏ ସବୁ ତାଙ୍କ ଅନୁଭୂତିରେ ସାମିଲ ହୋଇଛି । ଏ ସବୁକୁ ସେ ନିଜ ସ୍ମୃତି ରୂପେ ସାଇତି ରଖିବେ । ନିଜେ ନିର୍ବାହ କରିଥିବା ଭୂମିକା, କଳାକାରଙ୍କ ସହ କରିଥିବା କାମ ଆଦି ସବୁକୁ ସ୍ମୃତି ରୂପେ ସେ ସାରା ଜୀବନ ସାଇତି ରଖିବେ । ଏହା ତାଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ । ଫିଲ୍ମକୁ ସେ କେବେ ହିନ୍ଦୀ କିମ୍ବା ସାଉଥ୍ ଭାବେ ଦେଖିନାହାନ୍ତି । ଏଗୁଡ଼ିକ କେବଳ ଯୋଗାଯୋଗର ମାଧ୍ୟମ, ଏହାଠୁ ଅଧିକ ନୁହେଁ । ତେଣୁ ସେ ଯେତେବେଳେ ନିଜ ଜୀବନ ଯାତ୍ରାରେ ପଛକୁ ବୁଲି ଦେଖନ୍ତି, ସର୍ବଦା ଆନନ୍ଦ ଅନୁଭବ କରନ୍ତି । କାରଣ ପ୍ରତ୍ୟେକ ଅନୁଭବ ସହିତ ସେ ଶିଖିଛନ୍ତି ଓ ପାରଙ୍ଗମ ହୋଇଛନ୍ତି ।

ତାଙ୍କର ସବୁ ଫିଲ୍ମ ତାଙ୍କୁ କିଛି ନୂଆ ଓ ଭିନ୍ନ କଥା ଶିଖାଇଛି । ଶେଷରେ ତମନ୍ନା କହିଛନ୍ତି ‘ଉଭୟ ସଫଳତା ଓ ବିଫଳତାକୁ ମୁଁ ସେଲିବ୍ରେଟ୍ କରେ । ଉଭୟ ମୋ ବିଷୟରେ ମୋତେ କିଛି ନୂଆ କଥା ଶିକ୍ଷା ଦିଏ ।’