ଥାନା ହାଜତରୁ ପୋଲିସକୁ ଚକ୍‌ମା ଦେଇ ବ୍ରାଉନସୁଗାର ବେପାରୀ ଫେରାର

ବାଲେଶ୍ବର (ସଂକେତ୍ ଟିଭି) : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ହାଜତରେ ଥିବା ବ୍ରାଉନସୁଗାର ବେପାରୀ ମୁକ୍ତାର ଖାନ୍ ରବିବାର ବିଳମ୍ବିତ ରାତିରେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛି ।

ସୂଚନା ଅନୁସାରେ , ଗତ ଶନିବାର ଦିନ ଜଳେଶ୍ବର ପଶ୍ଚିମବାଡ ରାସ୍ତା ଚୈତନ ସାହୁ ଛକ ନିକଟରୁ ଜଳେଶ୍ବର ପୋଲିସ ମୁକ୍ତାର ଖାନ୍ ନାମକ ବ୍ରାଉନସୁଗାର ବେପାରୀ ଗିରଫ ହୋଇଥିଲା । ତା ନିକଟରୁ ଶହେ ଗ୍ରାମରୁ ଅଧିକ ବ୍ରାଉନସୁଗାର ସହ ଏକ ସ୍କୁଟି ଜବତ ହୋଇଥିଲା । ମୁକ୍ତାରକୁ ପଚରାଉଚରା ପାଇଁ ପୋଲିସ ଥାନାରେ ଅଟକ ରଖିଥିଲା । ପୋଲିସ ହାଜତରେ ଥିବାବେଳେ ରବିବାର ବିଳମ୍ବିତ ରାତିରେ ମୁକ୍ତାର ପୋଲିସକୁ ଚକ୍‌ମା ଦେଇ ଖସି ପଳାଇଥିଲା । ମୁକ୍ତାରକୁ ଖୋଜିବା ପାଇଁ ପୋଲିସ ଚାରିଆଡେ ଛାନଭିନ୍ ଜାରି ରଖିଥିବା ଦେଖିବାକୁ ମିଳିଛି ।