ଶସ୍ତାରେ ସୁନା ବିକିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଇକ୍ୱିଟି ବଜାର ଏବେ ପତନମୁହାଁ । ଚିନ୍ତା ମଧ୍ୟରେ ନିବେଶକ । ଏଭଳି ସ୍ଥିତିରେ ନିବେଶକଙ୍କ ପାଇଁ ସୁନାରେ ନିବେଶ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଦେଉଛନ୍ତି କେନ୍ଦ୍ର ସରକାର । ଲମ୍ବା ସମୟ ପରେ ସରକାର ଗୋଲ୍‌ଡ ବଣ୍ଡ ଜାରି କରିବେ । ଏହା ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସୋଭରେନ୍‌ ଗୋଲ୍‌ଡ ବଣ୍ଡ୍ ସ୍କିମ୍‌ର ପ୍ରଥମ ସିରିଜ୍‌ ହେବ । ଲୋକେ ଶସ୍ତାରେ ସୁନା କିଣିବାର ମଉକା ପାଇବେ । ଜୁନ୍‌ ୨୦ରୁ ୨୪ ପର୍ଯ୍ୟନ୍ତ ଏହି ବଣ୍ଡ କିଣାଯାଇପାରିବ । ଏଥର ଗୋଲ୍‌ଡ ବଣ୍ଡ୍‌ର ଇସ୍ୟୁ ପ୍ରାଇସ୍ ଗ୍ରାମ ପିଛା ୫୦୯୧ ଟଙ୍କା ସ୍ଥିର କରାଯାଇଥିବା କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜାରି ବିବୃତିରେ ଉଲ୍ଲେଖ କରାଯାଇଛି ।

ସେହିଭଳି ଅନ୍‌ଲାଇନ୍‌ରେ ଆବେଦନ କଲେ ତଥା ଡିଜିଟାଲ ମୋଡ୍‌ରେ ପେମେଣ୍ଟ କଲେ ନିବେଶକଙ୍କୁ ପ୍ରତି ଗ୍ରାମ ପିଛା ୫୦ ଟଙ୍କାର ରିହାତି ମିଳିବ । ଅର୍ଥାତ୍‌ ୧ ଗ୍ରାମ ସୁନା ପାଇଁ ଏହି ବର୍ଗର ନିବେଶକଙ୍କୁ ୫୦୪୧ ଟଙ୍କା ଦେବାକୁ ପଡ଼ିବ । ଆର୍ବିଆଇ ପରାମର୍ଶରେ କେନ୍ଦ୍ର ସରକାର ଏ ନିଷ୍ପତ୍ତି ନେଇଛନ୍ତି । ସୋଭରେନ୍ ଗୋଲ୍‌ଡ ବଣ୍ଡ ୨୦୨୨-୨୩ର ଦ୍ବିତୀୟ ସିରିଜ୍‌ ଚଳିତବର୍ଷ ଅଗଷ୍ଟ ୨୨ରୁ ୨୬ ପର୍ଯ୍ୟନ୍ତ ସବ୍‌ସ୍କ୍ରି୍‌ସନ ପାଇଁ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ସୁନାରେ ନିବେଶକୁ ପ୍ରୋତ୍ସାହିତ କରିବା ତଥା ଦେଶକୁ ଏହାର ଆମଦାନି କମାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ୨୦୧୫ ନଭେମ୍ୱରରେ ସୋଭରେନ୍‌ ଗୋଲ୍‌ଡ ବଣ୍ଡ୍ ସ୍କିମ୍ ଆରମ୍ଭ କରିଥିଲା । ଭାରତ ସରକାରଙ୍କ ତରଫରୁ ଆର୍ବିଆଇ ଏହି ବଣ୍ଡ ଜାରି କରିଥାଏ । ପ୍ରତି ଆର୍ଥିକବର୍ଷରେ ଏହାର ଅନେକ ସିରିଜ୍‌ ଜାରି କରାଯାଇଥାଏ । ପ୍ରତି ସିରିଜ୍‌ ପାଇଁ ଉକ୍‌ତ ସମୟରେ ସୁନା ଦାମ ଅନୁରୂପ ଗୋଲ୍‌ଡ ବଣ୍ଡ୍‌ର ଦାମ୍ ସ୍ଥିର କରାଯାଇଥାଏ ।

ଏହି ବଣ୍ଡ ଭାରତୀୟ ନାଗରିକ, ହିନ୍ଦୁ ଅଣ-ବିଭାଜିତ ପରିବାର(ଏଚ୍‌ୟୁଏଫ୍‌), ଟ୍ରଷ୍ଟ, ବିଶ୍ୱବିଦ୍ୟାଳୟ ଏବଂ ଦାତବ୍ୟ ସଂସ୍ଥାଗୁଡ଼ିକ ମଧ୍ୟରେ ସୀମିତ । ସୋଭରେନ୍ ଗୋଲ୍‌ଡ ବଣ୍ଡ୍‌ର ମେଚ୍ୟୁରିଟି ଅବଧି ୮ ବର୍ଷ ରହିବ । ଅନ୍ୟପକ୍ଷରେ, ୫ ବର୍ଷର ଲକ୍ ଇନ୍ ପିରିୟଡ୍ ରହିଛି । ଏହି ବଣ୍ଡ୍ ଉପରେ ୨.୫%ର ସୁଧ ମିଳିବ । ପ୍ରତି ୬ ମାସରେ ସୁଧ ରାଶି ନିବେଶକଙ୍କ ଖାତାକୁ ଆସିଯିବ ।

ଅନ୍ୟପକ୍ଷରେ, ସ୍ଲାବ ହିସାବରେ ଏହା ଉପରେ ଟିକସ ପୈଠ କରିବାକୁ ପଡ଼ିବ । ତେବେ ସର୍ବନିମ୍ନ ୧ ଗ୍ରାମ ସୁନାରେ ନିବେଶ କରିବାକୁ ହେବ । ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଏବଂ ପେମେଣ୍ଟ୍‌ସ ବ୍ୟାଙ୍କକୁ ଛାଡ଼ି ଅନ୍ୟ ସମସ୍ତ ବ୍ୟାଙ୍କରୁ ସୋଭରେନ୍ ଗୋଲ୍‌ଡ ବଣ୍ଡ କିଣାଯାଇପାରିବ । ଏହାବ୍ୟତୀତ ଷ୍ଟକ୍‌ ହୋଲ୍‌ଡିଙ୍ଗ୍ କର୍ପୋରେଶନ ଅଫ୍‌ ଇଣ୍ଡିଆ, ବଛା ବଛା ଡାକଘର, ନ୍ୟାସ୍‌ନାଲ ଷ୍ଟକ୍ ଏକ୍ସଚେଞ୍ଜ ଏବଂ ବମ୍ବେ ଷ୍ଟକ ଏକ୍ସଚେଞ୍ଜରୁ ବି ଏହାକୁ କିଣାଯାଇପାରିବ । ବ୍ୟକ୍ତବିଶେଷଙ୍କ ପାଇଁ ସର୍ବୋଚ୍ଚ ନିବେଶ ସୀମା ୪ କିଲୋଗ୍ରାମ ରହିଛି । ଅର୍ଥାତ୍ ଏମାନେ ୪ କିଲୋଗ୍ରାମ ପର୍ଯ୍ୟନ୍ତ ମୂଲ୍ୟର ବଣ୍ଡ୍‌ କିଣିପାରିବେ । ହିନ୍ଦୁ ଅଣ-ବିଭାଜିତ ପରିବାର ପାଇଁ ମଧ୍ୟ ଏହା ୪ କିଲୋଗ୍ରାମ ରହିଛି । ଟ୍ରଷ୍ଟ ଓ ସମାନ ଧରଣ ସଂସ୍ଥାଗୁଡ଼ିକ ପାଇଁ ଏହା ୨୦ କେଜି ରହିଛି । ସୋଭରେନ ଗୋଲ୍‌ଡ ବଣ୍ଡ୍‌ରେ ଶୁଦ୍ଧତାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ ।

ନ୍ୟାସ୍‌ନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ଅନୁସାରେ ଗୋଲ୍‌ଡ ବଣ୍ଡ୍ ଦାମ ଭାରତୀୟ ବୁଲିଅନ ଆଣ୍ଡ୍‌ ଜୁଏଲର୍ସ ଆସୋସିଏସନ୍‌ (ଆଇବିଜେଏ) ଦ୍ୱାରା ପ୍ରକାଶିତ ୨୪ କ୍ୟାରେଟ୍ ଶୁଦ୍ଧତାଯୁକ୍ତ ସୁନା ଦାମ ସହ ସଂଯୁକ୍ତ ହୋଇଥାଏ । ଏହାସହିତ ଏହାକୁ ଡିମାଟ୍‌ ଆକାରରେ ରଖାଯାଇଥାଏ, ଯାହାକି ଅନେକ ମାତ୍ରାରେ ସୁରକ୍ଷିତ ଏବଂ ଏହା ଉପରେ କୌଣସି ଖର୍ଚ୍ଚ ମଧ୍ୟ ପଡ଼ି ନ ଥାଏ । ୮ ବର୍ଷର ପରିକ୍ୱ ଅବଧି ପରେ ଏଥିରୁ ହେବାକୁ ଥିବା ଲାଭ ଉପରେ କୌଣସି ଟିକସ ଲାଗେ ନାହିଁ । ଅନ୍ୟପକ୍ଷରେ, ଯଦି ୫ ବର୍ଷ ପରେ ଟଙ୍କା ଉଠାନ୍ତି, ତେବେ ଏହା ଉପରେ ମିଳିବାକୁ ଥିବା ଲାଭରେ ଦୀର୍ଘମିଆଦୀ ପୁଞ୍ଜି ଲାଭ (ଏଲ୍‌ଟିସିଜି) ଆକାରରେ ୨୦.୮୦% ଟିକସ ଲାଗିଥାଏ ।