ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ବିଜେପିରେ ୧୦ରୁ ଅଧିକ ନାମ ଉପରେ ଚର୍ଚ୍ଚା

ନୂଆଦିଲ୍ଲୀ (ସଂକେତ୍ ଟିଭି) : ବିପକ୍ଷ ଦଳ ଗୁଡିକ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହୋଇସାରିଥିବାବେଳେ ବିଜେପି କାହାକୁ ପ୍ରାର୍ଥୀ କରିବ, ତାହାର ସଠିକ୍ ଅନୁମାନ କରିବା ସମ୍ଭବ ହେବ ନାହିଁ । ଯଦିଓ ବର୍ତ୍ତମାନ ଦଳ ମଧ୍ୟରେ ୧୦ରୁ ଅଧିକ ନାମ ଉପରେ ଚର୍ଚ୍ଚା ହେଉଛି । ଏଥିମଧ୍ୟରୁ ଏହିପରି ୫ ନାମ ଅଛି, ଯାହା ଉପରେ ଅଧିକ ମନ୍ଥନ ଚାଲି

୧. ଥାୱର ଚନ୍ଦ ଗେହଲୋଟ୍: କର୍ଣ୍ଣାଟକ ରାଜ୍ୟପାଳ ଥାୱର ଚନ୍ଦ ଗେହଲୋଟଙ୍କୁ ନାମକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ଗେହଲୋଟ୍ ମଧ୍ୟପ୍ରଦେଶର ଦଳିତ ସମ୍ପ୍ରଦାୟରୁ ଆସନ୍ତି । କୁହାଯାଉଛି ଯେ ବିଜେପି ଲଗାତାର ଦ୍ୱିତୀୟ ଥର ପାଇଁ ଦଳିତ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଳିତ ଚେହେରା ଉପରେ ବାଜି ଖେଳିବାକୁ ଚାହୁଁଛି ।

୨. ଅନୁସୁଇୟା ଉଇକି କିମ୍ବା ଦ୍ରୌପଦୀ ମୁର୍ମୁ: ଏକ ଅନୁମାନ ଏହା ମଧ୍ୟ ରହିଛି ଯେ ପ୍ରଥମ ଥର ପାଇଁ ବିଜେପି ଆଦିବାସୀ ଚେହେରାକୁ ରାଷ୍ଟ୍ରପତି ପ୍ରାର୍ଥୀ କରିପାରେ । ଏଥିରେ ଛତିଶଗଡ ରାଜ୍ୟପାଳ ଅନୁସୁଇୟା ଉଇକେ ଓ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଙ୍କ ନାମର ସର୍ବାଧିକ ଚର୍ଚ୍ଚା ହେଉଛି । ବିଶେଷ କଥା ହେଉଛି ଉଭୟ ମହିଳା ଅଟନ୍ତି ।

୩. ଆରିଫ ମହମ୍ମଦ ଖାନ କିମ୍ବା ମୁକ୍ତାର ଅବ୍ବାସ ନକଭି: କୌଣସି ମୁସଲମାନ ଚେହେରାକୁ ରାଷ୍ଟ୍ରପତି କିମ୍ବା ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯାଇପାରେ ବୋଲି କଳ୍ପନାଜଳ୍ପନା ମଧ୍ୟ କରାଯାଉଛି । ଏଥିମଧ୍ୟରେ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଓ କେନ୍ଦ୍ର ମନ୍ତ୍ରୀ ମୁଖ୍ତାର ଅବ୍ବାସ ନକଭି ଅଛନ୍ତି । କୌଣସି ମୁସଲମାନ ଚେହେରାକୁ ରାଷ୍ଟ୍ରପତି କିମ୍ବା ଉପରାଷ୍ଟ୍ରପତି କରି ବିଜେପି ଏକ ବାର୍ତ୍ତା ଦେବାକୁ ଚାହୁଁଛି । ଅଟଳ ବିହାରୀ ବାଜପେୟୀ ସରକାର ସମୟରେ ମଧ୍ୟ ସମାନ ଘଟଣା ଘଟିଥିଲା ​। ସେହି ସମୟରେ ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ବିଜେପି ତରଫରୁ ପ୍ରାର୍ଥୀ କରାଯାଇଥିଲା ।

୪. ଏସବୁ ନାମ ବ୍ୟତୀତ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ନାମ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହା ମାଧ୍ୟମରେ ଦକ୍ଷିଣ ଭାରତର ରାଜନୈତିକ ଗଣିତ ନିଜ ସପକ୍ଷରେ ଆଣିବା ପାଇଁ ବିଜେପି ଚେଷ୍ଟା କରୁଛି । ଅନେକ ବିରୋଧୀ ଦଳ ମଧ୍ୟ ଭେଙ୍କୟା ନାଇଡୁଙ୍କ ନାମରେ ସମର୍ଥନ କରିପାରନ୍ତି । ଏହା ବ୍ୟତୀତ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ବିହାର ରାଜ୍ୟପାଳ ଫାଗୁ ଚୌହାନ, ହରିୟାଣା ରାଜ୍ୟପାଳ ବଣ୍ଡାରୁ ଦତ୍ତାତ୍ରେୟ, ତେଲେଙ୍ଗାନା ରାଜ୍ୟପାଳ ତମିଲିସାଇ ସୁନ୍ଦରରାଜଙ୍କ ନେଇ ମଧ୍ୟ ଆଲୋଚନା ଚାଲିଛି ।

ଏହା ବ୍ୟତୀତ କୌଣସି ଶିଖଙ୍କୁ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ଗୁଜବ ସୃଷ୍ଟି ହୋଇଛି । ଶିଖ ଚେହେରାକୁ ରାଷ୍ଟ୍ରପତି କିମ୍ବା ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯାଇପାରେ । ଏଭଳି ପରିସ୍ଥିତିରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ, ଉତ୍ତରପ୍ରଦେଶ ରାଜ୍ୟପାଳ ଲେଫ୍ଟନାଣ୍ଟ ଗୁରୁମିତ ସିଂଙ୍କ ନାମ ଅଧିକ ଚର୍ଚ୍ଚା ହେଉଛି ।